ସିଏଚସିରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଦାବି

ସାଲେପୁର : ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ନଥିବାରୁ ସାଲେପୁର ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଅସ୍ୱାଭାବିକ ମୃତ୍ୟୁ ବରଣ କରିଥିବା ଶବ ଗୁଡିକୁ କଟକ ବଡ଼ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଉଛି । ମୃତକଙ୍କ ସଂପର୍କୀୟମାନେ ଅଯଥାରେ ୧୦ରୁ ୧୨ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାର ସମ୍ମୁଖୀନ ହେଉଛନ୍ତି । ସେହିପରି ମୃତ ଦେହ ଗୁଡିକ ପରଦିନ ବ୍ୟବଚ୍ଛେଦ କରାଯାଉଥିବାରୁ ବାସୀମଢ଼ା ବୋଲି ଲୋକମାନେ ତାକୁ ବିବେଚନା କରିବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କିଶୋରନଗର, ମାହାଙ୍ଗା ନିର୍ବାଚନ ମଣ୍ଡଳୀର କିଛି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ତେଣୁ ନିୟମିତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାଲେପୁର ଅଞ୍ଚଳ ସମେତ ଏହି ସବୁ ଅଞ୍ଚଳର ଲୋକମାନେ ଚିକିତ୍ସିତ ହେବାକୁ ଆସିଥାନ୍ତି । ଚିକିତ୍ସା ସମୟରେ ଯଦି କୌଣସି ରୋଗୀର ମୃତ୍ୟୁବରଣ ହୁଏ, ତେବେ ସେମାନଙ୍କ ଶବକୁ ସରକାରୀ ନିୟମ ଅନୁଯାୟୀ ବ୍ୟବଚ୍ଛେଦ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଦୁଃଖର ବିଷୟ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଅଞ୍ଚଳର ଶବ ଗୁଡିକୁ କଟକ ବଡ଼ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଏ । ଫଳରେ ଶବର ସଂପର୍କୀୟମାନେ ୧୨ରୁ ୨୪ଘଣ୍ଟା ସମୟ ନଷ୍ଟ କରିବା ସହ ୧୦ରୁ ୧୨ହଜାର ଟଙ୍କା ଅଯଥାରେ ଖର୍ଚ୍ଚର ସମ୍ମୁଖୀନ ହୋଇଥାନ୍ତି । ତେଣୁ ସରକାର ଏହି ସବୁ ବିଷୟକୁ ଗୁରୁତ୍ୱ ଦେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ପାଇଁ ସାଲେପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।