ପେଟପାଟଣାରେ ସହାୟକ ସାଜୁଛି ନିମ୍ୱଫଳ  : ବିକ୍ରି ବଦଳରେ ମିଳୁଛି ଘରକରଣା ସାମଗ୍ରୀ 

 କୋକସରା :  ଲଘୁବନଜାତ ଦ୍ରବ୍ୟ ବନ, ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଅନେକ ସମୟରେ ଜୀବନ ଜୀବିକା ସାଜି ଆସୁଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଯଖୋଳ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳର ଗାଁ ଗୁଡ଼ିକର ଲୋକେ ରୋଜଗାର ଅଭାବରୁ ନିଜର ଅଭାବ ଅସୁବିଧା ମେଣ୍ଟାଇବା ପାଇଁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବିଭିନ୍ନ ସମୟରେ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଏବେ ଗ୍ରୀଷ୍ମ ଋତୁର ଟାଣ ଖରାକୁ ମଧ୍ୟ ଖାତିର ନ କରି  ମହିଳା ଓ ପୁରୁଷମାନେ ନିମ୍ୱଫଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ନିମ୍ବ ଫଳରେ ଔଷଧୀୟ ଗୁଣ ରହିଥିବା ବେଳେ ବଜାରରେ ଏହାର ବେଶ୍ ଚାହିଦା ରହିଛି  । ନିମ୍ୱଫଳ ସଂଗ୍ରହ ପାଇଁ ଅଞ୍ଚଳର ଚାଷ ଜମି ହୁଡ଼ା ମାନଙ୍କରେ ଯାଇ ଟୋକେଇ ସାହାଯ୍ୟରେ ସଂଗ୍ରହ କରି ଘରକୁ ଆଣି ୨ରୁ ୩ ଦିନ ଧରି ଟାଣ ଖରାରେ ଶୁଖାଇଥାନ୍ତି । ହେଲେ ଏହି ଲଘୁ ବନଜାତ ଦ୍ରବ୍ୟ ନିମ୍ୱଫଳର ସରକାରୀସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ ଗୋଟାଳିମାନେ କଷ୍ଟରେ ସଂଗ୍ରହ କରିଥିବା ନିମ୍ୱଫଳକୁ ଉଚିତ୍ ମୂଳରେ ବିକ୍ରି କରି ନ ପାରି ବାଧ୍ୟ ହୋଇ କେଜି ପ୍ରତି ୧୫ ରୁ ୨୦ ଟଙ୍କା ମୂଳରେ ଦଲାଳ ହାତରେ ଟେକି ଦେଇ ବଦଳରେ ଘର ଚଲଣୀ ସାମଗ୍ରୀ ତେଳ, ଲୁଣ, ସାବୁନ, ସର୍ଫ, ଚିନି, ମୁଗ, ଚାପତି ଆଦି ଘରକୁ ନେଇଥାନ୍ତି । ଯାହା ଫଳରେ ନିମ୍ୱଫଳ ସଂଗ୍ରହ କରୁଥିବା ଗୋଟାଳିମାନେ ଶୋଷଣର ଶିକାର ହେଉଥିବା ବେଳେ ଏଠି କିନ୍ତୁ ଦଲାଲ ମାଲେମାଲ ହେବା ସଙ୍ଗେ ଏହି ଋତୁରେ ନିମ୍ୱଫଳ କିଣି ପଡୋଶୀ ରାଜ୍ୟ ଛତିଶଗଡ଼ ଦେଭୋଗ, ଝାକରପଡ଼ା କୁ ପିକଅପ୍ ମିନି ଟ୍ରକ୍ ଯୋଗେଁ ରପ୍ତାନି କରି ଏହାର ଭରପୁର ଫାଇଦା ଉଠାଇଥାନ୍ତି । ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ସରକାରଙ୍କ ପକ୍ଷରୁ ବଜାର ବ୍ୟବସ୍ଥା କରାଗଲେ ନିମ୍ୱଫଳ ଗୋଟାଳିମାନେ ଦଲାଲମାନଙ୍କ ଶୋଷଣର ଶିକାରରୁ ବଞ୍ଚôତ ହେବେ ବୋଲିି ସାଧାରଣରେ ଦାବି ହେଉଛି ।