ସୌରଭଙ୍କ ଷ୍ଟାର୍ଟଅପ୍କୁ ମୋଦିଙ୍କ ପ୍ରଶଂସା
ସମ୍ବଲପୁର/ବମରା: ନୂଆଦିଲ୍ଲୀରେ ଆୟୋଜିତ ତିନି ଦିବସୀୟ ଓଡ଼ିଶା ପର୍ବ ୨୦୨୪ ର ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସମ୍ବଲପୁର ଜିଲ୍ଲାର ବାମରାର ଯୁବ ଉଦ୍ୟୋଗୀ ସୌରଭ ଖଣ୍ଡେଲୱାଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନ କଟକର ଆଳୁଦମବଡାକୁ ନେଇ ଷ୍ଟାର୍ଟ ଅପ୍ କାରବାରର ପ୍ରଶଂସା କରିଥିଲେ । ସୌରଭ ଆଳୁଦମ୍ ବଡା ବ୍ୟବସାୟକୁ ବ୍ୟାଙ୍କରୁ ବିତ୍ତୀୟ ସହାୟତା ନେଇ ଭୁବନେଶ୍ୱରରେ ଷ୍ଟାର୍ଟ ଅପ୍ ଭାବେ ଆରମ୍ଭ କରିଥିଲେ । ବର୍ତ୍ତମାନ ସୌରଭଙ୍କ ଓଡ଼ିଶା, ଗୁଜରାଟ ସମେତ ୫ ଟି ରାଜ୍ୟରେ ଦହିବଡା ଏକ୍ସପ୍ରେସ ନାମରେ ୧୪ଟି ଆଉଟଲଟ ଖୋଲି ଆଲୁଦମବଡା ଓ ଅନ୍ୟାନ୍ୟ ବ୍ୟଞ୍ଜନ ବିକ୍ରି କରୁଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସୌରଭ ଦହିବଡା ଏକ୍ସପ୍ରେସ ଆଉଟଲେଟ ଖୋଲିବା ପାଇଁ ଯୋଜନା କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ପର୍ବ ୨୦୨୪ ର ଆୟୋଜକଙ୍କ ନିମନ୍ତ୍ରଣରେ ସୌରଭ ସାମିଲ ହୋଇଥିଲେ । ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ଦହିବଡା ଏକ୍ସପ୍ରେସ ଷ୍ଟଲ ବୁଲି ଦେଖି ଥିଲେ । ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନକୁ ସାରା ଭାରତରେ ଓଡ଼ିଶାର ବ୍ୟଞ୍ଜନକୁ ଲୋକପ୍ରିୟ କରିବା ସହ ଭଲ ଆମଦାନୀରେ ପରିଣତ କରିବା ପ୍ରୟାସକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଭାରତର ପାରମ୍ପରିକ ବ୍ୟଞ୍ଜନ ଗୁଡ଼ିକୁ ସାରା ଦେଶ ଓ ବିଦେଶରେ ଲୋକପ୍ରିୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।