୧୩ କୁଇଣ୍ଟାଲ ଗଞ୍ଜେଇ ଜବତ
ନୂଆପଡା,: ନୂଆପଡା ଜିଲ୍ଲା କୋମନା ଥାନା ଗଣ୍ଡାମେର ପଞ୍ଚାୟତ କେନ୍ଦୁଭଟା ଗାଁରେ ଜିଲ୍ଲା ଅବକାରୀ ବିଭାଗ ଚଢ଼ଉ କରି ୧୩ କୁଣ୍ଟାଲ ୨୬କେଜି ଗଞ୍ଜେଇ ସହ ଏକ ପିକ୍ଅପ ଭ୍ୟାନ୍କୁ ଜବତ କରିଛି । ତେବେ, ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଓ ଡ୍ରାଇଭାର ଫେରାର ହୋଇଯାଇଛନ୍ତି । ଆଜି ଭୋରରେ ବଲାଙ୍ଗିର ଜିଲ୍ଲା ଲାଠୋରରୁ ଏକ ପିକ୍ଅପ ଭ୍ୟାନରେ ନୂଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା ପ୍ରଧାନଙ୍କ ନିଦେ୍ର୍ଦଶ କ୍ରମେ ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ସୁରେଶ ଚନ୍ଦ୍ର ତାଣ୍ଡି ଓ ଅବକାରୀ ନିରୀକ୍ଷୀକା ହୀରାବତି ଥାଟିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ କୋମନା ଥାନା ସେମେଲପାଲି ଗାଁ ନିକଟରେ ଛକି ବସିଥିଲା । ଭୋର ୫ଟାରେ ଗଞ୍ଜେଇ ଭର୍ତ୍ତି ପିକ୍ଅପ ଭ୍ୟାନ( ଓଡ଼ି ୦୩ ଏସି ୫୨୦୪) ସେମେଲପାଲି ଛକ ଅତିକ୍ରମ କରିଥିଲା । ସେଠାରେ ଅବକାରୀ କର୍ମଚାରୀ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅବକାରୀ କର୍ମଚାରୀ ପିଅପକୁ ପିଛା କରିଥିଲେ । ହେଲେ ଗଞ୍ଜେଇ ବ୍ୟବସାୟୀ, ଗାଡ଼ିମାଲିକ ଓ ଡ୍ରାଇଭର ପିକଅପକୁ ଏକ ଜଙ୍ଗଲ ଭିତରେ ଛାଡ଼ି ଫେରାର ହୋଇଥିଲେ । ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ତାହା ୧୩କ୍ସିଣ୍ଟାଲ ୨୬କେଜି ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧କୋଟି ୩୨ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ, ଅବକାରୀ ବିଭାଗ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କେନ୍ଦୁଭଟା ଗାଁର ବ୍ୟବସାୟୀ କୁବେର ନାଗ, ଗାଡ଼ି ମାଲିକ ଜୀତେନ୍ଦ୍ର ନାଗ ଓ ଲର୍କୀ ଗାଁର ଡ୍ରାଇଭର ପ୍ରଫୁଲ୍ଲ ବାଗଙ୍କ ନାଁରେ ଅବକାରୀ ବିଭାଗ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଆରମ୍ଭ କରିଛି । ଏନେଇ ଅବକାରୀ ଅଧ୍ୟକ୍ଷ ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ଗଞ୍ଜେଇ ଚୋରାଚାଲାଣ ଖବର ପାଇ କର୍ମଚାରୀ ସେମେଲପାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ଅଭିଯୁକ୍ତମାନେ କେନ୍ଦୁଭଟା ଗାଁ ନିକଟସ୍ଥ ଜଙ୍ଗଲରେ ଗାଡ଼ି ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି ସେ କହିଥିଲେ । ପିକ୍ଅପ ଭ୍ୟାନ ଓ ଗଞ୍ଜେଇକୁ ଜବତ କରି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ଅବକାରୀ ଅଫିସକୁ ଅଣାଯାଇଥିଲା ।