‘ସୁକିନ୍ଦାରେ ଖଣିଜ ସମ୍ପଦ ସହ ମାନବ ସମ୍ପଦର ଉପଯୋଗ ହେଉ’
ଦାନଗଦୀ: ସୁକିନ୍ଦା ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ଆଜି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଶାସକ ଏବଂ ପ୍ରଶାସନ ଉପରେ ବର୍ଷିର୍ଛନ୍ତି । ଶ୍ରୀ ରାଉତ ଦାନଗଦୀ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି କି ଆଜି ପର୍ଯ୍ୟନ୍ତ ବିସ୍ଥାପିତ ମାନେ ନାର୍ଯ୍ୟଦାବି ପାଇପାରୁ ନାହାନ୍ତି । ହକ ମାଗିବାକୁ ଯାଇ ମାଡ଼ ଖାଇବା ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ସେ କ୍ଷୋଭର ସହ କହିଥିଲେ କି କମ୍ପାନୀଙ୍କୁ ସୁକିନ୍ଦାର ଖଣି, ପାଣି, ଜମି, ରାସ୍ତା, ପରିବେଶ ବେପାର କରିବା ପାଇଁ ଭଲ ଲାଗୁଛି । କିନ୍ତୁ ସୁକିନ୍ଦାବାସୀଙ୍କୁ ଦେଖିଲା ବେଳକୁ ଭଲ ଲାଗୁନାହିଁ । ସ୍ଥାନୀୟ ଲୋକଙ୍କୁ ଘୃଣା କରିବା ସହ ମାଡ଼ ମାରୁଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ୧୦ଗୋଟି ଦାବି ନେଇ ସାମ୍ବାଦିକ ସମ୍ବିଳନୀରେ ଶ୍ରୀ ରାଉତ୍ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଗୁଡିକୁ ଉପଯୁକ୍ତ କ୍ଷତିପୂରଣ ଦେଇ ଥଇଥାନ କରାଯାଉ ବୋଲି ଉପସ୍ଥାପନ କରିଥିଲେ । ବିସ୍ଥାପିତଙ୍କୁ ଅନ୍ୟତ୍ର ବଦଳିର ଭୟ ଦେଖାଇ ସ୍ୱେଛାକୃତ ଅବସର ନେବା ପାଇଁ ବାଧ୍ୟ କରା ନଯାଉ, ଦ୍ୱିତୀୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ହେବା ଠାରୁ ଆଦିବାସୀଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାକୁ ତୁରନ୍ତ ବନ୍ଦ କରାଯାଉ । ତୃତୀୟରେ ଗତ ଜାନୁଆରୀ ମାସ ୨୮ ତାରିଖରେ ନୀଳାଚଳ ଇସ୍ପାତ କାରଖାନା ଆଗରେ ଆଦିବାସୀ ମାନଙ୍କ ଉପରେ ଯେଉଁ ଅମାନବୀୟ ଅତ୍ୟାଚାର ହୋଇଛି ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
କଳିଙ୍ଗନଗର ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଉ, ସ୍ଥାନୀୟ ଠିକାଦାରଙ୍କୁ ଅଧିକ କାମ କରିବାର ସୁଯୋଗ ଦିଆଯାଉ । କଳିଙ୍ଗନଗର ଅଞ୍ଚଳରେ ଶିଳ୍ପ ପାଇଁ ବାୟୁ ଜଳ ପ୍ରଦୂଷିତ ହେଉଛି ଲୋକମାନେ ଅସୁସ୍ଥ ହୋଇଗଲେଣି ତେଣୁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ତୁରନ୍ତ ନିର୍ମାଣ କରାଯାଉ । ଯେ ପର୍ଯ୍ୟନ୍ତ ନହୋଇଛି ଟାଟା ମେଡିକାରେ ଶିଳ୍ପ ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉ । କଳିଙ୍ଗନଗର ଅଞ୍ଚଳର ବିସ୍ଥାପିତ, କ୍ଷତିଗ୍ରସ୍ତ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ବୈଷୟିକ ତାଲିମ କେନ୍ଦ୍ର ତୁରନ୍ତ କରି ତାଲିମ ଦିଆଯାଉ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଉପୁଜୁଥିବା ଟ୍ରାଫିକ ସମସ୍ୟା, ଭାରୀଯାନ ଚଳାଚଳ ନିୟନ୍ତ୍ରଣ, ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ସମୟ ସୀମା କରାଯାଉ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ, ବାୟୁ ଏବଂ ଟ୍ରାଫିକ ଜନିତ ପ୍ରଦୂଷଣ ରୋକିବା ପାଇଁ ଜନ ଜୀବନ ବଞ୍ଚାଇବା ପାଇଁ ଉଚିତ ପଦକ୍ଷପ ନିଆଯାଉ ଶେଷରେ ଶିଳ୍ପ ଓ ଖଣି ଅଞ୍ଚଳରେ ଭୂତଳ ଜଳ ଉପଯୋଗକୁ ନିୟତ୍ରଣ କରାଯାଉ । ଏସବୁ ଦାବିକୁ ତୁରନ୍ତ କମ୍ପାନୀ ଓ ଜିଲାପ୍ରଶାସନ କାର୍ଯକାରୀ ନକଲେ ଆଗାମୀ ଦିନରେ କଂଗ୍ରେସ ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଁଚି ଅଭିଯୋଗ କରିବା ସହ ଜନସାଧାରଣଙ୍କର ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓଲ୍ଲାଇବ ସେଥିପାଇଁ ଯାହା ବି ପରିସ୍ଥିତି ସୃଷ୍ଟି ହେବ ପ୍ରଶାସନ ସେଥିପାଇଁ ଦାୟୀ ରହିବ ବୋଲି କଂଗ୍ରେସର ବରିଷ୍ଠ ନେତା ଶ୍ରୀ ରାଉତ ଚେତାବନୀ ଦେଇଛନ୍ତି । ତାହାସହ ଆଜି ପର୍ଯ୍ୟନ୍ତ କଳିଙ୍ଗନଗର ବାସିନ୍ଦାଙ୍କ ପାଇଁ ସରକାର କ’ଣ ସବୁ କରିଛନ୍ତି ତାର ଏକ ଶେତ୍ୱ ପତ୍ର ସର୍ବସାଧାରଣରେ ଦିଅନ୍ତୁ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ବିଳନୀରେ ବିଭୂତି ଭୂଷଣ ରାଉତ, ହିନ୍ଦୁ ଯାମୁଦା, ସ୍ୱର୍ଣ୍ଣଲତା ବାନରା, ସ୍ୱପ୍ନା ବେହୁରା, ରଣଜିତ ରାଜ, ମହେନ୍ଦ୍ର ଦାସ, ବାବୁଲି ପୂର୍ତୀ, ଦୟାନିଧି ପଲେଇ, ଉମାକାନ୍ତ ଜେନାମଣି, ବାଙ୍କନିଧି ଜେନା, ବିରଂଚି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।