ଜଳସଂପଦ ବିଭାଗ ଠିକାଦାର ପ୍ରୀତି ଜଳ:  ନଦୀବନ୍ଧ ଉନ୍ନତିକରଣ ନାଁରେ ରାଜସ୍ୱ ହରିଲୁଟ୍

 ଯାଜପୁର : ଲମ୍ବ ୩ କିମି, ଅର୍ଥ ବରାଦ ୨କୋଟି ୫ଲକ୍ଷ । ବିଭାଗ ଜଳ ସମ୍ପଦ । କାର୍ଯ୍ୟ ଯୋକଡ଼ିଆ ଠାରୁ ପହଗାଁ ହାଇଲେବୁଲ କେନାଲ-୨ ନଦୀବନ୍ଧର ଉନ୍ନତିକରଣ । ବିଧାୟକ କୋରେଇ ଆକାଶ ଦାସନାୟକଙ୍କ କରକମଳରେ ୧୮ା୫ା୨୫ରେ ହୋଇଥିଲା ନଦୀବନ୍ଧ ଉନ୍ନତିକରଣ ଶିଳାନ୍ୟାସ । ଶିଳାନ୍ୟାସ ପରେ ଜିଲା ବାହାରର ଠିକାଦାର କାଳ ବିଳମ୍ବ ନକରି କାର୍ଯ୍ୟାରମ୍ଭ କରିଥିଲେ । କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ । କିନ୍ତୁ ଜଳ ସମ୍ପଦ ବିଭାଗର ଠିକାଦାର ପ୍ରୀତି ଜଳଜଳ ହେଇ ଦେଖିବାକୁ ମିଳିଛି । ୨କୋଟିର କାର୍ଯ୍ୟକୁ ଠିକାଦାର ଆଠ ଦିନରେ ଶେଷ କରିଦେଇଛନ୍ତି ଏକ ପ୍ରକାର । ଯଦି କୌଣସି ଠିକାଦାରଙ୍କୁ ପୁରସ୍କୃତ କରିବାକୁ ନିଷ୍ପତି ହୁଏ, ତେବେ ଜଳ ସମ୍ପଦ ବିଭାଗ ଯୋକଡ଼ିଆ-ପହଗାଁ ହାଇଲେବୁଲ କେନାଲ ଉନ୍ନତିକରଣ କାର୍ଯ୍ୟ ହାତେଇଥିବା ଠିକାଦାରଙ୍କ ନାଁକୁ ହିଁ ସୁପାରିଶ କରିବ । ଯାହା ବିଭାଗ ଏବଂ ଠିକାଦାରଙ୍କ ପାଇଁ ଗୈାରବ ଅର୍ଜନ କରିବା ଭଳି ହେବ । କାର୍ଯ୍ୟ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ କରିବାଟା ପ୍ରଥମ କର୍ତବ୍ୟ ହେବା କଥା । କିନ୍ତୁ ସରକାରୀ ନିୟମକୁ ଅନୁପାଳନ କରିବା ଟା କ’ଣ ଠିକ ନୁହେଁ କି ? ଏକଥା ଉଲ୍ଲେଖ କରିବାର କାରଣ ହେଉଛି ସଂପୃକ୍ତ ଉନ୍ନତିକରଣ କାର୍ଯ୍ୟ ଶେଷ ହେବାକୁ ଯାଉଥିବା ବେଳେ, କୌଣସି ଠାରେ ମରାଯାଇନି ସୂଚନା ଫଳକ । ଯେଉଁଥିରେ କାର୍ଯ୍ୟର ସବିଶେଷ ବିବରଣୀ ଉପସ୍ଥାପନ କରାଯାଇଥାଏ । ପ୍ରକଳ୍ପ ନାଁ କ’ଣ, ଅନୁଦାନ କେତେ, କାର୍ଯ୍ୟାରମ୍ଭ/ଶେଷ କେବେ, ଠିକାଦାର କିଏ ଇତ୍ୟାଦି ସାର୍ବଜନୀନ କରାଯାଇଥାଏ । ହେଲେ ଏଠି ଠିକାଦାର ସୂଚନା ଫଳକଟିଏ ମାରିବାକୁ ଉଚିତ ମଣି ନଥିବା ବେଳେ, ଜଳ ସମ୍ପଦ ବିଭାଗ ବି ଚୁପ୍ ବସିଛି । ଠିକାଦାର ସଂପୃକ୍ତ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କରିବାର ଅଭିଯୋଗ ଆସିଥିଲା । ସ୍ଥାନୀୟ ଲୋକେ କାର୍ଯ୍ୟକୁ ବିରୋଧ କରି ଗୋଟିଏ ଦିନ କାର୍ଯ୍ୟ ବନ୍ଦ କରିଦେଇଥିଲେ । କଥା ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାଇଥିଲା । ବିଭାଗର ଗେହ୍ଲାପୁଅ ସାଜିଥିବା ଠିକାଦାରଙ୍କୁ ତାଗିଦ କରିବା ବଦଳରେ ନିରବ ରହିବାକୁ ଉଚିତ ମଣିଥିଲେ । ଯାହା ଫଳରେ ଠିକାଦାର ମନଇଛାରେ କାର୍ଯ୍ୟ କରିଗଲେ । ପିଚୁ ଉପରେ ପତଳା ପିଚୁ ପକାଇ ମାତ୍ର ୮ ଦିନରେ ୩କିମି ରାସ୍ତା କାର୍ଯ୍ୟ ଶେଷ କରିଦେବାକୁ ସମର୍ଥ ହେଲେ । ତେବେ ନଦୀବନ୍ଧ ଉନ୍ନତିକରଣ ନାଁରେ ଠିକାଦାର ଖୁଲମଖୁଲା ରାଜସ୍ୱ ଲୁଟିବାରେ ଲାଗିଥିବାର ଅଭିଯୋଗ ଅଞ୍ଚଳବାସୀ କରିଛନ୍ତି । ଅଭିଯୋଗ ହେଉଛି ପିଚୁ କରିବା ପରେ ରାସ୍ତାର ଉଭୟପାଶ୍ୱର୍ରେ ଏବେ ଯେଉଁ ଟି୍ରପଟି୍ରପ ମୋରମ ଢଳାଯାଉଛି ତାହା ଚୋରାରେ ଆସୁଛି । ନିକଟପାଖରେ ମୋରମ ସଇରାତ ନଥିବା ବେଳେ ବ୍ୟାସନଗର ପୈାରାଞ୍ଚଳର ମୁଣ୍ଡମାଳ ଅଞ୍ଚଳରୁ ରାତିରେ ଅଣାଯାଇ ରାସ୍ତାରେ ପକାଯାଉଛି । ଯଦି ଏହା ସତ ହୋଇଥାଏ, ତେବେ ସରକାର ବହୁଲକ୍ଷ ଟଙ୍କାର ରାଜସ୍ୱ ହରାଇବା ନିଶ୍ଚିନ୍ତ । ସୂଚନା ଫଳକ କଥା ହେଉ କି ଆବୁରାଖାବୁରା ପଚୁ ବା ବେଆଇନ ମୋରମ ସମ୍ପର୍କରେ ବିଭାଗର ଯନ୍ତ୍ରୀ ଏବଂ ଏସ୍ଡିଓଙ୍କ ମତାମତ ନେବାକୁ ଯୋଗା ଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା । ବିଭାଗୀୟ ଉଚ୍ଚ ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।