ସୁଧାର ଆସିଛି, ଏବେ ବି ନିୟନ୍ତ୍ରଣ ହୋଇପାରିନି

ଯାଜପୁର : ଯାଜପୁର ଜିଲାକୁ ଅଥୟ କରିଥିବା ଡ଼ାଇରିଆ ନିୟନ୍ତ୍ରଣ ହୋଇପାରୁନି । ଯଦିଓ ଗଲା ୩ଦିନ ଅପେକ୍ଷା ଆଜି ରୋଗୀଙ୍କ ସଂଖ୍ୟା କମ୍‌ ରହିଛି କିନ୍ତୁ ପୁରା ନିୟନ୍ତ୍ରଣକୁ ଆସିପାରିନି ଡ଼ାଇରିଆ । ଡ଼ାଇରିଆକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛନ୍ତି । କାରଣ ଖୋଜିବା ସହ ନିୟନ୍ତ୍ରଣ ନିମିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ପହଞ୍ଚୁଥିଲେ ବି ଖୋଜି ପାଉନାହାନ୍ତି । ଖାଦ୍ୟ, ପାଣିର ନମୁନା ସଂଗ୍ରହ କରାଯାଇଥିବା କଥା କୁହାଯାଉଥିଲେ ହେଁ ସେଥିରୁ କ’ଣ ବାହାରିଲା, ତାହାକୁ ଉନ୍ମୋଚନ କରାଯାଉନି । କିନ୍ତୁ ପ୍ରଶାସନ ପ୍ରଦତ୍ତ ଗାଇଡ଼ଲାଇନ ମାନି ଚଳିବାକୁ ଲୋକ ମାନଙ୍କୁ ସଚେତନ କରୁଛି । କିନ୍ତୁ ଏପଟେ ଦାନଗଦୀ ବ୍ଲକ ତରାଇଲୋରେ ଜଣେ ରୋଗୀ ଆଜି ମୃତ୍ୟୁ ବରଣ କରିଥିବାର ଖବର ଆସିଛି । ହେଲେ ଏହାକୁ ପ୍ରଶାସନ ସ୍ପଷ୍ଟ କରିନି । ତେବେ ଆଜିର ମୃତ୍ୟୁ ପରେ ଜିଲାରେ ଏହି ସଂଖ୍ୟା ୧୧ରେ ପହଞ୍ଚିଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଦୀକୂଳ ଅଞ୍ଚଳରେ ଡ଼ାଇରିଆ ବ୍ୟାପିବାରେ ଲାଗିଛି । ଡ଼ାଇରିଆ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ହେଁ ୪ଦିନ ପରେ ବି ଡ଼ାଇରିଆ ବ୍ୟାପୁଥିବା ଅଞ୍ଚଳରେ ଖୋଲ ମେଲାରେ ଚାଲିଥିବା ଖାଦ୍ୟ ଦୋନାକକୁ ସିଲ କରିବାକୁ ପ୍ରଶାସନ ଫେଲ ମାରିିଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶାସନ ସଚିବ ଗିରିଶ ଏସ.ଏନ୍‌, ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଓ ଇଞ୍ଜନିୟରିଂ ଇନ୍‌ଚିଫ୍‌ ବଳରାମ ମିଶ୍ର ଡାଇରିଆ ପ୍ରଭାବିତ ଧର୍ମଶାଳା ବ୍ଲକର ଅଞ୍ଜିରା ପଞ୍ଚାୟତ ଗୋଡ଼ିପାଟିଆ ଗାଁ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ଜଳଉତ୍ସ ଗୁଡ଼ିକର ଡିସଇନଫେକ୍ସନ୍‌ ଦେଖିଥିଲେ । ପରେ ଜେନାପୁର ପଞ୍ଚାୟତ ଓ ରସୁଲପୁର ବ୍ଲକର ଗୋପାଳପୁର ଗାଁ ପରିଦର୍ଶନ କରିଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଡିସଇନଫେକ୍ସନ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ସୁପର କ୍ଲୋରିନେସନ୍‌ କରାଯିବା କଥା କହିଥିଲେ । ଭୋଜି ଭାତରେ ବ୍ୟବହୃତ ହେଉଥିବା ବୋତଲ ପାଣି, ଡ୍ରମ ପାଣିର ସୋର୍ସ ଚେକ୍‌ କରାଯିବ ଏବଂ ଏହାର ନମୁନା ପରୀକ୍ଷା କରାଯିବା କଥା କହିଥିଲେ । ଜିଲ୍ଲାର ୧୦ ବ୍ଲକରେ ଆଉ ୪ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଡିପ୍ଲଏ କରାଯିବ । ସେହିପରି ଡାଇରିଆ ନିୟନ୍ତ୍ରଣ ନିମନ୍ତେ ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ପ୍ରତିସଂକ୍ରମଣକୁ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ସ୍ତରରେ ଖାଇବା, ରାନ୍ଧିବା ଓ ପିଇବା ପାଇଁ ବ୍ୟବହାର ହେଉଥିବା ଜଳଉତ୍ସ ଗୁଡ଼ିକ ଉପଯୁକ୍ତ ଭାବେ ଡିସ୍‌ଇନଫେକ୍ସନ୍‌ କରାଯାଇଛି କି ନାହିଁ, ପ୍ରତି ବ୍ଲକ୍‌ ପଏଣ୍ଟରେ ବ୍ଲିଚିଂପାଉଡର ପହଞ୍ଚାଇବା, ସମସ୍ତ ସରକାରୀ ଓ ଘରୋଇ ଜଳଉତ୍ସ ଗୁଡ଼ିକ ବିଶୁଦ୍ଧିକରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରଜ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲୁଥିବାରୁ ପ୍ରତ୍ୟେକ ବିଦ୍ୟାଳୟ ପରିସର ଓ ଆବାସିକ ବିଦ୍ୟାଳୟରେ ଥିବା ଜଳଉତ୍ସ ଗୁଡ଼ିକ ବିଶୁଦ୍ଧିକରଣ ପରାମର୍ଶ ଦେଇଥିଲେ ଜିଲାପାଳ । ସରକାରୀ ଭାବେ ଡ଼ାଇରିଆ ପ୍ରକୋପ କମିଥିବା କଥା କୁହାଯାଇଛି । କୁହାଯାଇଛି କି ମୁଖ୍ୟ ଚିକିତ୍ସାଳୟରେ ୧୧୨ ଜଣ ରୋଗିଥିବା ବେଳେ ଆଉ ୧୮ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଜିଲାର ଧର୍ମଶାଳା, ଦାନଗଦୀ, ରସୁଲପୁର, ବ୍ୟାସନଗର, ସୁକିନ୍ଦା ପ୍ରଭୂତି ଅଞ୍ଚଳ ମାନଙ୍କରେ କେତେ ରୋଗୀ ଚିକିତ୍ସିତ ହେଉଛନ୍ତି ତାର ହିସାବ ରଖି ନାହାନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ  ଯୁଧିଷ୍ଠିର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ତାପସ ରଂଜନ ଦେହୁରୀ, ଅଧିକ୍ଷଣ ଯନ୍ତ୍ରୀ, ଆର. ଡବ୍ଲ୍ୟୁଏସଏସ, ସିଡିଏମଓ, ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ  ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 
ଚତୁର୍ଥ ଦିନରେ ଜଣେ ମୃତ;ଚିନ୍ତା ବଢ଼ାଉଛି ତରାଇଲୋ
ଦାନଗଦୀ : ଦାନଗଦୀ ବ୍ଲକରେ ଡ଼ାଇରିଆ ବ୍ୟାପିବାର ଚତୁର୍ଥ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ଲକର ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗାଁରେ ଯେଉଁଠି କି ୭୦ ରୁ ଉର୍ଦ୍ଧ ଲୋକ ୪ଦିନ ଭିତରେ ଆକ୍ରାନ୍ତ ହୋଇଛନ୍ତି । ଗଲା ଦୁଇଦିନ ତଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଗାଁର ନିଶାକର ପୃଷ୍ଟିଙ୍କ ପୁଅ ଘନଶ୍ୟାମ (୭୦) ବୋଲି ଜଣାପଡିଛି । ଏବେ ସୁଦ୍ଧା ଏହି ତରାଇଲୋ ଗାଁ ରେ ସ୍ୱାସ୍ଥ୍ୟ ଶିବିର ଚାଲୁ ରହିଛି । ଆଜି ସନ୍ଧ୍ୟାରେ ପୁଣି ଜଣେ ଜଣେ ରୋଗୀଙ୍କ ସଂଖ୍ୟା ଦାନଗଦୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି । କଂଗ୍ରେସର ବିଭୂଭୂଷଣ ରାଉତ, ଦୟାନିଧି ପଲେଇଙ୍କ ସହ ଏକ ଟିମ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କୁ ଦେଖିବା ସହ ମେଡିକାଲ ଅଫିସରଙ୍କ ସହ ଆଲୋଚନା କରିଥିଲେ । ପରେ ତରାଇଲୋ ଗାଁ ରେ ଆକ୍ରାନ୍ତ ଓ ମୃତ ବ୍ୟକ୍ତି ମାନଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ  ଡାକ୍ତରୀ ଟିମଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । 
