ଭଦ୍ରାୟଣୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆକର୍ଷଣୀୟ ଷ୍ଟଲ

ଭଦ୍ରକ  : ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଫେବୃୟାରୀ ୧୩ ତାରିଖରୁ ନେହେରୁ ଷ୍ଟାଡ଼ିୟମ ପରିସରରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା, କୃଷିଯାନ୍ତ୍ରିକ ମେଳାକୁ ନେଇ ଆରମ୍ଭ ହୋଇଥିବା ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ୫ ଦିନ ଧରି ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଏକ ସୁସଜ୍ଜିତ ସୂଚନା କେନ୍ଦ୍ର ଖୋଲାଯାଇଥିଲା । ଜିଲ୍ଲାର ସମସ୍ତ ପ୍ରମୁଖ ଦର୍ଶନୀୟ ସ୍ଥାନ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୪୦ଟି ମନ୍ଦିରରୁ ୧୬ଟି ମନ୍ଦିର ଓ ବାବା ଆଖଣ୍ଡଳମଣିଙ୍କ ବିଭିନ୍ନ ବେଶର ଫଟୋଚିତ୍ର ରଙ୍ଗୀନ ଆଲୋକ ଜରିଆରେ ଆକର୍ଷଣୀୟ ଢଙ୍ଗରେ ସୁସଜ୍ଜିତ କରାଯାଇ ପ୍ରଦର୍ଶନ କରାଯାଇଥିଲା । ଏହା ସାଙ୍ଗକୁ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଓଡ଼ିଶା ସରକାରଙ୍କ ମୁଖପତ୍ର ବାର୍ଷିକ ପତ୍ରିକା ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ସୂଚନା କେନ୍ଦ୍ରରେ ସର୍ବସାଧାରଣ ଉଦେ୍ଦଶ୍ୟରେ ବିକ୍ରୟ କରାଯାଇଥିଲା । ଫଟୋଚିତ୍ର ଜରିଆରେ ସ୍ଥାନ ପାଇଥିବା ନିଜ ନିଜ ଅଞ୍ଚଳର ଜଗନ୍ନାଥ ମନ୍ଦିର ଦେଖିବା ପାଇଁ ଷ୍ଟଲ୍ ନିକଟରେ ଦର୍ଶକମାନଙ୍କ ଭିଡ଼ ଲାଗିରହିଥିବା ଦେଖାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଷ୍ଟଲକୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ପୌର ପାଳିକା ନିର୍ବାହି ଅଧିକାରୀ ତାପସରଞ୍ଜନ ସାମଲ ପ୍ରମୁଖ ପରିଦର୍ଶନ କରି ଖୁବ୍ ସୁନ୍ଦର ପ୍ରୟାସ ବୋଲି ପ୍ରଶଂସା କରିଥିଲେ ।