ସ୍କୁଟିକୁ ପିଟିଲା କାର, ୨ ଜଣ ଆହତ

 ବାଲିଅନ୍ତା: ସରଦେଇପୁର-ନିମାପଡା ରାସ୍ତା ବାଳକାଟି ଭାର୍ଗବୀ ସେତୁ ଉପରେ ଏକ କାର ୨ ସ୍କୁଟିକୁ ଧକ୍କାଦେବାରୁ ଜଣେ ଟ୍ରାଫିକ ପୁଲିସ କର୍ମଚାରୀ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ସେନାବାହିନୀ କର୍ମଚାରୀ ଆହତ ହୋଇଛନ୍ତି  । ଆହତ ପୁଲିସ କର୍ମଚାରୀ ହେଲେ ବାଳକାଟି ମୁଦୁଲିସାହିର ହାପି ଓରଫ ଲୋକନାଥ ମୁଦୁଲି ଏବଂ ସେନା କର୍ମଚାରୀ ହେଲେ ଧଉଳି ଥାନା ସରଦେଇପୁର ଗ୍ରାମର ପ୍ରତାପ ଚନ୍ଦ୍ର ସ୍ୱାଇଁ  । ଉଭୟଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ  । ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି  । ଏକ ଓଲା ସ୍କୁଟିରେ ହାପି ନିଜ କର୍ମସ୍ଥଳକୁ ଯାଉଥିବା ବେଳେ ପ୍ରତାପ ବାଳକାଟି ବଜାରରୁ ଘରକୁ ଯାଉଥିଲେ ଏହି ସମୟରେ ସମାନ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର ଭାର୍ଗବୀ ସେତୁ ଉପରେ ଉଭୟଙ୍କୁ ଧକ୍କା ଦେଇଥିଲା  । ଫଳରେ ସେମାନେ ରାସ୍ତାରେ ଛିଟିକି ପଡ଼ିଥିଲେ  । ଖବରପାଇ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ କାରକୁ ଅଟକାଇଥିଲେ  । ମାତ୍ର କାର ଚାଳକ ଫେରାର ହୋଇଯାଇଥିଲେ  । ଖବରପାଇ ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କାରକୁ ଫାଣ୍ଡିକୁ ନେଇଥିଲେ  ।