ହୀରାକୁଦରେ ନୂଆ ସ୍ପିଲ୍ ୱେ ନିର୍ମାଣ
ସମ୍ବଲପୁର : ହୀରାକୁଦରେ ନିର୍ମାଣ ହେବ ସ୍ପିଲ୍ ୱେ । ଆଉ ଏଗୁଡ଼ିକୁ ସ୍ୱୟଂଚାଳିତ କରିବା ପାଇଁ ଯୋଜନା କରାଯାଉଛି । କେନ୍ଦ୍ରୀୟ ଜଳ ଆୟୋଗ ଓ ଡ୍ୟାମ ସୁରକ୍ଷା ସମୀକ୍ଷା ପ୍ୟାନେଲ ଅନୁମୋଦ ପରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏ ଅବସରରେ ଏହାର ଅନୁଧ୍ୟାନ କରିବା ପାଇଁ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ଓ ବିଶ୍ୱ ବ୍ୟାଙ୍କର ୯ଜଣିଆ ପ୍ରତିନିଧି ଦଳ । ଡ୍ୟାମ ଫାଉଣ୍ଡେସନ ଗ୍ୟାଲେରୀ, ସ୍ଲୁଇସ୍ ଗେଟ୍ ଅପରେସନ ପାୱାର ଚାନେଲ ବୁଲି ଦେଖିଛନ୍ତି ଏହି ୯ ଜଣିଆ ଟିମ୍ । ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୯୦ କୋଟି, ୨୦୨୬-୨୭ରେ ୨୦୦ କୋଟି,୨୦୨୭-୨୮ରେ ୨୨୪ କୋଟି, ୨୦୨୮-୨୯ରେ ୧୭୦ କୋଟି, ୨୦୨୯-୩୦ରେ ୧୧୦ କୋଟି, ୨୦୩୦-୩୧ରେ ୯୦.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଜଳ ସ୍ଥଳ ଓ ଆକାଶ ମାର୍ଗରେ ର୍ସର୍ଭ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ ହେବ । ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ ୱେ ଗେଟ୍ ଗୁଡିକରେ ସ୍ୱୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟିର ଅର୍ଥ ବ୍ୟୟବରାଦ ହୋଇଛି ।
ସୂଚନାଯୋଗ୍ୟ ପୂର୍ବରୁ ବାମ ପଟ ଡାଇକରେ ଅଧପନ୍ତରିଆ ଭାବେ ଅତିରିକ୍ତ ସ୍ପିଲ୍ ୱେ ପଡିରହିଛି । ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି । ଏହାକୁ ନିର୍ମାଣ କରୁଥିବା ସଂସ୍ଥା କୌଣସି କାରଣକୁ ନେଇ ଛାଡ଼ି ପଳାଇଯିବାରୁ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବାମ ପାର୍ଶ୍ୱ ବନ୍ଧରେ ନିର୍ମାଣ କରାଯାଉଥିବା ଅତିରିକ୍ତ ସ୍ପିଲ୍ ୱେ ଲମ୍ବ ପ୍ରାୟ ୯୧ ମିଟର ରହିବ ବୋଲି କୁହାଯାଉଥିଲା । ଏଥିରେ ୫ଟି ସ୍ଲୁଇସ୍ ଗେଟ ରହିବାର ଯୋଜନା ଥିଲା । ଗାନ୍ଧୀମିନାର ନିକଟରୁ ଜବାହାର ଉଦ୍ୟାନ ପଟକୁ ନିର୍ମାଣ ହେବାକୁ ଥିବା ଏହି ଅତିରିକ୍ତ ସ୍ପିଲ୍ ୱେ ଚାନେଲର ଲମ୍ବ ୨ କିମି ଓ ପ୍ରସ୍ଥ ୩ ଶହ ମିଟର ରହିବ । ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୮ରେ ମୋଟ ୩୬୯. ୫୩ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ୯୦୦ କୋଟି ଟଙ୍କାକୁ ଛୁଇଁଥିଲା ।