ଚାରି ଜଣଙ୍କୁ ପଠାଗଲା କଟକ
ସୁକିନ୍ଦା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।  ଶୁକ୍ରବାର ଦିନ ବିଭିନ୍ନ ଅଞ୍ଚଳର ୧୭ ରୋଗୀ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ସୁକିନ୍ଦା ନଦିକୁଳ ଅଞ୍ଚଳର ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ନଦୀକୂଳ ଅଞ୍ଚଳର ବିଭିନ୍ନ ଗ୍ରାମରେ ପହଞ୍ଚି ଆବଶ୍ୟକୀୟ ସେବା ଯୋଗାଇବା ସହ ସଚେତନ ରହିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ସୁଧୁରୁଛି ବ୍ୟାସନଗର ଓ ଧର୍ମଶାଳା ସ୍ଥିତି
ବ୍ୟାସନଗର/ଧର୍ମଶାଳା : ଡ଼ାଇରିଆ ବ୍ୟାପିବା ଆରମ୍ଭରୁ ବ୍ୟାସନଗର ଏବଂ ଧର୍ମଶାଳାରେ ଆତଙ୍କ ସୃଷ୍ଟି କରିଥିଲା । ଶହଶହ ସଂଖ୍ୟାର ରୋଗୀ ଦିନକରେ ମେଡ଼ିକାଲରେ ହେଉଥିଲେ ଭର୍ତ୍ତି । ତେବେ ଚତୁର୍ଥ ଦିନରେ ସ୍ଥିତିରେ ସୁଧାର ଆସିଛି । ବ୍ୟାସନଗର ପୈାରାଞ୍ଚଳରୁ ୧୮ଜଣ ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ମେଡ଼ିକାଲକୁ ୫ଜଣ ରୋଗୀ ଆସିଥିବାର ଜଣାପଡ଼ିଛି । ସେହିପରି ଧର୍ମଶାଳା ବ୍ଲକର ବିଭିନ୍ନ ଗ୍ରାମରେ ଆଜି ସୁଦ୍ଧା  ୨୧୩ ଜଣ  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ବେଳେ ୭ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୧୭୭ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୯ଜଣ ଝାଡାବାନ୍ତି ରୋଗୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତଙ୍କ ମଧ୍ୟରେ ଅଧିକାଂଶ ଧର୍ମଶାଳା ବ୍ଲକର ପାଖର, ମହିଶରା ଓ ଅଞ୍ଜିରା ପଂଚାୟତର ହୋଇଥିବା ଜଣାଯାଇଛି ।  ଆଜି ଖାଦ୍ୟ ସୁରକ୍ଷା ୟୁନିଟର ଏକ ଟିମ ଧର୍ମଶାଳା ବ୍ଲକ ଅଞ୍ଚଳରେ ବିଭିନ୍ନ ଢାବା ଏବଂ ରେଷ୍ଟୁରାଣ୍ଟ ବୁଲି ବାସି ଖାଦ୍ୟକୁ ନଷ୍ଟ କରିବା ସହିତ ଏଠାରେ ବ୍ୟବହୃତ ପାଣିର ନମୁନା ସଂଗ୍ରହ କରି ନେଇଛନ୍ତି । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଆଜି ପୁର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ଜାରକା ଶଂଖାରିଢିହ ଠାରେ ଥିବା ବିଭିନ୍ନ ହେ।।ଟେଲ ଓ ଢାବା ଗୁଡିକରେ ଚଢାଉ କରି ବାସି ଖାଦ୍ୟକୁ ନଷ୍ଟ କରିବା ସହିତ ହୋଟେଲରେ ବ୍ୟବହାର କରାଯାଉଥିବା ପାଣିର ନମୁନା ସଂଗ୍ରହ କରି ନେଇଛନ୍ତି ।