ନାବାଳକ ଶ୍ରମିକ ମୃତ୍ୟୁ ଘଟଣା ; ଏନ୍ଏଚ୍ଆରସିରେ ମାମଲା ରୁଜୁ
କେନ୍ଦୁଝର: ଦୀପାବଳୀ ପାଇଁ ଲିଚୁ ଲାଇଟ୍ ଲଗାଇବାବେଳେ ୨୦୨୪ ମସିହା ନଭେମ୍ବର ୩୦ ତାରିଖ ଦିନ ବିଦ୍ୟୁତ ଆଘାତରେ ୧୫ବର୍ଷର ନାବାଳକର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ହୋଇଛି । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଛି । ନାବାଳକ ମୃତ୍ୟୁ ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟ ଶ୍ରମ କମିଶନରଙ୍କୁ ଦିଆଯାଇଛି । ଶ୍ରମ କମିଶନରଙ୍କ ଅନୁମତି ମିଳିବା ପରେ ବଡବିଲ ଏସ୍ଡିଜେଏମ୍ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟର୍ ଦାଖଲ କରାଯିବ । ସୂଚନାଯୋଗ୍ୟ ଯେ,କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ ନିକଟରେ ପଙ୍କଜ ତିୱାରୀଙ୍କ ଘର ଛାତ ଉପରେ ଚଢି ଲିଚୁ ଲାଇଟ୍ ସଜାଇବାବେଳେ ଛାତ ଉପର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟେଣ୍ଟ ହାଉସରେ କାର୍ଯ୍ୟ କରୁଥିବା ସେରେଣ୍ଡା ଅଞ୍ଚଳର ଜଗବନ୍ଧୁ ମୁଣ୍ଡାଙ୍କ ପୁଅ ନରେନ୍ଦ୍ର ମୁଣ୍ଡା(୧୫) ର ମୃତ୍ୟୁ ଘଟିଥିଲା । ଏ ନେଇ ମୃତ ନରେନ୍ଦ୍ରଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଅଭିଯୋଗ କ୍ରମେ ପୁଲିସରେ ଅପମୃତ୍ୟୁ ମାମଲା ନଂ ୩୯/୨୦୨୪ ରୁଜୁ କରି ଶବ ବ୍ୟବଛେଦ କରିଥିଲା । ଶ୍ରମ ଆଇନକୁ ଉଲ୍ଲଘଂନ କରି ବାଳ ଶ୍ରମିକଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିବା ଟେଣ୍ଟ ହାଉସ ମାଲିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଙ୍ଗ ପ୍ରକାଶ କରିଛନ୍ତି । ଖଣି ଅଞ୍ଚଳରେ ବହୁ ଶିଶୁ ଶ୍ରମିକ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଧରପଗଡ କିମ୍ବା ଯାଞ୍ଚ ହେଉନଥିବାରୁ ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରି ଥଇଥାନ କରାଯାଇପାରୁନାହିଁ ।