ମା’ ଆଦ୍ୟକାଳୀଙ୍କ ୧୫୯ତମ ପୂଜା
।ା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳୋ-ମଢିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମ ବୈତରଣୀ ନଦୀ କୂଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ୧୫୯ତମ ପୂଜାସେôାବ ଗୁରୁବାର ରାତ୍ରରୁ ଆରମ୍ଭ ହୋଇଛି । ପୂଜକ ଚୌଧୁରୀ ଭରତ ନନ୍ଦ ଜଳଘଟ ଉତ୍ତୋଳନ ଓ ସଙ୍କଳ୍ପ କାର୍ଯ୍ୟ ଏବଂ ପୁସ୍ତାକାଚର୍ଯ୍ୟ ଅଭିରାମ ପାଢୀ ଚଣ୍ଡିପାଠ କରୁଛନ୍ତି । ଖପୁରିଆପଦା କାଳୀଙ୍କୁ ଆଦ୍ୟକାଳୀ ବୋଲି ମଧ୍ୟ ବିବେଚନା କରାଯାଇ ସ୍ୱତନ୍ତ୍ର ଭାବେ ପୂଜା କରାଯାଇଥାଏ । ସାଧାରଣତଃ କାଳୀପୂଜାରେ ଶ୍ୟାମଳ ରଙ୍ଗର ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଇଥାଏ । ମାତ୍ର ଖପୁରିଆପଦା କାଳୀ ସମ୍ପୁର୍ଣ୍ଣ କଳାରଙ୍ଗର ଅଟେ । ପୃଥକ ରଙ୍ଗ, ଗଢ଼ଣ, ସ୍ୱରୂପ ଓ ଆୟୁଧ ମା’ଙ୍କର ଥିବାରୁ ତାଙ୍କୁ ଆଦ୍ୟକାଳୀ ଭାବେ ବିବେଚନା କରାଯାଇଥାଏ ।
କଲିକତା ମୁକାମରୁ ମା’ ଦକ୍ଷିଣେଶ୍ୱର କାଳୀଙ୍କ ସତ୍ତା ବିରଜାମଣ୍ଡଳକୁ ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଅଣାଯାଇ ପୂଜା କରାଯାଉଥିଲା । ଜମିଦାର ଚୌଧୁରୀ ଅନନ୍ତ ପ୍ରସାଦ ନନ୍ଦ ଯାଜପୁର ବିରଜାମଣ୍ଡଳରୁ ମା’ଙ୍କ ସତ୍ତା ଭାବେ ‘ଯନ୍ତ୍ର’କୁ ନିଜର ଅନ୍ୟତମ ତାଲୁକ ବୈତରଣୀ ନଦୀର ବଡ଼ଶଙ୍ଖନାଳ କୂଳରେ ଅବସ୍ଥିତ ଖପୁରିଆପଦାକୁ ଆଣି ପୂଜା ଆରମ୍ଭ କରିଥିଲେ ପ୍ରାୟ ୧୫୯ବର୍ଷ ପୂର୍ବେ । ଦେବୀଙ୍କ ଯନ୍ତ୍ର ଚୌଧୁରୀ ପରିବାର ଦ୍ୱାରା ଦୈନିକ ପୂଜା ପାଆନ୍ତି । କାରଣ ଦେବୀଙ୍କୁ ଏହି ଅଞ୍ଚଳରେ ପ୍ରତ୍ୟକ୍ଷ ମାତା ଭାବେ ଜନମାନସରେ ଗ୍ରହଣ କରାଯାଇଛି । ଖପୁରିଆପଦା ଗ୍ରାମବାସୀଙ୍କ ମା’ ହେଉଛନ୍ତି ଆରାଧ୍ୟା ଦେବୀ । କାଳୀ ପୂଜା ପାଇଁ ଛିନ୍ନମୁଣ୍ଡ, ନରଦେହ, ଖଡ୍ଗ ଖର୍ପର ଧାରିଣୀ କଳା ରଙ୍ଗର ମୃଣ୍ମୟୀ ମୂର୍ତ୍ତୀ କାରିଗର ନିର୍ମାଣ କରିଥାଏ । ମାତ୍ର ୨୦୧୯ ମସିହାରୁ ମା’ଙ୍କ ମୃଣ୍ମୟ ମୂର୍ତ୍ତି ବଦଳରେ ପଥର ନିର୍ମିତ ମୂର୍ତ୍ତି ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇ ପରମ୍ପରା ମତେ ପୂଜାର୍ଚ୍ଚନା କରାଯାଉଛି । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଚୌଧୁରୀ ବଂଶର ଦାୟାଦ ଭରତ ନନ୍ଦ, ଲଳିତ ନନ୍ଦ, ସତ୍ୟବ୍ରତ ନନ୍ଦ ଓ ପ୍ରଶାନ୍ତ ନନ୍ଦ ବୈତରଣୀ ନଦୀରୁ ପବିତ୍ର ଜଳଘଟ ଉତ୍ତୋଳନ କରି ପୂଜା ଆରମ୍ଭ କରିନ୍ତି । ପୂଜକଙ୍କ ଦ୍ୱାରା କାଳୀପୂଜାରେ ଚଣ୍ଡିପୂରାଣ, କାଳୀକା ପୁରାଣ ଓ ତନ୍ତ୍ରଧାରା ଅନୁଯାୟୀ ସ୍ୱତନ୍ତ୍ର ପୂଜା କାର୍ଯ୍ୟ କରାଯାଇଥାଏ । ତିନି ଦିନ ଓ ତିନି ରାତ୍ର ପୂଜା କରାଯିବା ପରେ ଦ୍ୱିତୀୟା ତିଥିରେ ମା’ଙ୍କୁ ବିସର୍ଜ୍ଜନ ଦିଆଯାଇଥାଏ । ଏହି ଗ୍ରାମବାସୀଙ୍କ ବନ୍ଧୁବାନ୍ଧବମାନେ ପୂଜା ସମୟରେ ଏଠାକୁ ଆସିଥା’ନ୍ତି । କାଳୀଙ୍କ ନିକଟରେ ଅପେରା ପ୍ରଦର୍ଶନ ହେବା ଏକ ପରମ୍ପରା ଭାବେ ଚାଲୁ ରହିଛି । ପୂର୍ବରୁ ମାନସିକଧାରୀ ମାନେ ଏଠାରେ ଛାଗଳ ବୋଦାଦି ବଳି ଦେଉଥିଲା ବେଳେ ଏହି ପ୍ରଥାକୁ ବନ୍ଦ କରିଦିଆଯାଇଛି । ଏବେ ମା’ଙ୍କ ନିକଟରେ କଖାରୁ ବଳି ଦିଆଯାଉଛି । ସ୍ଥାନୀୟ ଅଞ୍ଚଳରେ ଖପୁରିଆପଦା କାଳୀ ପୂଜାର ସ୍ଥାନ ସ୍ୱତନ୍ତ୍ର ।