ସୁନାର ସୁକିନ୍ଦାରେ ଡାଲାରେ ମଣିଷ.... ପେଟ ପାଇଁ ବାଜିରେ ଜୀବନ


ାା ପ୍ରଭାନୁ୍ୟଜ ।ା ଟମକା: ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଯେଉଁଠି ମାଳ ମାଳ ଶିଳ୍ପ ଓ ଖଣି ଥାଇ ମଧ୍ୟ ଏଠିକାର ଭୂମିପୁତ୍ର ମାନେ ସାମାନ୍ୟ ପେଟ ପାଇଁ ଦାନା ଯୋଗାଡି ପାରୁନାହାନ୍ତି । ନେତାଙ୍କ ଭାଷଣରେ ଏହା ସୁନାର ସୁକିନ୍ଦା ସତ କିନ୍ତୁ ଏଠିକାର ବାସ୍ତବିକ୍ ସ୍ଥିତି କିନ୍ତୁ ଭିନ୍ନ । ଏଠିଗରୀବ ଲୋକର ରାତି ପାହିଲେ ପେଟ ଚିନ୍ତା । ମୁଣ୍ଡରେ ପରିବାର ସହ ପିଲା ଛୁଆଙ୍କ ଆହାର ଅନ୍ୱେଶଣର ଦାୟିତ୍ୱ । ବର୍ଷ ଯାକ ଏଭଳି ପରିସ୍ଥିତି ମଧ୍ୟରେ ଏହି ଲୋକ ମାନେ ଦହଗଞ୍ଜ ହେଉଥିବା ବେଳେ ଏବେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ଗାଁ ଗହଳିରେ ଥିବା ଅଭାବି ଲୋକଙ୍କ ପେଟକୁ ଦାନା ଯୋଗାଉଛି । ହେଲେ ଏହି ପେଟ ପାଇଁ ଅନେକ ଲୋକଙ୍କ ଜୀବନ ବାଜି ଲାଗୁଥିବା ଦେଖିବାକୁ ମିଳୁଛି । ମାଲ୍ ପରିବହନ ଗାଡିରେ ବସ୍ତା ଭଳି ଲଦା ଯାଇ ମଣିଷଙ୍କୁ ପରିବହନ କରାଯାଉଛି । ଏଭଳି ଚିତ୍ର ଦିନେ କି ଦୁଇ ଦିନର ନୁହେଁ ମାସ ମାସ ଧରି ଏଭଳି ବିପଦପୂର୍ଣ୍ଣର୍ ଯାତ୍ରାର ଚିତ୍ର ନଜର ଆସୁଥିବା ବେଳେ ଏଦିଗରେ ସମସ୍ତେ ନୀରବ । ଯାହା ପରିତାପର ବିଷୟ । ଖବର ମୁତାବକ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ବିଳମ୍ବ କରିଥିବା ବେଳେ ଚାଷ ପାଇଁ ଚାଷୀ ଏନେଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି । ତେବେ ଏହି ଚାଷ କାର୍ଯ୍ୟ ପାଇଁ ଲୋକଙ୍କ ଆବଶ୍ୟକତା ପଡୁଥିବା ବେଳେ ଏନେଇ ଗାଁ ଗହଳିରେ  ଥିବା ଖଟିଖିଆ ଦିନ ମଜୁରିଆ ଲୋକଙ୍କର ଖୋଜାପଡେ । ଏହି କ୍ରମରେ ଦାନଗଦୀ ବ୍ଲକ୍ ଅଞ୍ଚଳରେ ମଧ୍ୟ ଏହି ଦିନ ମଜୁରିଆ ଲୋକଙ୍କୁ ଚାଷ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସକାଳ ପାହିଲେ ଚାଷୀଙ୍କ ଚିନ୍ତା । ତେବେ ଅନ୍ୟ ସ୍ଥାନରେ ଏହି ଖଟିଖିଆ ଲୋକଙ୍କ ଅଭାବ ପରିଲକ୍ଷିତ ହେଉଥିବା ବେଳେ ଟମକା ଓ ଆଖପାଖ ଅଞ୍ଚଳରେ ଏହି ଲୋକଙ୍କ ପାଇଁ ଚାଷୀଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଚିତ୍ରୀ, ଗୋବର୍ଦ୍ଧନୁପର, ଓସ୍ତପାଳ, ନଚ୍ଛିପୁରା, ଟୋଲକାନୀ, ଜଅଁର, ଫୁଲଝର, ଶାଳିଜଙ୍ଗା ଇତ୍ୟାଦି ଅଞ୍ଚଳରେ ଚାଷ କାର୍ଯ୍ୟରେ ନିୟୋଜିତ ପାଇଁ ଟମକା, ବୁରୁଡିସାହି, କିଆଝର, ରାଇଘାଟି, ଟୁଙ୍ଗେଇଶୁଣି, ଚମ୍ପାଝର, ଇଟାଝର ଅଞ୍ଚଳରୁ ଲୋକମାନଙ୍କୁ ନିଆଯାଉଛି । ତେବେ ଏହି ଲୋକମାନଙ୍କୁ ନେବା ପାଇଁ ମାଲବୁହା ଗାଡିକୁ ବ୍ୟବହାର କରୁଥିବାର ଦେଖାଯାଇଛି । ପିକଅପ୍, ଡାଲା ଅଟୋ, ଟାଟା ଏସି ଭଳି ଗାଡିରେ ଏହି ଲୋକମାନଙ୍କୁ ବୁହା ଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ଗାଡଇ ଡାଲାରେ ୩୦/୪୦ ଜଣ ମହିଳା ପୁରୁଷ ଲୋକଙ୍କୁ ଖୁନ୍ଦାଖୁନ୍ଦି ଭାବେ ଭର୍ତ୍ତି କରି କ୍ଷେତ ଅଞ୍ଚଳକୁ ନିଆ ଯାଉଥିବା ଦେଖିବାକୁ ମିଳିଛି । ଲୋକମାନେ ଜୀବିକା ପାଇଁ ବାଧ୍ୟ ହୋଇ ଡାଲାରେ ବସି ଯାଉଥିବା ପରିଲକ୍ଷିତ ହୋଇଛି । ତେବେ ଏଭଳି ବିପଦପୂର୍ଣ୍ଣ ଯାତ୍ରା ପ୍ରତିଦିନ କରାଯାଉଥିବା ବେଳେ କେତେବେଳେ ଯେ ଅଘଟଣ ନଘଟିବ ସେ ଆଶା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ତେବେ ଏଥି ପାଇଁ ଦାୟି କିଏ? ଏହା ଚାଷ କାର୍ଯ୍ୟରେ ନିୟୋଜିତ କରିବାବୁ ନେଉଥିବା ମାଲିକର ଭୂଲ? ନା ପେଟ ପାଇଁ ବାଧ୍ୟରେ ଲଦା ଲଦି ହୋଇ ଡାଲାରେ ଯିବା ଏହି ଲୋକଙ୍କ ଭୂଲ? ସେ ଯାହା ବି ହେଉ ଯଦି ଅଘଟଣ ଘଟେ ଏଥି ପାଇଁ ଦାୟୀ କିଏ  ରହିବ? ଏଭଳି ପ୍ରଶ୍ନକୁ ଗୁରୁତ୍ୱର ସହ ନେଇ ପରିବହନ ବିଭାଗ ଠାରୁ ଆରମ୍ଭ କରି ପୁଲିସ୍ ପ୍ରଶାସନ ଗାଡି ତଦାରଖ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି ହୋଇପଡିଛି ।