ମା’ ଚିତ୍ରେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା
କାକଟପୁର : ମା ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଳ ପୂଜା । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଶକ୍ତିପୀଠମାନଙ୍କରେ ଷୋଳପୂଜା ଚାଲୁରହିଥିବାବେଳେ ବିଭିନ୍ନ ବେଶରେ ମା’ଙ୍କୁ ସୁସଜିତ କରାଯାଇ ନୀତିକାନ୍ତିରେ ପୂଜା କରାଯାଉଛି । ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ଚିତ୍ରୋତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଗଲା । ଏହି ସ୍ଥାନରୁ ସାଧବ ବଣିକମାନେ ସାମୁଦ୍ରିକ ପଥଦେଇ ନୌବାଣିଜ୍ୟ କରିବାକୁ ଗଲାବେଳେ ମା’ ଚିତ୍ରେଶ୍ୱରୀଙ୍କ ଠାରୁ ଶୁଭକାମନା କରି ମା’ଙ୍କୁ ବନ୍ଦର ଦେବୀ ଭାବରେ ପୂଜାର୍ଚ୍ଚନା କରିଆସୁଥିଲେ । ମା ସାଧବ ଓ ବଣିକମାନଙ୍କର ଶ୍ରେଷ୍ଠା ଓ ଅଗ୍ରପୂଜ୍ୟା ଦେବୀ ରୂପେ ପରିଚିତ ଥିଲେ । ସେ ମଧ୍ୟ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ । ଏହି ଅବସରରେ ମା’ଙ୍କ ପୀଠରେ ଆଶ୍ୱିନ ମାସର କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଷୋଳପୂଜା ଆରମ୍ଭ ହୋଇଛି । ମା’ ହେଉଛନ୍ତି ଆଦିକାଳୀ ଏଣୁ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ । ଏହି ସମୟରେ ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀପାଠ ଓ ଷୋଡଶ ଉପଚାରରେ ବିଭିନ୍ନ ବେଶ କରାଯାଇ ପୂଜାନୀତି ସମ୍ପନ୍ନ କରାଯାଉଛି । ମହାଷ୍ଟମୀ ଦିନ ୧୦୮ ବେଲପତ୍ରକୁ ହୋମାଗ୍ନିରେ ଆହୁତି କରାଯିବାର ପରମ୍ପରା ରହିଛି ବୋଲି ସେବାୟତ ମାନେ କହିଛନ୍ତି । ଷୋଳ ପୂଜା ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗିରହୁଛି । ମା’ହେଉଛନ୍ତି ଏ ଅଞ୍ଚଳର ସମୁଦ୍ର ରକ୍ଷାକର୍ତ୍ତି ଦେବୀ । ଏ ପାର୍ବଣ ଅବସରରେ ମା’ଙ୍କ ପୀଠରେ ମାଛ ବେସର ଶ୍ରଦ୍ଧାଳୁଙ୍କ ବେଶ ଆକୃଷ୍ଟ କରିଥାଏ । ଏହି ପୀଠର ସାଧା ଅନ୍ନ ଓ ମାଛ ବେସର ପ୍ରସିଦ୍ଧ ଭୋଗ । କୋଣାର୍କ ଠାରୁ ୧୦ କିମି ଦୂରରେ ମା’ଙ୍କ ପୀଠଟି ଅବସ୍ଥିତି ହୋଇଥିଲେ ମଧ୍ୟ ଏହି ଐତିହାସିକ ପୀଠଟି ଅବହେଳିତ ଅବସ୍ଥାରେ ପଡିରହିଛି । ସରକାରଙ୍କ ପ୍ରୋତ୍ସାହନ ମିଳିଲେ ପୀଠଟିର ବିକଶିତ ହୋଇ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବା ସହ ପ୍ରମୁଖ ଦେବୀ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିପାରିବ ।