ବାବା ସ୍ୱପ୍ନେଶ୍ୱରଙ୍କ ଚାପ ଖେଳ
ବାଲିଅନ୍ତା: ମହାଡ଼ମ୍ବରରେ ପାଳନ ହେଉଛି ବାଳକାଟି ଅଞ୍ଚଳର ଆରାଧ୍ୟ ତଥା ପ୍ରସିଦ୍ଧ ପଞ୍ଚୁ୍ଦୋଳ ମେଳଣର ଥାନପତି ସ୍ୱପ୍ନେଶ୍ୱର ଦେବଙ୍କ ଚନ୍ଦନ ଯାତ୍ରା । ୨୧ ଦିନରେ ଏହି ଯାତ୍ରା ପହଞ୍ଚିଥିବା ବେଳେ, ମାତା ପାର୍ବତୀଙ୍କୁ ଧରି ଚାପ ଖେଳୁଛନ୍ତି ବାବା ସପ୍ନେଶ୍ୱର । ଚନ୍ଦନପୋଖରୀରେ ହେଉଥିବା ଭଗବାନଙ୍କ ଏହି ଚାପ ଖେଳ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମୁଛି । ବାବା ସପ୍ନେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ, ଶ୍ରୀ ବାଲୁଙ୍କେଶ୍ୱର ଦେବ ଏବଂ ଶ୍ରୀ ଦୋଳଗୋବିନ୍ଦ ସୁସଜ୍ଜିତ ନୌକାରେ ଚାପ ଖେଳିଥିଲେ । ଶେଷରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ଠାକୁରଙ୍କୁ ପାଲିଙ୍କିରେ ଆଣି ଚନ୍ଦନପୋଖରୀରେ ଚାପ ଖେଳ ଏବଂ ଭଉଁରୀ ଖେଳ ଶେଷ ପରେ ଠାକୁରଙ୍କୁ ଚନ୍ଦନ ପାଣିରେ ସ୍ନାନ କରାଯାଇ ଚନ୍ଦନ ଗୃହରେ ରୁହନ୍ତି । ପରଦିନ ପ୍ରାତଃରୁ ଠାକୁରଙ୍କ ଦୈନନ୍ଦିନ ନୀତିକ୍ରାନ୍ତି ପରେ ରାତିରେ ଚନ୍ଦନ ଗୃହରୁ ଠାକୁରଙ୍କୁ ପାଲିଙ୍କିରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରନ୍ତି । ଯାହାକୁ ନାଗାଜାତ ବା ହଳଦୀପାଣି ଯାତ କୁହନ୍ତି । ଚଳିତବର୍ଷ ୯ ଟି ଗ୍ରାମରୁ ନାଗାଜାତ୍ରା ହେବବୋଲି ଆୟୋଜକ କହିଛନ୍ତି । ଅକ୍ଷୟତୃତୀୟା ଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀ ଦୋଳଗୋବିନ୍ଦ ଏବଂ ଶ୍ରୀ ବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ ବାବା ସ୍ୱପ୍ନେଶ୍ୱର ମନ୍ଦିରକୁ ଆସନ୍ତି । ସେଠାରେ ନୀତିକାନ୍ତି କରାଯାଇ ଗୋଟିଏ ପାଲିଙ୍କିରେ ବାବା ସ୍ୱପ୍ନେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମାତା ପାର୍ବତୀ, ଶ୍ରୀ ଦୋଳଗୋବିନ୍ଦ, ବାଲୁଙ୍କେଶ୍ୱର ଦେବଙ୍କ ଚନ୍ଦନପୋଖରୀକୁ ବିରାଟ ପଟୁଆରରେ ଆସନ୍ତି । ସେଠାରେ ତୁଳସୀ ଚଉରା ନିକଟରେ ଆଳତୀ ପରେ ପୋଖରୀରେ ପ୍ରସ୍ତୁତ ହୋଇ ରହିଥିବା ଡ଼ଙ୍ଗାରେ ଚାପ ଖେଳନ୍ତି । ଚାପ ଖେଳିସାରିଲା ପରେ ଠାକୁରଙ୍କୁ ଚନ୍ଦନ ମଣ୍ଡପକୁ ପାଛୋଟି ନିଆଯାଇ ସେଠାରେ ଚନ୍ଦନ ପାଣିରେ ସ୍ନାନ ପରେ ଠାକୁରଙ୍କୁ ସୁନ୍ଦର ବେଶରେ ସଜାଇ ଯଥା ରୀତିନୀତି ପୂଜାରର୍ଚ୍ଚନା କରାଯାଇଥିଏ । ଠାକୁରଙ୍କ ଏହି ନୀତିକ୍ରାନ୍ତି ଛତିଶା ନିଯୋଗ ସମେତ କୈବର୍ତ୍ତ ସେବାୟତ, ଗୋପାଳ ସେବାୟତ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ସ୍ୱପ୍ନେଶ୍ୱର ଟ୍ରଷ୍ଟ, ମନ୍ଦିର ପରିଚାଳନା କମିଟି, ଚାରିଦେଶର ମୁରବୀ, ପ୍ରତାପଶାସନ ପଞ୍ଚାୟତ ଜନପ୍ରତିନିଧି ପରିଚାଳନା କରିଥିଲେ ।