ଇନ୍ଦୁ ଭୂଷଣ ଭୂୟାଁ : ପୃଥିବୀ ସୃଷ୍ଟିର ଅନେକ ରହସ୍ୟ ମଧ୍ୟରୁ ଗୋଟିଏ ଗ୍ରହଣୀୟ ଯେ ଏହା ଉତ୍ତପ୍ତ ଗ୍ୟାସୀୟ ତରଳପଦାର୍ଥର ଶୀତଳୀକୃତ ଏକ କଠିନ ଆବରଣଯୁକ୍ତ ପିଣ୍ଡ । ସହସ୍ର ନିୟୁତ ବର୍ଷ ଧରି ପ୍ରାକୃତିକ ଶକ୍ତିଗୁଡ଼ିକ ପ୍ରଭାବରେ କଠିନ ଶିଳା ବିତାଡ଼ିତ, ବିଖଣ୍ଡିତ ତଥା ବିଘଟିତ ହୋଇ ସୃଷ୍ଟି କରିଛି ମାଟି, ଯାହା ଭୂପୃଷ୍ଠକୁ ଆଚ୍ଛାଦିତ କରି ରଖିଛି । ସେ ସୁଉଚ୍ଚ ଗିରିଶୃଙ୍ଗ ହେଉ କିମ୍ବା ସମୁଦ୍ର ଚଟାଣ ଅବା ସୁବିସ୍ତୃତ ସମତଳ ପ୍ରାନ୍ତର ସବୁଠି ମାଟିର ଉପସ୍ଥିତି ଦୃଶ୍ୟମାନ । କେବଳ ଫରକ ଆକାର, ସଙ୍ଗଠନ, ସଂରଚନା ଆଉ ରଙ୍ଗରେ । ମାଟିର ଏମିତି ବିଭିନ୍ନତା ପଛରେ ରହିଛି କେବଳ ଭୌଗୋଳିକ, ଜଳବାୟୁ ଏବଂ ଶିଳାଉତ୍ସର ବିବିଧତାଗତ କାରଣ । ଏସବୁ ସତ୍ତେ୍ୱ ମାଟି ସର୍ବତ୍ର ସାଜିଛି ସୃଷ୍ଟି ସର୍ଜନାର ମୂଳମନ୍ତ୍ର । ଏକକୋଷୀ ଜୀବରୁ ଆରମ୍ଭ ହୋଇଥିବା ଜୀବନ୍ତ ପୃଥିବୀର ଅଭିଯାନ ବିବର୍ତ୍ତନବାଦକୁ ଆୟୁଧ କରି ସମ୍ପ୍ରତି ପହଞ୍ôଚଛି ମଣିଷ ପରି ଉନ୍ନତ ଜୀବ ଓ ବୃକ୍ଷଲତା ପାଖରେ । ଏହି କାମରେ ମାଟି ଯେ କେବଳ ଜୀବସତ୍ତାର ପ୍ରାରମ୍ଭିକ କର୍ତ୍ତା ସାଜିଛି ତା ନୁହେଁ ବରଂ ଖଞ୍ଜି ଦେଇଛି ଜୀବିକାର ଉତ୍ସ, ଅମାପ ପ୍ରାକୃତିକ ସମ୍ପଦର ଭଣ୍ଡାର ଆଉ ଅଜାଡ଼ି ଦେଇଛି ଅକଳନୀୟ ଶକ୍ତିର ଉତ୍ସ । ହେଲେ ସମୟକ୍ରମେ ମାଟି ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ଆସିଥିବା ମଣିଷର ଆର୍ଥିକ, ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ଭାବଧାରା ଧୀରେ ଧୀରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । କିଛି ଅଂଶରେ ମାଟି ସହିତ ମଣିଷର ସମ୍ପର୍କ ସଙ୍କୁଚିତ ହୋଇଯାଉଛି ତ ଆଉ କିଛି ଭାଗରେ ମାଟି ଉପରେ ମଣିଷର ଉତ୍ପୀଡ଼ନ ବଢ଼ିଚାଲୁଛି । ମାଟିରୁ ମୋହ ଭାଙ୍ଗିଯାଉ କିମ୍ବା ମଣିଷ ପାଇଁ ମାଟି ଦୁଷ୍ପ୍ରାପ୍ୟ ହେଉ ଉଭୟ ପରିସ୍ଥିତି ଭବିଷ୍ୟତ ବିଶ୍ୱ ପାଇଁ ଉଦ୍ବେଗଜନକ । ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ ୨୦୧୩ ମସିହାରେ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରିବା ପାଇଁ ବିଧିବଦ୍ଧ ଘୋଷଣା କରନ୍ତି । ଏହାକୁ ଆଉ ଟିକେ ପ୍ରାଧାନ୍ୟ ଦେବାକୁ ଯାଇ ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂସ୍ଥା ୨୦୨୫ ମସିହା ଅନ୍ତର୍ଜାତୀୟ ମୃତ୍ତିକା ବର୍ଷ ଭାବେ ପାଳନ କରୁଛି, ଯାହାର ପୂର୍ତ୍ତି ଏ ବର୍ଷ ଡିସେମ୍ବର ୫ ତାରିଖ ଅର୍ଥାତ୍ ବିଶ୍ୱ ମୃତ୍ତିକା ଦିବସ ଅବସରରେ ମନାଯାଉଛି ।
