ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

  ବଡମ୍ବା: ବଡମ୍ବା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ରଗଡିପଦା ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଧାମୋହନ ଜୟସିଂହ ଅବସର ଗ୍ରହଣ କରିଛନ୍ତି ।  ଏ ନେଇ ରଗଡ଼ିପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ଦେଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବିଦାୟ କାଳୀନ ଉତ୍ସବରେ ମୁଖ୍ୟଅତିଥିଭାବେ ବଡମ୍ବା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତଗଜ ସିଂହ, ମୁଖ୍ୟବକ୍ତା ଭାବେ ନରସିଂହପୁର ମଣ୍ଡଳ ପ୍ରାକ୍ତନ ଶିକ୍ଷାଧିକାରୀ ଶ୍ରୀନିବାସ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ । ଚମ୍ପେଇଦ୍ୱାର ଗଡାପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗୋଛି ସହଯୋଗ ପ୍ରଦାନ କରିଥିଲେ । ତେବେ ପ୍ରଥମ ବିଦାୟୀ ଶିକ୍ଷକ ଭାବେ ଚାକିରିକାଳର ସମସ୍ତ ସୁବିଧା ଗ୍ରାଚୁଇଟି, ଅନ ୟୁଟିଲାଇଜଡ ଲିଭ ଏବଂ ତା’ ସହିତ ଚାକିରିଜୀବନର ଶେଷ ପୁଞ୍ଜି ଭାବେ ଫାଇନାଲ ପେନସନ ମଧ୍ୟ ଜୟସିଂହ ପ୍ରାପ୍ତ କରିଛନ୍ତି । ନିଜର କଠିନ ଅଧ୍ୟବସାୟ, ସମୟାନୁବର୍ତ୍ତୀ, ସ୍ଥିତପ୍ରଜ୍ଞ ଗୁଣ ଯୋଗୁଁ ଆଜି ସେ ନିଜର ପ୍ରାପ୍ୟ ପାଇଛନ୍ତି ବୋଲି ଶିକ୍ଷାଧିକାରୀ ମତବ୍ୟକ୍ତ କରିଥିଲେ । ଶେଷରେ କଟକ ଜିଲ୍ଲାର ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତଙ୍କୁ ବିଦାୟୀ ଶିକ୍ଷକ କୃତଜ୍ଞତା ଜ୍ଞାପନ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କୃତୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ବଡମ୍ବାସ୍ଥ ଗୃହକୁ ମେଲାଣି ଦେବାକୁ ଆସିଥିଲେ ।