ସୁକିନ୍ଦାରେ ହାତୀ ଆତଙ୍କ; ରାତିସାରା ଲୋକେ ଉଜାଗର

ସୁକିନ୍ଦା : ଗତ କିଛି ଦିନ ହେବ ସୁକିନ୍ଦା ଅଞ୍ଚଳରେ ଜଙ୍ଗଲି ହାତୀ ଆତଙ୍କ ସୃଷ୍ଟି କରିଛି । ହାତୀ ଭୟରେ ସ୍ଥାନୀୟ ଲୋକେ ରାତି ସାରା ଉଜାଗର ରହିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଅନେକ ଥର ହାତୀ ମାନେ ଧାନ ପାଚିବା ସମୟରେ ସୁକିନ୍ଦା ଆଖପାଖ ଅଞ୍ଚଳରେ ପସନ୍ତି ବିଲରୁ ଧାନ ଖାଇ ଫେରି ଯାଆନ୍ତି । ତେବେ ମଙ୍ଗଳବାର ତିନି ଟିକିଆ ହାତୀ ପଲ୍ଲ ଦଲକି, ପୁରୁଣାପାଣି ଗ୍ରାମ ଓ ରାମକି କାରଖାନାରେ ଭଙ୍ଗାରୁଜା କରିବା ପରେ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଇ ଦେଇଥିଲେ । ସେହି ହାତୀ ପଲ୍ଳ ପୁଣି ଉକ୍ତ ରାତିରେ ମଙ୍ଗଳପୁର ପଟୁ ଆସି ସୁକିନ୍ଦା ହନୁମାନ ଛକରେ ଥିବା ଫଳ ଦୋକାନ ଭାଙ୍ଗି କଦଳୀ କାନ୍ଧି ଖାଇବା ପରେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପାଚେରୀ ଭାଙ୍ଗି ମୁସଲମାନ ସାହି ଦେଇ ରମେଶ ମିଶ୍ରଙ୍କ ଘର ପାଚେରୀ ଭାଙ୍ଗି ରାସ୍ତାକୁ ଉଠିଥିଲେ । ଏହି ହାତୀ ପଲ୍ଲ ଢେଙ୍କାନାଳ କପିଳାସ ଜଙ୍ଗଲରୁ ଆସିଥିବା ସନେ୍ଦହ କରାଯାଉଛି । ଜଙ୍ଗଲି ହାତୀଙ୍କ ମଧ୍ୟରେ ଦୁଇଟି ଦନ୍ତା ହାତୀ ଥିବା ଦେଖିବାକୁ ମିଳିଛି ।ଏହି ତିନୋଟି ହାତୀ ତିନି ଦିଗରେ ଯାଇ ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି । ହାତୀ ପଲ୍ଲ ଆସିଥିବା ଖବର ରାତିରେ ସୋସିଆଲ ମିଡିଆରେ ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନବିଭାଗ କର୍ମଚାରୀ ପୋଲିସ ଓ ଅନେକ ଜନସାଧାରଣ ରାତିରେ ଏକତ୍ରିତ ହୋଇ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ । ବୁଧବାର ସକାଳୁ ଦୁଇ ହାତୀ ସୁକିନ୍ଦା ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲରେ ଥିବା ବେଳେ ଅନ୍ୟ ଏକ ହାତୀର ପତା ମିଳିନାହିଁ । ହାତୀ ପଲ୍ଲଙ୍କୁ ଯଥାଶୀଘ୍ର ଘଉଡାନଗଲେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ବନବିଭାଗ ପକ୍ଷରୁ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି ।