ହାତୀ ଉପଦ୍ରବରେ ହତାଶ ଚାଷୀ
ନୀଳଗିରି: ହାତୀ ପାଇଁ ହତାଶ ଚାଷୀ । ହାତୀକୁ ଘଉଡାଇବାରେ ବନ ବିଭାଗ ବିଫଳ। ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବା ବେଳେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ସର୍ବସ୍ୱ ହରାଉଛନ୍ତି ଚାଷୀ । ବନବିଭାଗ କ୍ଷତି ପୂରଣ ଦେବାକୁ କହୁଛି କିନ୍ତୁ ହାତୀପଲ ଯାହା କ୍ଷତି କରୁଛନ୍ତି ସେହି ପରିମାଣର କ୍ଷତିପୂରଣ ରାଶି ମିଳୁ ନାହିଁ ବୋଲି କହୁଛନ୍ତି ଚାଷୀ। ସୁଚନା ଯେ, ନୀଳଗିରିକୁ ବିଭିନ୍ନ ସମୟରେ ଝାଡ଼ଖଣ୍ଡୀ ହାତୀପଲ ଓଡ଼ିଶା ସୀମା ପାରି ହୋଇ ମୟୂରଭଞ୍ଜ ଦେଇ ନୀଳଗିରି ରେଞ୍ଜ ଅଧୀନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଦ୍ଧା ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରୁଛନ୍ତି । ହାତୀ ଆସୁଥିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲମୁହାଁ ହେବା ସହ ଫସଲ କ୍ଷେତରେ ପଷି ଦର ପାଚିଲା ଧାନକୁ ଯେତିକି ଖାଉଛନ୍ତି, ତା’ଠୁ ଅଧିକ ଦଳି ମକଚି ନଷ୍ଟ କରୁଛନ୍ତି । ଏଥିରେ ଅଧିକ କ୍ଷତି ସାତରାଣ୍ଡ ଓ ହାତିମୁଣ୍ଡାରେ ଦେଖିବାକୁ ମିଳିଛି । ହେଲେ ଅମଳ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ରବିବାର ଫସଲ କ୍ଷେତରେ ଫଳିଥିବା ଦର ପାଚିଲା ଧାନକୁ ବିକଳରେ ଲେବର ଓ ମେସିନ୍ ଲଗାଇ ଉଠାଇ ଆଣୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହାତୀପଲ ଆସୁଥିବାରୁ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱକୁ ସଂଲଗ୍ନ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାରଣ ବନବିଭାଗ ସଂରକ୍ଷିତ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବାଡ ଗୁଡିକ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଅନ୍ଧାର ରାତ୍ରୀରେ ଖାଦ୍ୟ ଅନ୍ୱେଷଣରେ କେତେବେଳେ ଯେ ହାତୀ ଜନବସତି ମୁହାଁ ହେଇ ଧନ ଜିବନ କ୍ଷତି କରିବ ତାହା କହି ହେବ ନାହିଁ । ତେଣୁ ଗତ ରାତ୍ରୀରେ ଜଗଂଲ ସଂଲଗ୍ନ ଗ୍ରାମବାସୀମାନେ ଉଜାଗର ରହି ନିଆଁ ଧୁନୀ କରି ଗାଁ ମୁଣ୍ଡରେ ଜଗିରହିଥିଲେ । ଝାଡଖଣ୍ଡ ଦଲମା ଜଙ୍ଗଲରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ହାତୀପଲ ଯେପରି ଜନବସତି ମୁହାଁ ହେବେ ନାହିଁ ସେଥିପାଇଁ ନୀଳଗିରି ରେଞ୍ଜର ଓ କୁଲଡିହି ରେଞ୍ଜରଙ୍କ ସହ ୫୦ ରୁ ଉର୍ଦ୍ଧ ବନ କର୍ମଚାରୀ ବିଭିନ୍ନ ଭାଗରେ ବିଭକ୍ତ ହୋଇ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି ।