୭ ପଞ୍ଚାୟତକୁ ନିଶ୍ଚିନ୍ତକୋଇଲି ଥାନା ଅଧୀନକୁ ଆଣିବା ପାାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧିନସ୍ଥ ଜିଗ୍ନୀପୁର, ଫଗୋଳ, କୋଲଣପୁର, କେନ୍ଦୁପାଟଣା, ବରାଦୋ, ଜୟରାମପୁର ଓ ରାମକୃଷ୍ଣପୁର ଆଦି ୭ଗୋଟି ପଞ୍ଚାୟତ ସାଲେପୁର ଥାନା ଅଧିନରେ ରହିଥିବାରୁ ଭୌଗୋଳିକ ଦୃଷ୍ଟି କୋଣରୁ ଉପରୋକ୍ତ ୭ପଞ୍ଚାୟତର ଜନ ସାଧାରଣ ପୁଲିସ ପ୍ରଶାସନିକ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ତ ପଞ୍ଚାୟତଗୁଡ଼ିକ ନିଶ୍ଚିନ୍ତକୋଇଲି ଥାନା ଠାରୁ ଦୂରତ୍ୱ କମ୍ ଥିବାବେଳେ ସାଲେପୁର ଥାନା ଠାରୁ ଅଧିକ ଦୂରତ୍ୱ । ଏହି ପଞ୍ଚାୟତ ଗୁଡ଼ିକ ନିଶ୍ଚିନ୍ତକୋଇଲି ଥାନା ଅଧିନକୁ ଆସିଲେ ପଞ୍ଚାୟତବାସୀ ସୁବିଧା ଓ ସହଜରେ ନିଜ ନିଜର ସମସ୍ୟା ନେଇ ଥାନାର ଦ୍ୱାରସ୍ଥ ହୋଇପାରିବେ ଓ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପକ୍ଷରୁ ସେମାନଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବା ସମ୍ଭବପର ହୋଇପାରିବ । ୭ଟି ପଞ୍ଚାୟତର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ୭ଗୋଟି ପଞ୍ଚାୟତକୁ ସାଲେପୁର ଥାନା ଅଧିନରୁ କାଢି ନିଶ୍ଚିନ୍ତକୋଇଲି ଥାନା ଅଧିନକୁ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପ୍ରମୋଦ କୁମାର ରାଉତ(ଟୁଟୁ) ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଯାହାର କେସ୍ ନଂ - ଡ଼ି.ଡବ୍ଲୁ.ପିସି.ନଂ-୩୩୧୩୫/୨୦୨୫ ଅଟେ ।