ହାଟ ପଡ଼ିଆରେ ଶହଶହ ଟ୍ରିପ୍ ବାଲି-ମାଟି କାହାର?


ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ଧର୍ମଶାଳା ତହସିଲର ପକ୍ଷରୁ ଗଲା ବର୍ଷେ ହେବ କାହାରିକୁ ମାଟି କି ମୋରମ ଖୋଲିବାର ଅନୁମତି ଦିଆଯାଇନି । ହେଲେ ଧର୍ମଶାଳା ତହସିଲ କାର୍ଯ୍ୟାଳୟ ପାଚେରୀ କଡ଼ରେ ଶହଶହ ଟ୍ରିପ ମାଟି ମହଜୁଦ ରହିଛି । ମାଟି ସହ ଉକ୍ତ ସ୍ଥାନରେ ବି ଶହଶହ ଟ୍ରିପ୍ ବାଲି ଷ୍ଟାକ କରାଯାଇଛି । ବାଲି-ମାଟି କାହାର କି କେଉଁ ପ୍ରକଳ୍ପରେ ବିନିଯୋଗ ନିମନ୍ତେ ମହଜୁଦ ରହିଛି, ତାର କୌଣସି ସୂଚନା ମରାଯାଇନି । ହେଲେ ଦୀର୍ଘଦିନ ହେବ ଧର୍ମଶାଳା ହାଟ ପଡ଼ିଆରେ ଶହଶହ ଟ୍ରିପ୍ର ମାଟି-ବାଲି ଗଦା ହୋଇରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ନାଁ ତହସିଲ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଉଛି ନାଁ ଖଣି ବିଭାଗ ପକ୍ଷରୁ ହେଉଛି ଖୋଳତାଡ଼ । ଯେତେ ବେଳେ କି ଖଣି, ତହସିଲ ଏବଂ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ରାସ୍ତାରେ ଯାଉଥିବା ବାଲି, ମାଟି, ମୋରମ ଭଳି ଲଘୁ ଖଣିଜ ସଂପଦ ବୋଝେଇ ହୋଇଯାଉଥିବା ଗାଡ଼ିକୁ ଅଟକାଇ ଜରୀମାନା ଆଦାୟ କରିଥାଏ, ସେତେ ବେଳେ ଧର୍ମଶାଳା ଥାନା ନିକଟ ହାଟପଡ଼ିଆରେ ମହଜୁଦ ଥିବା ମାଟି-ବାଲି କାହାର କାହିଁକି ଖୋଳତାଡ଼ କରାଯାଉନି? ସଂପୃକ୍ତ ମାଟି-ବାଲି ପାଇଁ ୱାଇଫର୍ମ କଟାଯାଇଛି କି ନାହିଁ ତାହା ସନେ୍ଦହ ସୃଷ୍ଟି ହୋଇଛି । ସଂପୃକ୍ତ ମାଟି-ବାଲି ବେଆଇନ ଭାବେ ମହଜୁଦ ରଖାଯାଇଥିବା ବେଳେ ଏଥିନିମନ୍ତେ ଲକ୍ଷାଧିକ ଟଙ୍କାର ରାଜସ୍ୱ ରାଜ୍ୟ ସରକାରଙ୍କୁ ହରାଇବାକୁ ପଡ଼ିନାହିଁ ତ? ମାଟି-ବାଲି ମହଜୁଦ ପଛରେ କାହାର ହାତ ଅଛି, ତାକୁ ନେଇ ଆଲୋଚନା ଚାଲିିଛି ।  ରାଜ୍ୟରେ ସରକାର ବଦଳିବା ପରେ ଆଇନ କାନୁନର ବି କିଛି ସୁଦ୍ଧାର ଆସିବାର ଦେଖା ଯାଇଛି । ଧର୍ମଶାଳାରେ ପରିବାରବାଦ ରାଜନୀତିର ପରିସମାପ୍ତି ଘଟିଛି । ଏବର ବିଧାୟକ ଧର୍ମଶାଳା ଅଞ୍ଚଳରେ ଥିବା ଚୋରା ପଥର, ବାଲି, ମାଟି ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଖଣି ବିଭାଗକୁ ଚିଠି ଲେଖିଛନ୍ତି । ଚିଠି ଲେଖିବା ପରେ ଖଣି ବିଭାଗ ବିଭିନ୍ନ କ୍ରସର ୟୁନିଟ୍ରେ ଚଢାଉକୁ ସିମିତ ରଖିଛି । ଖଣି ବିଭାଗ କ୍ରସରରେ ଅଟକି ରହିଥିବା ବେଳେ ତହସିଲ ପ୍ରଶାସନ ମଧ୍ୟ ନିଦାବିଷ୍ଣୁ ସାଜିଛି । ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ମହଜୁଦ ବାଲି-ମାଟିକୁ ଜବଦ କରିବାର କ୍ଷମତା କ’ଣ ବିଭାଗ ପାଖରେ ନାହିଁକି? ବିଭିନ୍ନ ବାଟରେ ମାଟି-ବାଲି ମହଜୁଦ ରଖୁଛି କିଏ ଆସୁଛି କେଉଁଠୁ ତାହାର ତଦନ୍ତ କରାଗଲେ ବହୁଲକ୍ଷଟଙ୍କାର ରାଜସ୍ୱ ଆଦାୟ ହୋଇପାରନ୍ତା ।