‘ସାମ୍ବାଦିକ ଗଣତନ୍ତ୍ରର ସୁରକ୍ଷା କବଚ’
ଅନୁଗୁଳ : ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ତ୍ତ,ଅବକାରୀ ଓ ଆଇନ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ସମ୍ମାନିତ ଅତିଥି ଭାବେ ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଧାୟକ ଅଗସ୍ତି ବେହେରା, ବିଧାୟକ ଅଶୋକ ମହାନ୍ତି, ପ୍ରମୂଖ ଯୋଗଦାନ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ମାନ୍ୟବର ଆଇନ ମନ୍ତ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ନିର୍ଭିକ ନିରପେକ୍ଷ ଭାବେ ତଥ୍ୟ ଓ ଅନୁସନ୍ଧାନ ମୂଳକ ଖବର ପରିବେଷଣ କରିବାରେ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଶାସନ, ପ୍ରଶାସକ ତଥା ଜନସାଧାରଣଙ୍କ ଭିତରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକମାନେ ସମାଜର ଅହେତୁକ ମଙ୍ଗଳ କରିଥାନ୍ତି । ସାମ୍ବାଦିକମାନେ ଜଣେ ଜଣେ ସମାଜର ଦର୍ପଣ ସଦୃଶ୍ୟ । ସାମ୍ବାଦିକ ମାନେ ଜୀବନକୁ ବାଜି ଲଗେଇ ସମାଜ ସେବାରେ ବ୍ରତୀ ଥିବା ବେଳେ ସରକାର ସାମ୍ବାଦିକ ମାନଙ୍କୁ ସେହି ଅନୁଯାୟୀ କୌଣସି ସୁବିଧା ପ୍ରଦାନ ନ କରିବା ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଅପରପକ୍ଷରେ ବିଜେପି ଶାସିତ ରାଜ୍ୟ ମାନଙ୍କରେ ସାମ୍ବାଦିକ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଥିବା ବେଳେ ଓଡ଼ିଶାରେ ତାହା ଲାଗୁ କରାଯାଉ ନାହିଁ । ତେଣୁ ସାମ୍ବାଦିକ ମାନଙ୍କୁ ସରକାର ତୁରନ୍ତ ସାମାଜିକ ସୁରକ୍ଷା ଆଇନ୍, ସମ୍ମାନ ନିଧି ଓ ଅକ୍ରେଡିସନ ଦିଗରେ ଗୁରୁତ୍ୱ ଦେବାକୁ ଦାବୀ କରିଛନ୍ତି ଏବଂ ଆଗାମୀ ୨୨ ତାରିଖ ଦିନ ବିଧାନ ସଭା ସମ୍ମୁଖରେ ଓୟୁଜେ ଦାବୀ ରଖିବ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।