ସୁସ୍ଥ ମାଟି ଖାଦ୍ୟ, ବସ୍ତ୍ର, ଜାଳେଣି, ଔଷଧ ଇତ୍ୟାଦି ଯୋଗାଣରେ ଏକମାତ୍ର ଉତ୍ସ ଭାବେ ପରିଗଣିତ । ମାଟି ଆମ ପରିବେଶ ପରିସଂସ୍ଥା ପାଇଁ ଏକ ଅନିବାର୍ଯ୍ୟ ଅଙ୍ଗ । ପରିବେଶର ଅତି ଦରକାରୀ ଅଙ୍ଗାରଚକ୍ର ପାଇଁ ମାଟି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପୃଷ୍ଠତଳ ସଂଗୃହୀତ କରି ରଖିବା, ବିଶୁଦ୍ଧ ଭୂତଳ ଜଳ ଉତ୍ସ ସୃଷ୍ଟି ଓ ଜଳ ପ୍ରଦାନ କରିବା ତଥା ବନ୍ୟ, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଶମିତ କରିବା ଦିଗରେ ମାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ମାଟି ଜୈବିକ ଅଙ୍ଗାରକର ସର୍ବ ବୃହତ୍ତମ ଭଣ୍ଡାର ଯାହା ଜଳବାୟୁ ପରିବର୍ତ୍ତନଜନିତ ପ୍ରତିକୂଳ ପ୍ରଭାବକୁ ପ୍ରଶମନ ତଥା ଖାପ୍ ଖୁଆଇ ନେବାରେ ସାହାଯ୍ୟ କରିଥାଏ । ପ୍ରାୟ ୮୦୦ କୋଟିରୁ ଅଧିକ ବିଶ୍ୱ ଜନସଂଖ୍ୟାରେ ଅନେକ ଲୋକ ଅର୍ଦ୍ଧାହାର, ଅନାହାର, କୁପୋଷଣର ଶିକାର ହୋଇ ଚାଲିଛନ୍ତି । ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂସ୍ଥାର ନିର୍ଦ୍ଦେଶକ ଜୋସେ ଗ୍ରାଜିଆନେ ଡି ସିଲ୍ଭାଙ୍କ ମତାନୁଯାୟୀ ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧି ପାଖାପାଖି ୬୦ ପ୍ରତିଶତ ଅଧିକ ଖାଦ୍ୟ ଉତ୍ପାଦନ ଦରକାର କରେ । ମାତ୍ର ପରିତାପର ବିଷୟ ଏହିକିଯେ ଏତାଦୃଶ ସ୍ଥିତିରେ ବିଶ୍ୱର ୩୩ ପ୍ରତିଶତ ମୃତ୍ତିକା ସମ୍ପଦ ଅବକ୍ଷୟଗାମୀ । ମାଟି ଉପରେ ମଣିଷର ଅତ୍ୟଧିକ ବହୁମୁଖୀ ଚାପ ଏହାକୁ ତାର ସର୍ବନିମ୍ନ କାର୍ଯ୍ୟ ସମ୍ପାଦନ କରିବାରେ ବାଧା ସୃଷ୍ଟି କରିଚାଲିଛି । ମାଟିର କ୍ଷଣିକ ତଥା ଲାଭଦାୟକ ବ୍ୟବହାର ପାଇଁ ଏହାର ଅବକ୍ଷୟ, ସଙ୍କୋଚନ, ମୃତ୍ତିକା ବନ୍ଧନ, ଲବଣତା ବୃଦ୍ଧି, ଜୈବାଂଶ ପ୍ରତିହତ, ପୋଷଣହୀନତା, ଅମ୍ଳବୃଦ୍ଧି ତଥା ଅନ୍ୟାନ୍ୟ ପ୍ରଦୂଷଣ ମାତ୍ରା ଧୀରେ ଧୀରେ ବଢ଼ିଚାଲିଛି । ଏପରି ସ୍ଥିତି ଲାଗି