ସିଦ୍ଧଳ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ବିଜେ ସିଦ୍ଧଳଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ, ଦେବୋତ୍ତର କମିଶନରଙ୍କ ନିଦେ୍ର୍ଦଶ କ୍ରମେ ସିଦ୍ଧଳ ମନ୍ଦିରର ରକ୍ଷଣାବେକ୍ଷଣ ଓ ଦାୟିତ୍ୱ ନିମନ୍ତେ ଉପ ଜିଲ୍ଲାପାଳଙ୍କୁ ଟ୍ରଷ୍ଟୀ ସହ ସରକାରୀ ଅଧିକାରୀଙ୍କ ସମେତ ଅନ୍ୟ ୮ ଜଣ ମନ୍ଦିର କର୍ତ୍ତୁପକ୍ଷଙ୍କୁ ମିଶାଇ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ଉତ୍ସାହର ସହ ପାଳନ କରାଯିବ । ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାର୍ଯ୍ୟର ତଦାରଖ ନିମନ୍ତେ ରଥଯାତ୍ରାର ସ୍ଥାନକୁ ଯାଇ ସେଠାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପୂର୍ବକ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ଦିର ପରିଚାଳନା କମିଟି ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ । ମନ୍ଦିର ପୁଷ୍କରିଣୀ ର ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା ଓ ଜିଲ୍ଲାପାଳ ଏଥିପାଇଁ ଉପ ଜିଲ୍ଲାପାଳ ଓ ବିଡିଓ ଙ୍କୁ ଦାୟିତ୍ୱ ଦେଇଥିଲେ । ବୈଠକରେ ରଥ ନିର୍ମାଣ, ସିଦ୍ଧଳ ରୁ ପୁରୋହିତପୁର,ସିଦ୍ଧଳ ଛେଳିଆଗଡ଼, ସିଦ୍ଧଳ ରୁ ଢ଼ିଅସାହି ରାସ୍ତା ମରାମତି, ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଆଲୋକ ବ୍ୟବସ୍ଥା , ଗୁଣ୍ଡିଚା ମନ୍ଦିର ନିକଟ କେନାଲ ଉପରେ ସ୍ଲାବ ମରାମତି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ପାନୀୟ ଜଳ ଯୋଗାଣ,ନଳକୂପ ମରାମତି, ବଡ଼ଦାଣ୍ଡ ନିକଟରେ ଡ୍ରେନ ସଫେଇ,ଅଳିଆ ଆବର୍ଜ୍ଜନା ଓ ଚତୁଃପାର୍ଶ୍ୱ ପରିଷ୍କାର ପରିଚ୍ଛନ୍ନତା, ୭ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା ଓ ଅଗ୍ନିଶମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ, ଡିଏସ୍ପି ପ୍ରଭାତ ସେଠୀ, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବଳଦେବଜିଉ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ, ଜ୍ୟୋତି ରଞ୍ଜନ ପରିଡ଼ା, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ସୁର ପ୍ରସାଦ ନାୟକ, ଶରତ ଷଢଙ୍ଗୀ, ମୁଦୁପୁର, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଉପ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।