ସ୍ୱାମୀ ମୌନାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନ ବାର୍ଷିକ ମହୋତ୍ସବ 

କବାଟବନ୍ଧ: ରାଜ୍ୟର ଏକ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥଳ ଯାଜପୁର ଜିଲ୍ଲା ଚଡେଇଧରା ନିକଟ ମଧୁପୁର ବେଢା ପାହାଡ଼ ଶିଖରରେ ଥିବା ଶ୍ରୀଗୁରୁ ଆଶ୍ରମ ଓ ଶିଦେ୍ଧଶ୍ୱର ପୀଠର ପ୍ରାଣ ପ୍ରତିଷ୍ଠାତା ସନ୍ଥ ଶିରୋମଣି ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ବ୍ରହ୍ମଲୀନର ୧୦ମ ମହୋତ୍ସବ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଭାଗବତ ଜନ୍ମ ତିଥିରେ ପାଳିତ ହୋଇଯାଇଛି  । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥ ଯୋଗଦେଇ ସମାଧି ମଣ୍ଡପରେ ପୂଜାର୍ଚ୍ଚନା ପୂର୍ବକ ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ  । ଏହି ଅବସରରେ ଆଶ୍ରମର ବାବା ଜ୍ଞାନାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତା ଓ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟଙ୍କ ସଂଯୋଜନାରେ ଏକ ଆଧ୍ୟାତ୍ମିକ ଉନ୍ମେଷ ଓ ସନ୍ଥ ସମ୍ମିଳନୀ ଆୟୋଜିତ ହୋଇଥିଲା  । ଏଥିରେ ବାବା ସଚ୍ଚିଦାନନ୍ଦ ଦାସ, ବାବାଜୀ ହରିହର ଦାସ, ବାବାଜୀ କୁଞ୍ଜବିହାରୀ ଦାସ, ସ୍ୱାମୀ ସ୍କୃତିସାଗରାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟ ଧର୍ମାନନ୍ଦ ସରସ୍ୱତୀ, ବାବାଜୀ ଜଗନ୍ନାଥ ଦାସ, ଫଳହାରି ବାବା, ବାବାଜୀ ନିଳାମ୍ବର ଦାସ, ବାବାଜୀ କୃଷ୍ଣ ଦାସ, ଅଧିକାରୀ ଶରତ ଦାସ, ସ୍ୱାମୀ ଦିବ୍ୟଲୋଚନ ଦାସ, ବାବା ପର୍ଶୁରାମ ଦାସ ପ୍ରମୁଖ ଉଦ୍ବୋଧନ ଦେଇ ଜଗତ କଲ୍ୟାଣ ଓ ସମାଜରେ ସଂସ୍କାର ଆଣିବା ପାଇଁ ପ୍ରତ୍ୟେକ ପ୍ରାଣୀ ଆଧ୍ୟାତ୍ମିକତାକୁ ଗ୍ରହଣ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ  । ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମରପ୍ରସାଦ ଶତପଥୀ, ବିଜେପି ନେତା ପବିତ୍ରମୋହନ ଦାଶ, ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ପ୍ରମୁଖ ବାବା ମୌନାନନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । ବିଶିଷ୍ଟ ବ୍ୟବସାୟୀ ବାଇଧର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ନଟବର ସାହୁ, ସେବକ ପୂର୍ଣ୍ଣଚନ୍ଦ୍ର ରାଉତ, ଇଂ ସରୋଜ ବେହେରା, ପବିତ୍ରରଞ୍ଜନ ମହାନ୍ତି, ଗଣେଶ୍ୱର ପଣ୍ଡା, ବବି ଦାସ, ପ୍ରଭାକର ବେହେରା, ଗନ୍ଧର୍ବ ପରିଡା, ଗନ୍ଧର୍ବ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ଉପଲକ୍ଷେ ଗତ ସପ୍ତାହେ ବ୍ୟାପୀ ଶ୍ରୀମଦ୍ ଭାଗବତ ପାରାୟଣ, ଗୀତା ମହାଯଜ୍ଞ, ସମାଧି ପୂଜନ, ଅନ୍ନ ଯଜ୍ଞ, ଶିଦେ୍ଧଶ୍ୱର ମହାଦେବଙ୍କ ମହାସ୍ନାନ ଓ ରୁଦ୍ରାଭିଷେକ ସମ୍ପର୍ଣ୍ଣ ହୋଇଥିଲା  ।