ସାମାଜିକ ସୁରକ୍ଷା ଆଇନ କାହା ପାଇଁ ?  ନଗର ଉନ୍ନୟନ ବିଭାଗକୁ ଘଣ୍ଟ ଘୋଡାଉଛି ଇପିଏଫ୍ଓ

 ବୈରୀ : ବଡ଼ଚଣା ବ୍ଲକ ବୈରୀ ଗ୍ରାମର ବାବାଜୀ ଚରଣ ବେହୁରା ତା୦୧.୦୩.୧୯୮୩ରେ ଏନ୍ଏମ୍ଆର୍ ଭାବେ ଭୁବନେଶ୍ୱର ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗରେ କାମ କରି ୨୬ ବର୍ଷ  ପରେ  ତା୦୧.୦୯.୨୦୦୯ରେ ୱାର୍କ ଚାର୍ଜ ଭାବେ ରେଗୁଲାର ହେଲେ  । ପରବର୍ତ୍ତୀ ୪ ବର୍ଷ ୩ ମାସ ପରେ ଅର୍ଥାତ ତା ୩୦.୧୧.୨୦୧୩ରେ ସେ ଅବସର ଗ୍ରହଣ କଲେ  । ତାଙ୍କର ରେଗୁଲାର ଚାକିରୀ ୫ ବର୍ଷ ପୂରଣ ହୋଇ ନ ଥିବାର ଆଳ ଦେଖାଇ ବିଭାଗ ପକ୍ଷରୁ ତାଙ୍କୁ ଅବସର କାଳୀନ ସହାୟତା ତଥା ପେନ୍ସନ୍ ପ୍ରଦାନ କରାଗଲା ନାହିଁ । ଏଥିନେଇ ସେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଓଡିଶା ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବୁ୍ୟନାଲ୍, ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ ଏବଂ ଶେଷରେ ଅଦାଲତ ଅବମାନନା ମାମଲା (୩୭୦୩/୨୦୨୨) ରୁଜୁ କଲେ  । ଉଚ୍ଚ ନ୍ୟାୟାଳୟ ମାମଲାକୁ ବିଚାର କରି ପୁନଶ୍ଚ ୬ ସପ୍ତାହ ମଧ୍ୟରେ ପୂର୍ବ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ବିଭାଗର ସଚିବ ଜି. ମାଥି ଭାଥନନ୍ଙ୍କୁ ତା୧୬.୧୨.୨୦୨୨ରେ ନିଦେ୍ର୍ଦଶ ଦେଲେ  । ଅଦ୍ୟାବଧି ବିଭାଗ ପକ୍ଷରୁ କିଛି ବି ଉତର ମିଳି ନାହିଁ । ଚାକିରୀ ଜୀବନ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ୱେ ଟଙ୍କା ଟିଏ ବି ଭବିଷ୍ୟନିଧି ପାଣ୍ଠିରେ ଜମା ହୋଇ ପାରିଲା ନାହିଁ । ମାମଲାକୁ ବିଚାର କରି ତାଙ୍କୁ ୧୯୮୩ ମସିହାରୁ ଭବିଷ୍ୟନିଧିର ପ୍ରାପ୍ୟ ପ୍ରଦାନ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଦଣ୍ଡ ବିଧାନ କରିବାକୁ ସେ ଭବିଷ୍ୟନିଧି ପାଣ୍ଠି କମିଶନରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ବି ଉତର ମିଳୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି ୧୯୮୩ ମସିହାରୁ କାହିଁକି ନଗର ଉନ୍ନୟନ ବିଭାଗ ଭବିଷ୍ୟନିଧି ଅଂଶଧନ କାଟୁ ନଥିଲେ କି ଏହି ପାଣ୍ଠିରେ ଜମାକରୁ ନଥିଲେ । ଯେତେ ବେଳେ ବାବାଜୀ ଅଭିଯୋଗ କଲେ ତାଙ୍କ ଅଭିଯୋଗକୁ ଆଧାର କରି ଭବିଷ୍ୟନିଧି ପାଣ୍ଠି ସଂଗଠନ କାହିଁକି କିଛି ଆକ୍ସନ ନେଲା ନାହିଁ । ଏହି ସଙ୍ଗଠନ କାହିଁକି ନଗର ଉନ୍ନୟନ ବିଭାଗକୁ ଘଣ୍ଟ ଘେଡ଼ାଉଛି? ବେସରକାରୀ ଅନୁଷ୍ଠାନ ହୋଇଥିଲେ ଭବିଷ୍ୟନିଧି ନୋଟିସ୍ କରି ଅଭିଯୋଗର ଉତର ମାଗିଥାନ୍ତା ଓ କେଶ ରୁଜୁ କରି ନ୍ୟାୟ ମଧ୍ୟ ଦେଇଥାନ୍ତା । ରାଜ୍ୟ ସରକାରଙ୍କୁ ନୋଟିସ୍ କରି ଉତର ମାଗିବା ଓ କେଶ ରୁଜୁ କରିବାରେ ଅସୁବିଧା କେଉଁଠି ଅଛି ।
 ତୁରନ୍ତ ନଗର ଉନ୍ନୟନ ବିଭାଗକୁ ନୋଟିସ ଜାରି କରି ଉତର ମାଗିବା ସହ ଆବଶ୍ୟକୀୟ ଆଇନ ଗତ ପଦକ୍ଷେପ ନେବା ପାଇଁ ଭୀମ ଆର୍ମି ପକ୍ଷରୁ ରାଜ୍ୟ ସଚିବ ଭୈରବ ବେହେରା ଦାବି କରିଛନ୍ତି । ନଚେତ୍ ଭୁବନେଶ୍ୱର ସ୍ଥିତ ଭବିଷ୍ୟନିଧି ପାଣ୍ଠି ସଂଗଠନ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ଇତ୍ୟବସରରେ ବାବାଜୀଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ଥିବାର ପୁଅ ଆଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଭାଗୀୟ ସଚିବଙ୍କୁ ଭେଟି କୋର୍ଟ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି  ।