ହୋଟେଲରେ ଅଗ୍ନିକାଣ୍ଡ

 ନବରଙ୍ଗପୁର:  ମା'ଭଣ୍ଡାରଘରଣୀ ମନ୍ଦିର ପଛ ପାର୍ଶ୍ୱରେ ଥିବା ପୂଜା ଭେଜ୍ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଘଣ୍ଟାଏ ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ନୂଆଁଖାଇ ପାଇଁ ହୋଟେଲ ବନ୍ଦ ରହିଥିଲା । ତେଣୁ ବଡ଼ ଧରଣର ଅଘଟଣରୁ ସମସ୍ତେ ବଞ୍ଚିଯାଇଛନ୍ତି । ହୋଟେଲର ରୋଷେଇ ଘର ଚିମିନିରୁ ନିଆଁ ଲାଗି ଦ୍ୱିତୀୟ ମହଲାକୁ ବ୍ୟାପିଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଜଗନ୍ନାଥ ମନ୍ଦିର ଛକ ଅଞ୍ଚଳରେ କାମ କରୁଥିବା ହୋମଗାର୍ଡ ଏ. ମହେଶ ହୋଟେଲରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ନବରଙ୍ଗପୁର ଥାନା, ଅଗ୍ନିଶମ ବିଭାଗ ବିଦୁ୍ୟତ୍ ବିଭାଗକୁ ସୂଚନା ଦେଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ ବିଦୁ୍ୟତ୍ ବିଭାଗର କର୍ମଚାରୀମାନେ ପହଞ୍ଚି ବିଦୁ୍ୟତ ସଂଯୋଗ କାଟିଦେଇଥିଲେ । ତିନି ମହଲା ହୋଟେଲରେ ନିଆଁ ଓ ଧୂଆଁ ବ୍ୟାପିବା ଯୋଗୁଁ ଲୋକଙ୍କ ଭିଡ଼ ଜମିଥିଲା । ଫଳରେ ଟ୍ରାଫିକ ଜାମ୍ ହୋଇଥିଲା । ହୋଟେଲ୍ ମାଲିକ ଓ ପରିଚାଳକ ପହଞ୍ଚି ତୁରନ୍ତ ଗ୍ୟାସ୍ ସ୍ଥାନାନ୍ତର କରିଥିଲେ । କିନ୍ତୁ ହୋଟେଲର ରୋଷେଇ ଘର, ପ୍ରଥମ ମହଲା ଓ ଦ୍ୱିତୀୟ ମହଲାରେ ଥିବା ଆସ ବାସ ପତ୍ର ଗୁଡ଼ିକ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିଲା । ସେହିପରି ଉପର ମହଲାରେ ମିଠା ତିଆରି ସାମଗ୍ରୀ, କର୍ମଚାରୀଙ୍କ ଲୁଗାପଟା ସହ ଅନ୍ୟାନ୍ୟ ଜିନିଷପତ୍ର ନିଆଁରେ ନଷ୍ଟ ହୋଇଥିବା ଖବର ମିଳିଛି । ତେବେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି ।