ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା

 ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି ସୁଚନା ଅଧିକାର ଆଇନ -୨୦୦୫ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ବିଶ୍ୱଜିତ୍ ବର୍ମନ୍ ଏବଂ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗଦେଇ ଉପସ୍ଥିତ ସମସ୍ତ ଜନ ସୂଚନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଶିବିରରେ ସୁଚନା ଅଧିକାର ଆଇନ ଉପରେ ବିଶେଷ ଜ୍ଞାନ ଆହରଣ କରିବା ସହ ପୋର୍ଟାଲରେ ଆବଶ୍ୟକ ଅପଲୋଡ କରିବାକୁ କହିଥିଲେ । ସୂଚନା ଅଧିକାର ଆଇନ- ୨୦୦୫ ବଳରେ ଜନ ସାଧାରଣଙ୍କ ଦ୍ୱାରା ଆଗତ ଆବେଦନକୁ ଗ୍ରହଣ,ତଥ୍ୟ ପ୍ରଦାନ,ସମୟ ସୀମା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ମାଷ୍ଟର ଟ୍ରେନର ରଶ୍ମୀ ରଞ୍ଜନ ରାଉତ ସମସ୍ତ ଏଫ୍ଏଏ ଏବଂ ପି ଆଇ ଓ ମାନଙ୍କୁ ସୁଚନା ଅଧିକାର ଆଇନ ଉପରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମାର୍ଚ୍ଚ ୩୧ ,୨୦୨୫ ସୁଦ୍ଧା ଯେଭଳି ସମସ୍ତ କାର୍ଯ୍ୟାଳୟରେ ଅନଲାଇନ୍ ପୋର୍ଟାଲ ରେ ୧୭ ଟି ମାନୁଆଲରେ  ସ୍ୱଚ୍ଛାକୃତ ସୂଚନା,୪ (୧)( ଖ)ର ଅଧିନିୟମ ଓଡ଼ିଆ ଏବଂ ଇଂରାଜି ଭାଷା ରେ ଉପଲବ୍ଧ ହେବ ତା ଉପରେ ବିଶେଷ ଗୁରୁତ୍ୱ ଦେଇ ତାଲିମ ପ୍ରଦାନ କରିଥିଲେ ।ମାଷ୍ଟର ଟ୍ରେନର ସୁଚନା ଅଧିକାର ଆଇନ, ସ୍ୱଚ୍ଛାକୃତ ସୁଚନା, ନାଗରିକର ସୂଚନା ଅଧିକାର,ସମୟ ସୀମା, ଆର୍ ଟି ଆଇ -ସି ଏମ ଏମ, ରେଜିଷ୍ଟର ,ସୂଚନା ପ୍ରଦାନ ଫିସ୍ ଉପରେ ବିଶେଷ ପ୍ରଶିକ୍ଷଣ ଦେଇଥିଲେ । ପିଆଇଓ ମାନେ ସୂଚନାଅଧିକାର ଆଇନ ଉପରେ ନିଜ ନିଜର ସନେ୍ଦହ ପ୍ରଶ୍ନ ପଚାରି ବୁଝିଥିଲେ । କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକଙ୍କ ସହ ସମସ୍ତ ମୁଖ୍ୟ ବିଭାଗୀୟ କାର୍ଯ୍ୟଳୟ,ବ୍ଲକ୍,  ତହସିଲ, ଆଇସିଡିଏସ, ବିଇଓ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଉପସ୍ଥିତ ଥିଲେ ।