୯ ଘଣ୍ଟା ଶବ ଧରି ବସିଲେ ସ୍ୱାମୀ : ମାନବିକତା ଦେଖାଇଲେ ସ୍ଥାନୀୟ ଯୁବକ
କପ୍ତିପଦା : ସ୍ତ୍ରୀ ର ମୃତଦେହ ପଡିଛି ଟ୍ରଲି ଉପରେ । ଦୀର୍ଘ ସମୟ ଧରି ଶବ ପଡି ରହିବାରୁ ସ୍ୱାମୀ ଟ୍ରଲି ପାଖରେ ଛିଡା ହୋଇ ଶବ ଉପରେ ବସୁଥିବା ମାଛି ଘଉଡ଼ାଉଛି ଆଉ ଶବ ପାଖରେ ଧୂପ ମଧ୍ୟ ଦେଉଛି ସ୍ୱାମୀ । ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ । ମା ର ମୃତୁ୍ୟ ପରେ ଆପଣେଇଲେ ନାହିଁ ପୁଅ ଝିଅ । ବିଲ ଭିତରେ ମୃତଦେହକୁ ଟ୍ରଲିରେ ଧରି ବ୍ୟବଛେଦ ହୋଇଥିବା ଶବକୁ ୯ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କପ୍ତିପଦା ବଜାର ନିକଟରେ । ବଜାର ଠାରୁ ଦୂରରେ ରହୁଥିବା ବିଶ୍ୱନାଥ ମୁର୍ମୁଙ୍କ ସ୍ତ୍ରୀ ସୀତା ମୁର୍ମୁଙ୍କର ରବିବାର ସନ୍ଧ୍ୟାରେ ମୃତୁ୍ୟ ହୋଇଥିଲା । ଉଦଳା ଡାକ୍ତରଖାନାରେ ଶବ ବ୍ୟବଛେଦ ହୋଇ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଶବ ଆସିବା ପରେ ସୀତାଙ୍କ ପୁଅ ଝିଅ ମା ର ମୃତଦେହ ଦାହ କରିବେ ନାହିଁ ବୋଲି ରୋକଠୋକ ବାପା ବିଶ୍ୱନାଥଙ୍କୁ ଶୁଣାଇ ଦେଇଥିଲେ । ଫଳରେ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ଧରି ୯ ଘଣ୍ଟା ବିତିଯାଇଥିଲେ ଶୁଦ୍ଧା ସ୍ତ୍ରୀର ଶବକୁ କିପରି ଦାହ କରିବେ ଜାଣିନପାରି ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଥିଲେ । ପର କରିଦେଲା ଅନ୍ତଃଚିରି ଜନ୍ମ ଦେଇଥିବା ପୁଅ ଓ ଝିଅ । ଏହାର ଖବର ପାଇବା ପରେ ମାନବିକତା ଦେଖାଇଲେ ଯୁବକମାନେ । ଯେଉଁଥିପାଇଁ ୯ ଘଣ୍ଟା ପରେ ସ୍ଥାନୀୟ ଯୁବକମାନେ ଆସି ଅନ୍ତିମ ସଂସ୍କାର କରିଥିଲେ ।