ଅବାଧରେ ଚାଲିଛି ସଟ୍ଟା ଓ ବେଆଇନ ମଦ କାରବାର 

ଗୋଲାମୁଣ୍ଡା:  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସଟ୍ଟାଖେଲ ଓ ଚୋରାମଦ କାରବାର ଏକ ମହାମାରି ରୂପ ନେଇଥିବା ବେଳେ ପାରିବାରିକ ସମସ୍ୟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି  । ଗୋଲାମୁ୍ଣ୍ଡା ବ୍ଲକରେ ୨୮ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଲେ ଜନସଂଖ୍ୟା ଏକ ଲକ୍ଷ ପଚାଶ ହଜାରରୁ ଅଧିକ ରହିଥିବା ଜଣାପଡିଛି  । ବ୍ଲକରେ ରହିଛି ୨ଟି ଥାନା ଗୋଲାମୁଣ୍ଡା, କେଗାଁ ଓ ଗୋଟିଏ ଫାଣ୍ଡି ଦଶପୁର ଠାରେ ରହିଅଛି  । ହେଲେ ବ୍ଲକରେ ୧୦ଟି ଦେଶି ମଦଭାଟି ଓ ତାହାର ଅନେକ ବ୍ରାଞ୍ଚ ମଦଦୋକାନ  ।ଏହି ଦେଶି ମଦ ଦୋକାନ ଗୁଡିକ ମଧ୍ୟରୁ ମହାଲିଙ୍ଗ, ଖଲିଆକାନି, ସାନଚେରଗାଁ, ଧାମନପୁର, ଖମାରହଲଦି, ଠାରେ ମଦତିଆରି ହେଉଥିଲେ ମଧ୍ୟ ସମସ୍ତ ପାଉଚ ପାଇଁ ସାନଚେରଗାଁ ମଦଭାଟି ଉପରେ ନିର୍ଭର କରିଥାନ୍ତି  । ଦେଶି ମଦ ଭାଟି ମାନଙ୍କରେ ମଦ ବିକ୍ରି କରାଯିବାର ନିୟମ ରହିଥିବା ବେଳେ ଖୋଲାଖୋଲି ଭାବରେ ସରକାରଙ୍କ ନିୟମକୁ ଖାତିର୍ ନକରି ଗାଁ ଗାଁରେ ଛତୁ ଫୁଟିଲା ଭଳି ଦେଶି ଓ ବିଦେଶି ମଦକୋଠି ଖୋଲି ପୋଲିସ ଓ ଅବକାରି ବିଭାଗକୁ ହାତ ବାରିଶି ସଜାଇ ଅବାଧରେ ମଦ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି  । ଯାହା ଦ୍ୱାରା ମଦ୍ୟପ ମାନେ ଦିନକୁ ଦିନ ବଢିବା ସହ ବିଶୃଙ୍ଖଳା ଦେଖାଦେଉଛି  । କେତେକ ସ୍ଥାନ ମାନଙ୍କରେ ରାଜରାସ୍ତା ଉପରେ ଓ ଜନଗହଲି ସ୍ଥାନ ମାନଙ୍କରେ ଖୁଲମଖୁଲା ଦେଶି ତଥା ବିଦେଶୀ ମଦ ବିକ୍ରି ହେଉଥିବା ଯୋଗୁଁ ସାଧାରଣ ଜନତା ଯିବା ଆସିବା ସମୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି  । ବାରମ୍ବାର ରାସ୍ତା କଡରେ ଥିବା ମଦଭାଟି ଉଛେଦ ପାଇଁ ଲିଖିତ ଭାବେ ଜଣାଇଲେ ମଧ୍ୟ ତାହା ପ୍ରଶାସନ ଉପରେ କୌଣସି ପ୍ରଭାବ ପଡୁନଥିବା ଅଭିଯୋଗ ହେଉଛି  । ଅନ୍ୟପକ୍ଷରେ ଚୋରା ମଦ କାରବାରକୁ ରୋକିବା ପାଇଁ ପୋଲିସ ଓ ଅବକାରି ବିଭାଗ ସ୍ୱତନ୍ତ୍ର ଭାବରେ ରହିଥିଲେ ମଧ୍ୟ ସେମିତି କୌଣସି ଆଖିଦୁଶିଆ ପଦକ୍ଷେପ ନେଉ ନ ଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଛି   । ଅନ୍ୟ ପକ୍ଷରେ ସରକାର ନିୟମ ଅନୁଯାୟୀ ବିଦ୍ୟାଲୟ ଠାରୁ ପାଞ୍ଚ ଶହ ମିଟର ଦୂର ରେ ମଦ ଦୋକାନ ରହିବା କଥା ହେଲେ ଦେଖିବାକୁ ମିଲୁଛି ତାହା ଗୋଲାମୁଣ୍ଡା ବ୍ଲକରେ ପାଳନ କରାଯାଉନାହିଁ  । ଏହା ବ୍ୟତିତ ଗୋଲାମୁଣ୍ଡା ବ୍ଲକରେ ଦୁଇଟି ଅନୁମତି ପ୍ରାପ୍ତ ବିଦେଶି ମଦ ଦୋକାନ ଗୋଲାମୁଣ୍ଡା ଏବଂ କେଗାଁ ଠାରେ ରହିଛି  । ଯାହା କି ଏହି ବିଦେଶି ମଦ ଦୋକାନରେ ସରକାରଙ୍କ ନିୟମ ଅନୁସାରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦/୬୦ ଟଙ୍କା ଅଧିକ ନିଆ ଯାଉଛି ଓ ବିଲ୍ ମାଗିଲେ ଦିଆଯାଉନାହିଁ  । କେଗାଁରେ ଥିବା ବିଦେଶି ଠିପି ବନ୍ଦ ମଦଦୋକାନରେ ମଦ ବିକ୍ରି କରିବାର ନିୟମ ଥିବା ବେଳେ କେଗାଁ ଅଞ୍ଚଳର ବିଭିନ୍ନ ସ୍ଥାନକୁ ବିକ୍ରି କରିବା ପାଇଁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି  । ତତ୍ ସହିତ  ଦୋକାନ ମାନଙ୍କରେ ନକଲି ମଦ ବିକ୍ରି କରାଯାଉଛି ବୋଲି ଅଭିଯୋଗ ହେଉଛି  । ଅନ୍ୟ ପକ୍ଷରେ କେତେକ ଗାଁରେ ସ୍କୁଲ ପାଖରେ ତ କେତେକ ସ୍ଥାନରେ ମନ୍ଦିର ର ଅତି ନିକଟରେ ବିଦେଶି ମଦ ଓ ଦେଶି ମଦ ଖୁଲୁମଖୁଲା ବିକ୍ରି ହେଉଛି  । ଏ ଦିଗରେ ସ୍ଥାନିୟ ପୋଲିସ ଜାଣି ମଧ୍ୟ ଚୁପ ରହୁଛି  । ହେଲେ ଏମାନଙ୍କ ସରକାରି ନିୟମ ଖିଲାପ ହେଲେ ମଧ୍ୟ ପଦକ୍ଷେପ ନ ନେବାଯୋଗୁଁ ଏହିପରି ହେଉ ଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି   । ପୋଲିସ ନିରବ ରହିବା ସେମାନଙ୍କ ପ୍ରତି ସଂଦେହ ସୃଷ୍ଟି କରୁଛି  । ସେହିପରି ଗୋଲାମୁଣ୍ଡା ବ୍ଲକରେ ବର୍ତମାନ ସର୍ଟ୍ଟା ଜୁଆ ଖେଲ ଏକ ମହାମାରି ରୁପ ଧାରଣ କରିବାରେ ବସିଲାଣି  । ବର୍ତ୍ତମାନ ସହରାଞ୍ଚଳ ରୁ ଗ୍ରାମାଞ୍ଚଳକୁ ଦୃତ ଗତିରେ ବ୍ୟାପି ସାରିଳାଣି  । ବର୍ତ୍ତମାନ ଥମିବାର ନାଁ ନେଉନାହିଁ ଏପରିକି ପୋଲିସ ସାମ୍ନାରେ ଖୋଲାଖୋଲି ଭାବରେ କାରବାର ଚାଲିଛି  । ସଟ୍ଟା ଖେଳ ଗୋଲାମୁଣ୍ଡା ବ୍ଲକର ସଦର ମହକୁମା ସହ ଖଲିଆକାନି, ବୃନ୍ଦାବାହାଲ, ଚପୁରିଆ, ଚିଚିଆ ,ସୋଶିଆ, ମାନଝରୀ, ଅନ୍ତର୍ଲା, ମହାଲିଙ୍ଗ, ଦଶପୁର, କେଗାଁ ସହ ବ୍ଲକର ସମସ୍ତ ଅଞ୍ଚଳରେ ଚାଲୁ ରହିଛି  । ବର୍ତମାନ ଗାଁ ମାନଙ୍କ ରେ ବେକାରି ଯୁବକ ମାନେ ଟଙ୍କା ପଇସା ନ ମିଲିଲେ ସୁବିଧା ସୁଯୋଗ ଦେଖି ଛୋଟିଆ ମୋଟିଆ ଚୋରି କରିବାକୁ ପଛାଉ ନାହାନ୍ତି  । ଗୋଲାମୁଣ୍ଡା ବ୍ଲକରେ ୨ଟି ଥାନା ଓ ଗୋଟିଏ ଫାଣ୍ଡି ଥାଇ ମଧ୍ୟ ଏହି ସଟ୍ଟା ଖେଲ ଦୀର୍ଘ ଦିନ ହେଲା ଚାଲୁ ରହିଅଛି  । ଏହାଦ୍ୱାରା ଅନେକ ପରିବାର ସର୍ବସ୍ୱାନ୍ତ ହୋଇ ସାରିଲେଣି  । ହେଲେ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ/ ଅବକାରି ବିଭାଗ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି  । ସଟ୍ଟା ଖେଳ ଉପରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ ହେଉ ଥିବା ବେଳେ ଗୋଲାମୁଣ୍ଡା ବ୍ଲକରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ପଦକ୍ଷେପ ନିଆଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି  । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ବେଆଇନ ଭାବରେ ଚାଲୁଥିବା ମଦ ଓ ସଟ୍ଟା କାରବାର ଉପରେ କଠୋର ପଦକ୍ଷପ ନେବାପାଇଁ ସାଧାରଣରେ ଦାବି ହେଉଛି  ।