‘ସୁଭଦ୍ରା’ରୁ ବାଦ୍ ପଡିଲେ ଯୋଗ୍ୟ ହିତାଧିକାରୀ 

 ପାପଡାହାଣ୍ଡି: ରାଜ୍ୟରେ ବିଜେପି ସରକାର ନିଜର ଦୃଢ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ଼ କରିବା ଓ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସୁଭଦ୍ରା ଯୋଜନା ବାହାର କଲେ ଓ ତିନି ଗୋଟି ପର୍ଯ୍ୟାୟରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ପାଞ୍ଚ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କଲେ । କିନ୍ତୁ ପରିତାପର ବିଷୟ ଯେ, ସମସ୍ତ ପ୍ରକାର ମାନଦଣ୍ଡ ଥିବା ସର୍ତ୍ତ ଅନେକ ଯୋଗ୍ୟ ହିତାଧୀକାରୀ ଏଥିରୁ ବାଦ୍ ପଡିଛନ୍ତି ।
ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଗାଦବାକତ୍ରା ପଞ୍ଚାୟତ ସଦର ମହକୁମାର ହିତାଧୀକାରୀ ହିରାମଣି  ଗାଦବା ଓ ଟଭା  ଗାଦବା ଜମିବାଡି କିଛି ନାହିଁ । ଦୁଇ ପରିବାର ଭୂମିହୀନ । ଦୁଇ ଜଣ ମହିଳା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଫର୍ମ ପୂରଣ କରି ଆବେଦନ କରିଥିଲେ । ସୁଭଦ୍ରା ସହାୟତା ଆସିବା ନେଇ ଅନେଇ ବସିଥିଲେ କିନ୍ତୁ ତୃତୀୟ ପର୍ଯ୍ୟାୟରେ ବି ସହାୟତା ଆସିଲା ନାହିଁ । ପରେ ଜାଣିବାକୁ ପାଇଲେ ଯେ, ସେମାନେ ସରକାରଙ୍କ ନିୟମ ଅନୁଯାୟୀ ଅଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ପାଞ୍ଚ ଏକର ଜମିଥିବା ନେଇଁ ସୁଭଦ୍ରା ଯୋଜନାରୁ ବାଦ୍ ପଡିଛନ୍ତି । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ହେଁ କିପରି ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଗଲା ଓ ସରକାରଙ୍କ ଏହି ମହତ୍ ଯୋଜନାରେ ସାମିଲ କରାଗଲା ନାହିଁ । ତାକୁ ନେଇ ହିରାମଣି ଓ ଟଭା ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଆମେ ପାପଡ଼ାହାଣ୍ଡି ବିଡିଓ କପିଳଦେବ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ କି ସିଡିପିଓଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଟିମ୍ ତଦାରଖ କରିବା ପରେ ସେମାନଙ୍କୁ ଯୋଗ୍ୟ ବିବେଚିତ କରାଯିବ । ତେଣୁ ନିରପେକ୍ଷ ତଦନ୍ତ କରି ସେମାନଙ୍କୁ ଯୋଗ୍ୟ ବିବେଚିତ କରାଯାଇ ଏହି ମହତ ଯୋଜନାରେ ସାମିଲ କରିବା ପାଇଁ ଦୁଇ ହିତାଧୀକାରୀ ପ୍ରଶାସନକୁ ଗୁହାରି କରିଛନ୍ତି ।