ବାଥୁଡ଼ି ସାଂସ୍କୃତିକ ସମାବେଶ 

 ନୀଳଗିରି : ନୀଳଗିରି ବ୍ଲକ ତେନ୍ତୁଳିଆ ପଞ୍ଚାୟତ ସ୍ଥିତ ଚରଗଡ଼ି ଖେଳ ପଡ଼ିଆରେ ବାଥୁଡ଼ି ସମ୍ପ୍ରଦାୟ ଜନଜାତିର ଅଧିବାସୀଙ୍କୁ ନେଇ ପଞ୍ଚାୟତସ୍ତରୀୟ ଦୁଇ ଦିବସୀୟ ସାଂସ୍କୃତିକ ସମାବେଶ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ବାଥୁଡ଼ି ଜାତୀୟ ମହାପାତ୍ର ଅଠର ଦେଉଳର ମହାପୂଜକ ନିରଞ୍ଜନ ଦାସ ମହାପାତ୍ରଙ୍କ ଦ୍ୱାରା ମହାପ୍ରଭୁ ବଡାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବଡାମ ପ୍ରେମୀ, ନିମନ୍ତ୍ରିତ ଅତିଥି ଏବଂ ବାଥୁଡ଼ି ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ହଳଦୀ ପାଣିରେ ଗୋଡ ଧୋଇବା ପରେ ବନ୍ଦାପନା ସହିତ ସ୍ୱାଗତ କରାଯାଇଥିଲା । ଯାହା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା । ପରେ ଆସନରେ ଅଳଙ୍କୃତ କରାଯାଇଥିଲା । ପରେ ପରେ ନିମନ୍ତ୍ରିତ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ରାଧାକୃଷ୍ଣ ରାଉତ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ସ୍ୱତନ୍ତ୍ର ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗ ଦେଇ ସଭାକାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ତହସିଲଦାର ଅଶ୍ୱିନ କୁମାର ନାୟକ, ଫକୀରମୋହନ ୟୁନିଭରସିଟି ଜୋଲୋଜି ଡ଼ିପାର୍ଟମେଣ୍ଟର ପ୍ରଫେସର ଅରୁଣ କୁମାର ନାୟକ, କମିଟିର ସମ୍ପାଦକ ରତିକାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଶିକ୍ଷକ ତଥା ଶିକ୍ଷାବିତ ସନ୍ତୋଷ ବାଗ ସିଂ, ଉପଦେଷ୍ଠା ଶିକ୍ଷକ ଅଜୟ କୁମାର ମଢେଇ ମଞ୍ଚାସୀନ ରହି ବାଥୁଡ଼ି ସମ୍ପ୍ରଦାୟର ଥିବା ଅଧିବାସୀମାନଙ୍କ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ରତିକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିବାବେଳେ ଅବସରପ୍ରାପ୍ତ କୃଷି ବିଭାଗ ଅଧିକାରୀ ତଥା ବାଥୁଡ଼ି ସମ୍ପ୍ରଦାୟ ଜିଲ୍ଲା ସଭାପତି  ନିରଞ୍ଜନ ମଢେଇ, ଶିକ୍ଷାବିତ୍ ମହେନ୍ଦ୍ର ବିଶ୍ୱାଳ, ବାଥୁଡ଼ି ସମ୍ପ୍ରଦାୟର ଜିଲ୍ଲା କୋଷାଧ୍ୟକ୍ଷ ଶିକ୍ଷାବିତ୍ ରତିକାନ୍ତ ନାୟକ, ଉପଦେଷ୍ଠା ଅଜୟ କୁମାର ମଢେଇ ମଞ୍ଚାସୀନ ଥାଇ ବାଥୁଡ଼ି ସମ୍ପ୍ରଦାୟ କରିଆସୁଥିବା ପରମ୍ପରାକୁ ଉଦ୍ଜୀବିତ କରିବା ଏକ ପ୍ରୟାସ ବୋଲି ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବେ ଯଶୋଦା ନାୟକ, କୃତିବାସ ବେହେରା, ଉଦଳା ବ୍ଲକ ଚେୟାର ମ୍ୟାନ ପ୍ରତିନିଧି ଶତ୍ରୁଘ୍ନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥାଇ ନିଜର ଅଭିଭାଷଣ ଦେଇଥିଲେ । ପାରମ୍ପରିକ ଚାଙ୍ଗୁ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ସଦର ତହସିଲଦାର ଶ୍ରୀଯୁକ୍ତ  ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥାଇ ପରିଚାଳନାରେ ସହଯୋଗ କରିଥିଲେ ।  ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ ଉକ୍ତ ସମ୍ପ୍ରଦାୟ ର ଅଧିବାସୀ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।