୭୬ ବର୍ଷ ପରେ ହୁଡି ସାହିକୁ ପକ୍କା ରାସ୍ତା  : ପୂରଣ ହେବ ଦୀର୍ଘଦିନର ଦାବି

ଚମ୍ପୁଆ : ଚମ୍ପୁଆ ଏନ୍ଏସିର ୧୦ ବର୍ଷ ପୁରିବାକୁ ଆଉକିଛି ଦିନ ବାକି ରହିଥିବା ବେଳେ ୧୩ ନଂ ୱାର୍ଡର ହୁଡିସାହି ଗାଁକୁ ନିତିଦିନିଆ ରାସ୍ତା ନଥିବା ଖବରପ୍ରକାଶ ପରେ ଏନ୍ଏସି ଅଧିକାରୀଙ୍କ ପାଦ ହୁଡିସାହିରେ ପଡିଛି । ତୁରନ୍ତ ଏନେଇ ପଦକ୍ଷେପ  ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆର୍କଶଣ କରାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତିି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା । ସୂଚନା ଅନୁସାରେ  ଜନସାଧାରଣଙ୍କ ବିଭିନ୍ନ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବା ଚମ୍ପୁଆଏନଏସିର ପ୍ରଥମ କର୍ତବ୍ୟ ହୋଇଥିବା ବେଳେ ରାସ୍ତା ପାଇଁ ହୁଡିସାହି ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଆଜିପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ୫ ଜଣ ଏନ୍ଏସି ନିର୍ବାହୀ ଅଧିକାରୀ ନିଜ ଦାୟିତ୍ୱ ନିର୍ବାହ କରି ଅନ୍ୟତ୍ର ବଦଳି ହୋଇଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଗ୍ରାମବାସୀଙ୍କ ରାସ୍ତା ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ନିତିଦିନିଆ ରାସ୍ତା ନଥିବାରୁ ଲୋକେ ଜଙ୍ଗଲ ରାସ୍ତା ଓ ପାଦ ଚଲା ରାସ୍ତା ଭରଷାରେ ଦିନ କାଟୁଛନ୍ତି । ଏନ୍ଏସି ମୁଖ୍ୟାଳୟରେ ରାସ୍ତା ଘାଟର ଉନ୍ନତି ହୋଇଚାଲିଥିବା ବେଳେ ଉପାନ୍ତ ଏହି ହୁଡି ସାହିର ନିତିଦିନିଆ ରାସ୍ତା ନିର୍ମାଣ ନହେବା ଗ୍ରାମବାସୀଙ୍କ ମନରେ ଗଭୀର ଆଘାତ ପ୍ରଦାନ କରିଛି । ବର୍ଷା ଦିନେ ନାହିଁ ନଥିବା କଷ୍ଟ ପାଉଥିବା ଏହି ଗ୍ରାମବାସୀ ଅନ୍ୟଦିନ ଗୁଡିକରେ ଏନ୍ଏସି ମୁଖ୍ୟାଳୟକୁ ଆସିବାକୁ ହେଲେ ରଜିଆ ପଞ୍ଚାୟତର କଞ୍ଚନପୁର ଓ ଜୟନ୍ତିନାପୁର ଦେଇ ୪ରୁ ୫ କି.ମି ବୁଲିବାକୁ ପଡୁଛି । ରାଜାରାଜଗୁଡା ଅଂଚଳରୁ ଏଠାରେ ବସବାସ କରିଆସୁଥିବା ପ୍ରାୟ ୩୦୦ ରୁ ଅଧିକ ଲୋକ ରାଜତନ୍ତ୍ର ସମୟରେ ବିଟି ବା ସବାରୀ ବାହାକ ରୂପରେ କାର୍ଯ୍ୟକରି ଆସୁଥିଲେ । ରାଜତନ୍ତ୍ର ଯାଇଛି ଏବେ ଗଣତନ୍ତ୍ର ଚାଲିଛି ତଥାପି ଏ ଗାଁ ଆଜି ଚମ୍ପୁଆ ଏନ୍ଏସିର ସାବତ ପୁଅ ପାଲଟିଯାଇଛି । ୧୩ ନମ୍ବର ୱାର୍ଡ ନୁଆଗାଁର ଏହା ଏକ ବିରାଟ ସାହି ହୋଇଥିବା ବେଳେ ପାହାଡ ଘେରା ଏହି ସାହିକୁ ହୁଡି ସାହିରୂପରେ ନାମିତ କରାଯାଇଛି । ଏହି ଆଦିବାସୀ ଗାଁରେ ଶତକଡା ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିଲେ ମଧ୍ୟ ସ୍ୱାଧିନତାର ୭୬ ବର୍ଷ ପରେବି ରାସ୍ତାଟିଏ ପାଇପାରିଲେ ନାହିଁ । ଖବର ପ୍ରକାଶ ପରେ ଏନ୍ଏସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।