ରହିଲେ ୧୯୬୦ ମସିହାରେ ମୁଣ୍ଡପିଛା ଉତ୍ପାଦନ କ୍ଷମତାଶୀଳ ମାଟି ଯେତିକି ଥିଲା ତାହା ୨୦୫୦ ମସିହା ବେଳକୁ ଏକ ଚତୁର୍ଥାଂଶରେ ପହଞ୍ôଚଯିବ । ଗୋଟିଏ ସେଣ୍ଟିମିଟର ମୃତ୍ତିକା ସୃଷ୍ଟି ହେବା ପାଇଁ ପ୍ରକୃତିକୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗୁଥିଲା ବେଳେ ଆମେ ତାକୁ ୧୦୦୦ ଦିନରୁ କମ୍ ସମୟରେ ନଷ୍ଟ କରିଦେଉଛୁ । ନିରନ୍ତର ଉନ୍ନତିରେ ଖାଦ୍ୟ ସୁରକ୍ଷା ଓ ପୋଷଣ ଅନ୍ୟତମ ଅପରିହାର୍ଯ୍ୟ ଉପାଦାନ ଯାହା କେବଳ ସୁସ୍ଥ ମାଟି ହିଁ ପ୍ରଦାନ କରିଥାଏ । ମାତ୍ର କ୍ରମାଗତ ଭାବେ ନଷ୍ଟ ହୋଇ ଚାଲିଥିବା ମାଟି ଏବେ ପାସୋରି ହୋଇଯାଇଥିବା ଗୋଟେ ସମ୍ପଦର ସ୍ଥିତିରେ ଦଣ୍ଡାୟମାନ ।
ଜୈବବିବିଧତାର ଏକ ଚତୁର୍ଥାଂଶ ମାଟି ତଳେ ଅବସ୍ଥାନ କରୁଥିବାର ଦେଖାଯାଇଥାଏ । ଅସଂଖ୍ୟ ଅଣୁଜୀବ ଅଦ୍ୟଶ୍ୟ ଭାବେ ଅସୁମାରି କାମ କରିଚାଲିଥାନ୍ତି । ପଚାସଢ଼ା ମଇଳା ପଦାର୍ଥକୁ ବିଘଟନ କରି ପରିବେଶକୁ ବିଶୁଦ୍ଧ କରିଥାନ୍ତି ଏମାନେ । ମାଟିର ସଂସ୍ପର୍ଶରେ ସମ୍ଭବ ହୋଇଥାଏ ମଞ୍ଜିର ଅଙ୍କୁରୋଗଦ୍ଗମ, ବିସ୍ତାରିତ ହୁଅନ୍ତି ବୃକ୍ଷରାଜି ଆଉ ସବୁଜିମା । ଏହା ବିଶ୍ୱର ବୃହତ୍ ବିସ୍ମୟ ନୁହେଁ ତ ଆଉ କ'ଣ? ପ୍ରକୃତିର ପରିଚର୍ଯ୍ୟା ଏବଂ ପର୍ଯ୍ୟାବରଣ ପ୍ରତିଷ୍ଠା ପାଇଁ ପ୍ରତ୍ୟେକଟି ଉପାଦାନ ଖଞ୍ଜି ଦେଇଛି ମାଟି । ମାଟିର ସ୍ତରୀୟ ସଂରଚନା ଦେଇ ଭୂଗର୍ଭଗାମୀ ଭୂପୃଷ୍ଠଜଳର ବିଶୁଦ୍ଧୀକରଣ ପ୍ରକ୍ରିୟା ଯେ କୌଣସି ବୈଜ୍ଞାନିକ ଉପକରଣ ଠାରୁ ଉନ୍ନତମାନର ତାହା ନିଃସନ୍ଦେହ । କିନ୍ତୁ ମାଟିର ଏହି ମହନୀୟତାକୁ ଆମେ କ୍ରମଶଃ ହରାଇବାକୁ ବସିଛୁ । ମଣିଷର ଅପରିଣାମଦର୍ଶୀ ସ୍ୱେଚ୍ଛାଚାରିତାର ଶିକାର ହୋଇଚାଲିଛି ମାଟି । କୁଢ଼ କୁଢ଼ ବର୍ଜ୍ୟବସ୍ତୁର ଆବରଣରେ ଅଦ୍ୟଶ୍ୟ ହୋଇ ଚାଲିଛି ମାଟି । ସ୍ୱଳ୍ପ ଜମିରୁ ଅଧିକ ଉତ୍ପାଦନର ଆବଶ୍ୟକତାକୁ ଚରିତାର୍ଥ କରିବାକୁ ଯାଇ ମାଟିରେ ରାସାୟନିକ ସାର, କୀଟନାଶକ, ଜୈବପ୍ରଯୁକ୍ତିର ବହୁଳ ପ୍ରୟୋଗ ମାଟିର ମାନକୁ ନିମ୍ନଗାମୀ କରିପକାଇଲାଣି । ମାଟି ପାଇଁ ସୃଷ୍ଟି ବଞ୍ôଚ ରହିଥିବା ବେଳେ ମରିଯାଉଥିବା ମାଟିକୁ ବଞ୍ଚାଇବା, ସଂକ୍ରମିତ ମାଟିକୁ ସୁସ୍ଥ କରିବାର ପ୍ରୟାସ ସମଗ୍ର ମାନବ ସମାଜର କାମ୍ୟ ହେବା ଜରୁରି ।
ମୋ : ୭୪୮୮୯୯୮୫୩୨