ଶିଶୁ ସୁରକ୍ଷା କ୍ରିୟାଶୀଳତା ନେଇ କର୍ମଶାଳା

 ତିହିଡ଼ି :  ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷାକୁ କ୍ରିୟାଶୀଳ କରିବା ସକାଶେ ତିହିଡ଼ି ବ୍ଲକ ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ଏବଂ ବ୍ଲକ ଟାସ୍କଫୋର୍ସ କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପଞ୍ଚାୟତରାଜ ପ୍ରତିନିଧି, ଶିଶୁ ବିକାଶ ବିଭାଗ, ସାମାଜିକ ଗୋଷ୍ଠୀ ଓ ବିଭାଗୀୟ ଅଧିକାରୀ ସମୂହ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ବିଡିଓ ମାନସ ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ସୁରକ୍ଷା ୟୁନିଟର ତାଲିମ ସଂଯୋଜକ ସୁବ୍ରତ ଦାସ, ଆୟୋଜକ ସଂଗଠନର  ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ ପାଲଟାସିଂ, ସଦସ୍ୟା ସଚିବ ରିନି ମହାନ୍ତି ସମେତ ୟୁନିସେଫର ପରାମର୍ଶଦାତା ମଧୁମିତା ଦାସ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ ସମେତ ସମ୍ବେଦନଶୀଳ ଶିଶୁ ପ୍ରସଙ୍ଗରେ ଅବହେଳିତ ଶିଶୁମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । କର୍ମଶାଳାରେ ସମସ୍ତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱ ସମ୍ବନ୍ଧରେ ଅବଗତ ହେଲେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ଦୃଢ଼ୀଭୂତ ହୋଇପାରିବ ବୋଲି କର୍ମଶାଳାରେ ଆଲୋକପାତ କରାଯାଇଥିଲା । ଶିଶୁ ସୁରକ୍ଷା କର୍ମୀ ମହେଶ ଚନ୍ଦ୍ର ଦାଶ ଓ ଜ୍ୟୋତି ପ୍ରକାଶ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।