୩ ଦଫା ଦାବି ନେଇ ଚାଷୀଙ୍କ ଆନେ୍ଦାଳନ

 ବରଗଡ  : ଅସହାୟ କୃଷମାନଙ୍କ ଦୁଃଖ ବୁଝିବା ପାଇଁ ସରକାର ପାଖରେ ଆନ୍ତରିକତା ନାହିଁ । ଜିଲ୍ଲାରେ ଦୀର୍ଘ ଏକ ମାସ ହେବ ଲଗାଣ ବର୍ଷା ହେବା ସତ୍ୱେ ମଧ୍ୟ ସରକାରୀ ଅଧିକାରୀମାନେ କିମ୍ବା ଲୋକଙ୍କଦ୍ୱାରା ନିର୍ବାଚିତ ବିଧାୟକ କିମ୍ବା ସାଂସଦଙ୍କ କ୍ଷେତ୍ର ପରିଦର୍ଶନ ନକରିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି  । ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ସରକାରୀ ନିଦେ୍ର୍ଧଶ ଅନୁସାରେ କ୍ଷୟକ୍ଷତି ହେବାର ୪୮ ଘଣ୍ଟା ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଉପରସ୍ଥ ଅଧିକାରୀଙ୍କୁ ପଠାଇବା ପାଇଁ ନିଦେ୍ର୍ଧଶ ଅଛି । ହେଲେ ଏପର୍ଯ୍ୟନ୍ତ ଠିକ ଭାବରେ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ରିପୋର୍ଟ ସଂଗ୍ରହ ହୋଇପାରିନାହିଁ ।  ଏଥିସହ ଜିଲ୍ଲାସ୍ତରରେ ରିଭ୍ୟୁୟୁ ମିଟିଙ୍ଗ ହୋଇପାରିନାହିଁ  । ବରଗଡ଼ ଜିଲ୍ଲାରେ ରବି ଋତୁରେ ୧ଲକ୍ଷ ୪୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଲଘୁଚାପ ଜନିତ କାଳ ବୈଶାଖୀ ଅଦିନିଆଁ ବର୍ଷା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ ଦେଇଥିବା ବେଳେ ସରକାର ସମସ୍ତ ପ୍ରସ୍ତୁତି କରିଥିବା ବାହାସ୍ପଟ ଆଜି ପାଦରେ ପଡିଛି ଫସଲ ନଷ୍ଟ ଏହାର ଉଦାହରଣ ଅଟେ ଏପରି କି ମଣ୍ଡିରେ ମଧ୍ୟ ଧାନ ଭିଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି  । ଚାଷୀଙ୍କୁ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇବାକୁ କୃଷକ ସଂଗଠନ ଏବଂ ବିଭିନ୍ନ ଗ୍ରାମରୁ ଚାଷୀ ମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ତିନି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି  । ଜିଲ୍ଲାରେ ଧାନ କିଣାକୁ ତୁରନ୍ମିତ କରି ଧାନର ଗୁଣବତ୍ତା କୋହଳ କରି ସମସ୍ତ ଚାଷୀଙ୍କ ଧାନ କିଣାଯାଉ, ବାଛବିଚାର ନକରି କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନପୁଟ ସବସିଟି ଦେବାର ବ୍ୟବସ୍ଥା କରାଯାଉ, ଯେଉଁ ମାନେ ବୀମା କରିଛନ୍ତି ସେମାନଙ୍କ ସର୍ଭେ ଶୀଘ୍ର କରି ବୀମା କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉ ବୋଲି ଦାବିରେ ଉଲ୍ଲେଖ କରିଛନ୍ତି । ଏଥିରେ  କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ପ୍ରଶାନ୍ତ ସାହୁ, ସୋହେଲା ର ରବିଶଙ୍କର ପଧାନ, ଲୋକେଶ୍ୱର ସାହୁ, ପ୍ରକାଶ ଭୋଇ, ଅବନୀକାନ୍ତ ପଧାନ, ଭଟଲି ବ୍ଲକ ର ଥବିର ସାହୁ, ଶାନ୍ତନୁ ମାଝୀ, ଅନନ୍ତ ଖମାରୀ, ଦିଲୀପ ସାହୁ, ଭେଡେନ ବ୍ଲକ ସୁଦାମ ପାତ୍ର, ଭିଜନ ପାଢ଼ୀ, ରାଧେଶ୍ୟାମ ଦଣ୍ଡକାର ଏବଂ ଶହ ଶହ ଚାଷୀ ଯୋଗ ଦେଇଥିଲେ ।