୧୬୫ ଶ୍ରମିକ ଉଦ୍ଧାର : ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ହେବ

 ମାଲକାନଗିରି  : ବସ ଭିତରେ ମାତ୍ର ୩୫ ଜଣ ଯାତ୍ରୀଙ୍କ ଲାଗି ସିଟ ରହିଥିବା ବେଳେ ସେଥିରେ ୧୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଘରୋଇ ବସକୁ ଯାଞ୍ଚ କରି ଜୋରିମାନା ଆଦାୟ କଲା ପରିବହନ ବିଭାଗ । ମାଲକାନଗିରି ଜିଲ୍ଲା ଏମଭି ୧୬ ଗ୍ରାମ ନିକଟରେ ଶ୍ରୀ ବାଲାଜି ନାମକ ଏକ ଘରୋଇ ବସକୁ ଅଟକାଇ ଯାଞ୍ଚ କରିବା ସମୟରେ ଏମିତି କିଛି ସାଙ୍ଘାତିକ ତଥ୍ୟ ଜାଣିବାକୁ ପାଇଛି ମାଲକାନଗିରି ପରିବହନ ବିଭାଗ । ବସଟି ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଯାଉଥିଲା । ଏଥିରେ ମୋଟ ୧୧୬ ଜଣ ଶ୍ରମିକ ରହିଥିବା ବେଳେ ଟୁରିଷ୍ଟ ପରମିଟ୍ରେ ଚାଲିଛି ଏହି ଘରୋଇ ବସ । ସବୁଠାରୁ ବଡ କଥା ହେଉଛି ବସରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଶ୍ରମିକ ଶ୍ରେଣୀର ହୋଇଥିବା ଏମାନେ ହାଇଦ୍ରାବାଦର ଘରୋଇ କମ୍ପାନୀ, ଇଟା ଭାଟି ଆଦି ସ୍ଥାନରେ ଦାଦନ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ନିଜ ଘରକୁ ଏହି ଶ୍ରମିକ ମାନେ ଫେରୁଥିଲେ । ଏହି ଯାତ୍ରୀ ମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ରାତି ତମାମ ଶୋଇବାତ ଦୂରର କଥା ବସିବାକୁ ମଧ୍ୟ ସଠିକ ଭାବେ ସ୍ଥାନ ମିଳି ନାହି । ବସ ଚାଳକ ଓ କର୍ମଚାରୀ ଜୋର ଜବରଦସ୍ତ କରି ଲୋକଙ୍କୁ ବସରେ ପୁରାଇ ଆଗକୁ ବସ ଖାଲି ହେବ କହି ଠକି ଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । କ୍ଷମତା ଠାରୁ ଢେର ଅଧିକ ସଂଖ୍ୟକ ଯାତ୍ରୀ ଥିବାରୁ ବସଟିକୁ ଅଟକ ରଖିବା ସହ୨୪,୨୦୦ ଟଙ୍କା ଜୋରିମାନା କରିଥିଲା ମାଲକାନଗିରି ପରିବହନ ବିଭାଗ । ତେବେ ବସରେ ଯାଉଥିବା ସମସ୍ତେ ଦାଦନ ଭାବେ କାର୍ଯ୍ୟ କରୁଥିବା ଓ ଶ୍ରମିକ ଶ୍ରେଣୀର ହୋଇଥିବା ଖବର ପାଇବା ପରେ ଜିଲ୍ଲା ଶ୍ରମ ବିଭାଗ ପହଞ୍ଚି ସେମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ଶ୍ରମିକ ମାନେ ଆସିଥିବା ଜିଲ୍ଲାର ଅଧିକାରୀଙ୍କୁ ଅବଗତ କରାଇ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ ।