କଲରଙ୍ଗୀ-ଡମଶାଳ ନାଳ ରାସ୍ତା ଶୋଚନୀୟ

 କାଳିଆପାଣି : ଖଣି ଅଞ୍ଚଳ ରାସ୍ତା ଗୁଡିକର ଅବସ୍ଥା ଅତି ଶୋଚନୀୟ ଭାବେ ଖରାପ ହେବାକୁ ବସିଲାଣି । ଦୀର୍ଘ ୧୦ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା କଲରଙ୍ଗୀ ଠାରୁ ଡମଶାଳ ନାଳ ଯାଏଁ ରାସ୍ତାଟି ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ସଦୃଶ୍ୟ ପାଲଟିଛି । ପ୍ରାୟ ୫୦୦ ମିଟର ବିଶିଷ୍ଟ ଉକ୍ତ ରାସ୍ତାଟି ଉପରେ ସାଇକେଲ କିମ୍ବା ସାଧାରଣ ମଣିଷଟିଏ ବି ସହଜରେ ଚାଲିବା ଅସମ୍ଭବ ଭଳି ହୋଇଛି । ଏହି ରାସ୍ତାଦେଇ ପ୍ରତିଦିନ ଶହଶହ ଗାଡିମୋଟର, ଯାତ୍ରୀବାହି ବସ ଏବଂ ଖଣି ଶ୍ରମିକ ଯିବା ଆସିବା କରିଥାନ୍ତି । ଢେଙ୍କାନାଳ ଜିଲାର କାଠପାଳ ମାଇନ୍ସ ଏବଂ କାମାକ୍ଷାନଗର, ଅନୁଗୁଳ, ପରଜଙ୍ଗ, ବିରାଶାଳ, କଙ୍କଡାହାଡ ଏବଂ ନିକଟବର୍ତୀ ଗାଁ ଗୁଡିକର ଶହଶହ ଲୋକ କାଳିଆପାଣି ଅଂଚଳକୁ ଜୀବନଜୀବିକ ପାଇଁ ପ୍ରତିଦିନ ଉକ୍ତ ରାସ୍ତାଦେଇ ଯିବାଆସିବା କରିଥାନ୍ତି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ପ୍ରତିଦିନ କେହିନାକେହି ମୋଟର ସାଇକେଲ ଆରୋହୀ ହେଉ କିମ୍ବା ସାଇକେଲ ଚାଳକ ଖଣ୍ଡିଆ ଖାବର ହେଉଥିବାର ଦେଖିବାକୁ ମିଳୁଛି ।ଯାଜପୁର ଜିଲ୍ଲାର ଉପାନ୍ତ ଇଲାକା ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କର ଏହାପ୍ରତି କେବେ ଦୃଷ୍ଟି ପଡୁଛି ତାହା ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।