୭ ବୋମାକୁ ନିଷ୍କ୍ରିୟ କଲେ ପୁଲିସ ଦଳ

 ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲା ବୈଦ୍ୟନାଥପୁର ଥାନା ଇଲାକରେ ସକ୍ରିୟ ହେଇଛନ୍ତି ଅପରାଧୀ । ଦିନକୁ ଦିନ ବଢୁଛି ଅପରାଧ । ପୁଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ପୁଲିସ ଟେର ପାଉନି ଅପରାଧୀଙ୍କୁ । ତେବେ ଆଜି ବୈଦ୍ୟନାଥପୁର ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କୌଣସି ଏକ ଅଘଟଣ ଘଟାଇବା ପାଇଁ ଏକ ବ୍ୟାଗରେ ରହିଥିବା ୭ ଗୋଟି ବୋମାକୁ ନିଷ୍କ୍ରିୟ କରିବା ସହିତ ଜଣଙ୍କୁ ଅଟକ ରଖିଛି ପୁଲିସ । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଏକ ଅର୍ଦ୍ଧ ନିର୍ମିତ ଘରେ କିଛି ଦୁର୍ବୃତ୍ତ କିଛି ଯୋଜନା କରୁଥିବା ଖବର ପାଇ ପୁଲିସ ସେଠାରେ ଚଡାଉ କରିଥିଲା । ପୁଲିସକୁ ଦେଖି ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ । ତେବେ ବୋମାଗୁଡିକୁ ସେଠାରେ ଛାଡି ଚାଲି ଯାଇଥିଲେ । ପରିପାର୍ଶିକ ସ୍ଥିତିରୁ ଜଣାଯାଏ ଅପରାଧୀମାନେ କିଛି ଦିନ ଧରି ଏହି ଘରେ ରହି ଯୋଜନା ପ୍ରସ୍ତୁକ କରୁଥିଲେ । ସେଠାରେ ମଦ ବୋତଲ, ଜଳଖିଆ ଏବଂ ଏକ କାଠ ଚୁଲା ରହିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଉକ୍ତ ୭ଟି ବୋମାକୁ ବ୍ୟାଟେରୀ ମାଧ୍ୟମରେ ଫୁଟାଇ ନିଷ୍କ୍ରିୟ କରିଛି ପୁଲିସ ଦଳ । ଏହି ସଂକ୍ରାନ୍ତରେ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ଏସପି ସର୍ବଣା ବିବେକ ଏମ କହିଛନ୍ତି । ଖୁବଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏସପି ଶ୍ରୀ ବିବେକ କହିଛନ୍ତି  । ତେବେ ସହରରେ ସକ୍ରିୟ ହୋଇଛନ୍ତି ଅପରାଧୀ ଗୋଷ୍ଠୀ, ଯାହା ଫଳରେ ସହରବାସୀ ଭୟଭୀତ ହୋଇଛନ୍ତି । ପୁଲିସର ଢିଲା ପେଟ୍ରୋଲିଂକୁ ଦାୟୀ କରିଛନ୍ତି ସହରବାସୀ । ଆଗକୁ ପେଟ୍ରୋଲିଂ କଡାକଡି କରାଯିବା ସହିତ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ସର୍ବଣା ବିବେକ ଏମ କହିଛନ୍ତି । ସୂଚନା ଥାଉକି ସହରରେ ଗାଡିରେ ପ୍ରେସ, ଓକିଲ ଏବଂ ପୁଲିସ ଲେଖି ମାଳ ମାଳ ଗାଡି ଘୁରି ବୁଲୁଛି ଯାହାକି ଅପରାଧୀମାନେ ପୁଲିସକୁ ଚକ୍ଷ୍ମା ଦେଇ ଚାଲି ଯିବାକୁ ସୁଭିଧା ହୁଏ । ତେଣୁ ଗାଡି ଯାଞ୍ଚ ସହିତ ପରିଚୟ ପତ୍ର ଯାଞ୍ଚ କରାଯିବା ଉଚିତ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି  । ମଦ, ଜୁଆ ଆଡା, ଚୋରା ବାଲି ଚାଲାଣ କରୁଥିବା ବି ଅଭିଯୋଗ ହେଉଛି । ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।