୨ ବାଇକ୍ ଚୋର ଗିରଫ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କର୍ମଚାରୀ ପରିଚୟ ଦେଇ ଟଙ୍କା ସହ ବାଇକ ନେଇ ଫେରାର ହେଉଥିବା ୨ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । ଧନୁପାଲି ଥାନା ଅନ୍ତର୍ଗତ ମାରୁତିନଗରର ବିଜୟ ଜେନା ତାଙ୍କ ସହିତ ଏହିଭଳି ଠକେଇ ହୋଇଥିବା ନେଇ ଗତ ୧୦ ତାରିଖ ଦିନ ଅଭିଯୋଗ କରିଥିଲେ । ଏହି ଏତଲା ଆଧାରରେ ଅନୁସନ୍ଧାନ କରି ପୁଲିସ ପକ୍ଷରୁ ଘଟଣାର ପର୍ଦ୍ଦାଫାସ କରାଯାଇଛି । ବ୍ୟକ୍ତିମାନେ ହେଲେ କେସିଙ୍ଗାର ଏସ ନାଏକ ଏବଂ ଅରିଣି ନାଏକ ବୋଲି ସଦରଏସଡିପିଓ ତୋଫାନ ବାଗ କହିଛନ୍ତି । ସେମାନଙ୍କ ଠାରୁ ସମୁଦାୟ ୯ ବାଇକ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସାବିତ୍ରୀ ବଳ କହିଛନ୍ତି । ପୁଲିସ ସୂଚନାଯୋଗ୍ୟ, ଉଭୟ ଅଭିଯୁକ୍ତ ସମ୍ବଲପୁର ସହରର ବୁଲାବୁଲି କରିବା ସହ ନିଜକୁ ବ୍ଳକ କର୍ମଚାରୀର ପରିଚୟ ଦେଉଥିଲେ । ବ୍ଲକ ପକ୍ଷରୁ ଲୋକଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି କହୁଥିଲେ । ଏଥିପାଇଁ ନମୁନା ଭାବେ ଚାଉଳ ଦେଖାଇବା ସହିତ ଆତ୍ମୀୟତା ବଢାଉଥିଲେ । କମ ଦରରେ ଚାଉଳ ଦେବା ପାଇଁ ଅଗ୍ରୀମ ଆକାରରେ ଟଙ୍କା ନେଉଥିଲେ । ତାସହିତ କୌଣସି ଏକ କାର୍ଯ୍ୟ ବାହାନା କରି ପାଖରୁ ଆସୁଛୁ କହି ବାଇକ ମାଗି ନେଇ ଆଉ ଫେରୁନଥିଲେ । ଅଇଁଠାପାଲି, ବରେଇପାଲି, ଧମା, ସଦର ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଏଭଳି ମାମଲା ରହିଥିବା ଜଣାପଡ଼ିଛି । ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ଠକ ଦୁଇ ଜଣ ସମ୍ବଲପୁରରେ ସକ୍ରିୟ ଅଛନ୍ତି । ଅନ୍ୟ ସ୍ଥାନରେ ମଧ୍ୟ ସେମାନେ ଏଭଳି କାରବାର କରୁଥିବା ନେଇ ସନେ୍ଦହ କରାଯାଉଛି ।