୩୦ବର୍ଷ ପରେବି ନାହିଁ ନିଜସ୍ୱ ଘର: ବାର ଦୁଆର ହେଉଛି ଆୟୁଷ ଆରୋଗ୍ୟ ମନ୍ଦିର

 ଯଖପୁରା : ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ସରଳ କରିବା ପାଇଁ ଚେଷ୍ଟା କରୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତି ଭୂମିକୁ ସୁଦୃଢ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ହେଉଛି ସ୍ୱାସ୍ଥ୍ୟ କ୍ଷେତ୍ର । ସ୍ୱାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି କହୁଛନ୍ତି । ମାତ୍ର ଆମେ ଯଦି ତୃଣମୂଳ ସ୍ତରରୁ ଦେଖିବା ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ରହିଛି । ଗାଁ ଗହଳିରେ ଏମିତି କିଛି ସ୍ୱାସ୍ଥ୍ୟ ଅନୁଷ୍ଠାନ ଅଛି ଯେଉଁଠି ଅନେକ ସମସ୍ୟା ରହିଛି । ଯାହାକୁ ବିଭାଗୀୟ ଅଧିକାରୀ ଅଣଦେଖା କରୁଥିବାର ଦେଖିବାକୁ ମିଳୁଛି । ଦାନଗଦୀ ବ୍ଲକ୍ ମାଣତୀରା ଗ୍ରାମରେ ଅନେକ ଦିନ ଧରି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଚାଲୁ ରହିଛି । ଯେଉଁ ଆରୋଗ୍ୟ ମନ୍ଦିରରେ ଦୁଇ ଜଣ କର୍ମଚାରୀ ରହିଥିବା ବେଳେ ବର୍ତ୍ତମାନ ମାତ୍ର ଜଣେ ଏଏନ୍ଏମ ଦିଦି କାର୍ଯ୍ୟ କରୁଛନ୍ତି । ପ୍ରତିଦିନ ଏହି ଆରୋଗ୍ୟ ମନ୍ଦିରରୁ ଆଖପାଖ ଅଞ୍ଚଳରୁ  ପ୍ରାୟ ୨୦ ରୁ ୩୦ ଜଣ ରୋଗୀ ଏଠାକୁ ଆସୁଛନ୍ତି । ଅନୁଷ୍ଠାନଟି ପ୍ରାୟ ୩୦ ବର୍ଷ ଧରି ଚାଲୁ ରହିଛି । ଯେତେ ବେଳେ ସ୍ୱାସ୍ଥ୍ୟ ବିଭାଗର ବର୍ତ୍ତମାନ ତୁଳନାରେ ପ୍ରଚାର ପ୍ରସାର ନଥିଲା ସେତେ ବେଳେ ଏହି ଆରୋଗ୍ୟ ମନ୍ଦିର ରୋଗୀଙ୍କ ଅଭାବ ଅସୁବିଧାରେ ସହାୟକ ହେଉଥିଲା । ମାଣତୀରା ପଞ୍ଚାୟତର ଅନେକ ଆଖ ପାଖ ଗାଁ ଆରହା ସାହି, ଜହ୍ନିତୋଟା, ମାନତୀରା, କେନ୍ଦୁଢିପ, ରାବଣା ଆଦି ଗ୍ରାମରୁ ସ୍ୱାସ୍ଥ୍ୟ ସେବା ପାଇଁ ଏଠାକୁ ଆସିଥାନ୍ତି । ତା ସହିତ ଆଖପାଖ କୁମ୍ଭିରଗଡିଆ, ପଙ୍କପାଳ ପଞ୍ଚାୟତରୁ ଅନେକ ରୋଗୀ ଏହି ଆରୋଗ୍ୟ ମନ୍ଦିରକୁ ଆସିଥାନ୍ତି । ଅନେକ ଦିନ ଧରି ଏହା ମାଣତୀରା ସ୍କୁଲ ଏରିଆରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଇଁ ଉଦ୍ଧିଷ୍ଟ ଘରେ ଚାଲୁଥିଲା । ମାତ୍ର କିଛି ବର୍ଷ ପରେ ଏହି ଘର ଭାଙ୍ଗି ରୁଜି ଯିବାରୁ ସେ ଘରେ ଆଉ ରୋଗୀ ସେବା କରିବା ସମ୍ଭବ ହେଲା ନାହିଁ । ଫଳରେ ପ୍ରାୟ ଆଠ ଦଶ ବର୍ଷ ହେବ ଆରୋଗ୍ୟ ମନ୍ଦିରଟିକୁ ଚଳାଇବା ପାଇଁ ବାର ଦୁଆର ହେବାକୁ ପଡୁଛି । ଶେଷରେ ଗଲା ଦୁଇ ତିନି ବର୍ଷ ହେବ ମାଣତୀରା ପଞ୍ଚାୟତର ନାଏବ ସରପଞ୍ଚ ଦିପେଶ ଘଡ଼ାଇଙ୍କ ସହଯୋଗରେ ରାଜୀବ ଗାନ୍ଧି ଗ୍ରାମୀଣ ଘରେ ଅନୁଷ୍ଠାନଟି ଚାଲୁ ରହୁଛି । ଫଳରେ ଆଜି ପର୍ଯ୍ୟନ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଇଁ ଆଉ ନୂତନ ଘର ନିର୍ମାଣ ହେବାର ବ୍ୟବସ୍ଥା କରାଯାଉ ନାହିଁ । ଫଳରେ ବର୍ଷ ବର୍ଷ ଧରି ଆରୋଗ୍ୟ ମନ୍ଦିରଟି ପଞ୍ଚାୟତ ଘରେ ଚାଲୁ ରହୁଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରୋଗୀ ପର୍ଯ୍ୟନ୍ତ ସମସ୍ତେ  ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ସରକାର ଆରୋଗ୍ୟ ମନ୍ଦିର ପାଇଁ ନିଜସ୍ୱ ଘର ଯୋଗାଇ ଦେଲେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ।