ମନର ନିୟନ୍ତ୍ରଣ

ମନର ନିୟନ୍ତ୍ରଣ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମନର ନିୟନ୍ତ୍ରଣ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମନରେ ମଇଳା ଜମା ହେଇଗଲେ ବା ଜମାଟ ବାନ୍ଧି ରହିଗଲେ ତାହା ପୂର୍ଣ୍ଣାଙ୍ଗ ଶରୀରଟାକୁ ଅପବିତ୍ର କରିପକାଏ  । ସେଥିପାଇଁ ସବୁକାଳେ ଏବଂ ସବୁବେଳେ ମନକୁ ନିର୍ମଳ କରିବା ଉପରେ ସବୁ ଶାସ୍ତ୍ରମାନଙ୍କରେ ଗୁରୁତ୍ୱ ଦିଆଯାଇଛି  । 
ମଣିଷର ମନ ହେଉଛି ସବୁକିଛିର ବିକାଶର ମୂଳ ଏବଂ ବିନାଶର ଗନ୍ତାଘର ମଧ୍ୟ  । ମନର ବଳ ଏବଂ ମନର ଗତିରୁ ହିଁ ଦୁନିଆରେ ଅନେକ କିଛି ଆରମ୍ଭ  । ଭଲ ବି ମନ୍ଦ ବି, ଉତ୍ତମ ବି ଖରାପ ବି  ।   ଶରୀରର ସୁରକ୍ଷା ପାଇଁ ଆମେ ଅନେକ କିଛି କରୁଛୁ  । କିନ୍ତୁ ମନ ପାଇଁ କାଣିଚାଏ ବି କିଛି କରୁନାହେଁ  । ଏହା ଯେ ଆମ ଜୀବନର ପ୍ରଗତି ନୁହେଁ, ତାହା ଆମେ ବୁଝିବାକୁ ପ୍ରସ୍ତୁତ ନୋହୁଁ  । ବୋଧ ହୁଏ ଏଇଥି ପାଇଁ ହିଁ ଜୀବନରେ ନାନାପ୍ରକାର ସମସ୍ୟା ଘନେଇ ଥାଏ  ।
ପ୍ରାୟତଃ କଥାରେ ଆମେ ''ସେସବୁ ପୁରୁଣାକାଳିଆ କଥା, ଆଜିର ଦିନରେ ସେଯାକ ଆଉ ଚଳୁନି'' ବୋଲି କହି ବାହାସ୍ଫୋଟ ମାରୁ  । ଅଥଚ ଆମ ବ୍ୟକ୍ତିଗତ ଜୀବନ କେତେ ଯେ ଅନିୟନ୍ତ୍ରିତ ତାହା କେବଳ ପ୍ରତ୍ୟକ୍ଷ ଅନୁଭବର ବିଷୟ  ।
ଆମ ଚରିତ୍ର ଆଜି ଦୁଇ ପ୍ରକାରର ହେଇଯାଇଛି  । ଗୋଟିଏ କହିବା ଆଉ ଗୋଟିଏ କରିବା ଭିତର ଦେଇ, ନିଜକୁ ନିଜେ ଫାଙ୍କି ଚାଲିବାରେ ଆମକୁ ବହୁତ ଖୁସି ମିଳୁଛି  । ମୁହଁର ଭାଷା ମନର ଭାଷା ମଧ୍ୟରେ ସମନ୍ୱୟ ଆଦୌ ରହୁ ନାହିଁ  । ଏସବୁ ଯେତେ ଲୁଚେଇବାକୁ ଚେଷ୍ଟା କରିଲେ ବି ତାହା ମଧ୍ୟ ଲୁଚୁନାହିଁ  । 
କେଉଁ ବାଟ ଦେଇ ସେ ବାହାରକୁ ବାହାରି ଆସୁଛି, ଆମ ବ୍ୟକ୍ତିଗତ ଜୀବନରେ ସେତକ ଫୁଟିକୁ ଦିଶୁଚି  । ଆଉ ଏହାର ଶେଷ ପରିଣତି-ଜୀବନଟା କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା  ।  ଟିକେ ଭାବିଲେ ଆଜ୍ଞା, ଏସବୁ ଯନ୍ତ୍ରଣା କଣ ନିଜ ଦ୍ୱାରା ପ୍ରାୟୋଜିତ ନୁହଁ କି? ଅନିୟନ୍ତ୍ରିତ ମନ ଅନୁସାରେ ଚାଲିଲେ ଜୀବନଟା ଯେ ନର୍କ, ଏଇଥିରେ ଟିକିଏ ବି ସନେ୍ଦହ ରଖନ୍ତୁ ନାହିଁ  । ଅବଶ୍ୟ ମନଟାକୁ ନିୟନ୍ତ୍ରଣ କରିବା ଆ?ୌ ସହଜ କଥା ନୁହେଁ  । କିନ୍ତୁ ଅସମ୍ଭବ ବୋଲି ତ କିଛି ନାହିଁ  । ଚେଷ୍ଟା କରିଲେ ସବୁକିଛି ସମ୍ଭବ ହୋଇପାରେ  । ମାତ୍ର ଆମେ ଯଦି ଚେଷ୍ଟା ନକରି ହେଲା ନାହିଁ ବୋଲି କହିବା, ତାହା କିନ୍ତୁ ବିଡମ୍ବନା  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।