ସାର ପାଇଁ ହିଞ୍ଜିଳିକାଟୁ ବ୍ଲକ ଘେରାଉ
ହିଞ୍ଜିଳିକାଟୁ, ୫ା୧୦ : ହିଞ୍ଜିଳି ବ୍ଲକ ଚାଷୀ ପରିବାର ପକ୍ଷରୁ ସାର ପାଇଁ ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଚାଷୀ କୂଳକୁ ସାର ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ହିଞ୍ଜିଳିକାଟୁ ବିଡ଼ିଓଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ତଥା କୃଷକ ପରିବାରର ସଦସ୍ୟ ପଦ୍ମଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଶତାଧିକ ଚାଷୀ ପରିବାର ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗେଟ୍ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଫିସକୁ ଘେରାଉ କରାଯାଇଥିଲା ।
ରାଜ୍ୟରେ ବର୍ତ୍ତମାନ ଦେଖାଦେଇଛି ସାର ସଂକଟ । ପ୍ୟାକ୍ସରେ ସାର ବଣ୍ଟନରେ ବ୍ୟାପକ ଅନିୟମିତତା କରାଯାଉଥିବା ଚାଷୀ ପରିବାର ଅଭିଯୋଗ କରିଛନ୍ତି । ସାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ ଯୁଦ୍ଧ କାଳୀନ ଭତ୍ତିରେ ଯୋଗାଇ ଦିଆଯାଉ,୨୦୨୪ ଡିସେମ୍ବର ମାସରେ ଅଦିନିଆ ବର୍ଷାର କ୍ଷୟକ୍ଷତି ବିମାରାଷି ପ୍ରଦାନ କରାଯାଉ, ପୂର୍ବରୁ ହେଉଥିବା ମଣ୍ଡି ବ୍ୟବସ୍ଥା ପରିଚାଳିତ କରାଯାଉ ଓ ଚଳିତ ବର୍ଷ ପ୍ରଚଳିତ ହୋଇଥିବା ଆଇନକୁ ପ୍ରତ୍ୟାହାର କରାଯାଉ, କୃଷକଙ୍କ ଋଣ ଛାଡ କରାଯାଉ, ଜଳସେଚନ ବ୍ୟବସ୍ଥା କରିବା ସହ ଜୟମଙ୍ଗଳ କେନାଲ କାମ ଶୀଘ୍ର ଶେଷ କରିବା, କାଢା ନାଳ ନିର୍ମାଣ କରିବା ପରି ୫ଦଫା ସମ୍ମଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ସାରଙ୍ଗୀଙ୍କୁ ପ୍ରଦାନ କରିଥିଲେ । ଏହି ଘେରାଉରେ ଋଷିକୂଲ୍ୟା ରୟତ ମହାସଭାର ଆବାହକ ସିମାଞ୍ଚଳ ନାହାକ, ଭଜରାମ ସାବତ, ଲଡୁ କିଶୋର ବିଶ୍ୱାସ ରାୟ, ଲକ୍ଷ୍ମୀ ଚରଣ ନାହାକ, ଦୟାନିଧି ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ତୁରନ୍ତ ଏହାର ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଭାଗଚାଷୀ ମାନଙ୍କୁ ୨ଦିନ ମଧ୍ୟରେ ସାର ଯୋଗାଇ ଦେବାକୁ ଦାବିକରାଯାଇଛି । ଦାବି ପୂରଣ ନ ହେଲେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ପରିବାର ।