ଅଁଳା ନବମୀ ଓ ଶ୍ରୀ ରାଧାପାଦ ଦର୍ଶନ

ଅଁଳା ନବମୀ ଓ ଶ୍ରୀ ରାଧାପାଦ ଦର୍ଶନ

ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ : କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଇଥାଏ । ଅଁଳାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ଦ୍ରବ୍ୟର ମାନ୍ୟତା ଦିଆଯାଇଛି । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିଦେବଙ୍କ ଅତିପ୍ରିୟ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ଆର୍ୟୁବେଦ ଚିକିତ୍ସା ପଦ୍ଧତିରେ ଅଁଳା ଏକ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ମାନ୍ୟତା ପାଇଛି । ଅଁଳାକୁ ସଂସ୍କୃତରେ ତିଷ୍ୟଭଳା, ଅମୃତା, ବୟସ୍କା, କାୟସ୍ଥା, ଶ୍ରୀଫଳା, ଧାତ୍ରିକା, ଶିବ, ଶାନ୍ନା, ଧାତ୍ରୀ, ବୃଷ୍ୟା, ବୃତଫଳ, ରୋଚନୀ, କର୍ଷଫଳା ଆଦି କୁହାଯାଇଥାଏ । ସାଧାରଣତଃ କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳୀମାନେ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଅଁଳା ବାଟରେ ସ୍ନାନ କରାଇଥାନ୍ତି । ମହିଳାମାନେ ଦିନଯାକ ଉପବାସ କରିଥାନ୍ତି । ସେମାନେ ଅଁଳା ଗଛ ତଳେ ଭୋଗ ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ଏହାପରେ ସେମାନେ ଅଁଳା ଗଛ ଚାରିପାଖେ ବୁଲି ପୂଜାର୍ଚ୍ଚନା କରିଥାନ୍ତି । ଅଁଳା ନବମୀରୁ କାର୍ତ୍ତିକ ଶେଷ ଯାଏ ଅଁଳା ବଟା ବୋଳି ହୋଇ ସ୍ନାନ କରିବା ଏକ ଓଡ଼ିଆ ପରମ୍ପରା ।

    ଅଁଳା ବୃକ୍ଷର ଉତ୍ପତ୍ତିକୁ ନେଇ ଏକ କିମ୍ବଦନ୍ତୀ ରହିଛି । ଥରେ ଅଁଳା ବୃକ୍ଷର ଉତ୍ପତ୍ତି ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂଆ ଦ୍ରବ୍ୟ ଦେବା ପାଇଁ ମନସ୍ଥ କଲେ । କ'ଣ ଦେବେ ଭାବୁ ଭାବୁ ଦୁହିଁଙ୍କ ଆଖିରୁ ଏକ ସଙ୍ଗେ ଲୁହ ବୋହି ଚାଲିଲା । ସେହି ଆନନ୍ଦାଶ୍ରୁ ଭୂଇଁରେ ପଡ଼ି ଅଁଳା ଗଛ ସୃଷ୍ଟି ହୋଇଥିଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜ ନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନସ୍ଥ କଲେ । ହେଲେ ପାର୍ବତୀଙ୍କ ପାଖରେ ବେଲପତ୍ର କି ଲକ୍ଷ୍ମୀଙ୍କ ନିକଟରେ ତୁଳସୀ ନଥିଲା । ଦୁହେଁ ଭାବନାରେ ପଡ଼ିଗଲେ । ଠିକ୍‌ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସେମାନଙ୍କ ସମସ୍ୟା କଥା ଶୁଣିଲେ । ଅଁଳା, ବିଲ୍ୱ ଓ ତୁଳସୀର ସମାହାର ବୋଲି ନାରଦ ସେମାନଙ୍କୁ କହିଥିଲ । ଏହାପରେ ଦୁହେଁ ଅଁଳା ଗଛ ନିକଟରେ ପୂଜା କାର୍ଯ୍ୟ କଲେ । ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ । ଓଡ଼ିଶାର ରାଜା ଶ୍ରୀ ପୁରୁଷୋତ୍ତମ ଦେବା କାଞ୍ଚି ବିଜୟ ପରେ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କୁ ପୁରୀ ନେଇ ଆସିଥିଲେ । ପ୍ରଥମେ ଏହି ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପରେ ରହିଥିଲେ । ପରେ ସ୍ୱପ୍ନାଦେଶ କ୍ରମେ ପୁରୀ ଠାରୁ ୧୫ ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ସାକ୍ଷୀଗୋପାଳ ସ୍ଥାପିତ ହୋଇଥିଲେ । ସାକ୍ଷୀଗୋପାଳ ରହିଥିବାରୁ ସେହି ସ୍ଥାନଟି ସାକ୍ଷୀଗୋପାଳ ନାମରେ ନାମିତ ହେଲା । ସମୟକ୍ରମେ ଶ୍ରୀକୃଷ୍ଣଙ୍କ ପ୍ରିୟା ଶ୍ରୀରାଧା ସାକ୍ଷୀଗୋପାଳ ବଡ଼ପଣ୍ଡ ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମ ନେଲେ । 

    ପ୍ରଭୁ ସାକ୍ଷୀଗୋପାଳ ପ୍ରତି ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀଙ୍କ ସହ କେଳି କରନ୍ତି ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ର ପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ଶେଯରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋରା କହି ନିର୍ଯାତନା ଦେଲେ । ହେଲେ ଭକ୍ତବତ୍ସଳ ଭଗବାନ ଏହା ଜାଣିପାରି ରାଜାଙ୍କୁ ସ୍ୱପ୍ନାଦେଶ କଲେ । ତୁରନ୍ତ ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇବା ପାଇଁ ରାଜାଙ୍କୁ କହିଲେ । ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଆଣି ଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତି ନିର୍ମାଣ ଆରମ୍ଭ ହେବା ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ । ମୂର୍ତ୍ତିର ଜୀବନ୍ୟାସ ଦିଆଯିବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଛା ଅନୁଯାୟୀ ଲକ୍ଷ୍ମୀଙ୍କ ମରଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା । ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ମା'ଲକ୍ଷ୍ମୀ ବା ଶ୍ରୀରାଧାଙ୍କୁ ପଶ୍ଚିମାଞ୍ଚଳ ମହିଳାଙ୍କ ପରି ପିନ୍ଧା ଶାଢ଼ି ଦ୍ୱାରା ତାଙ୍କ ପାଦପଦ୍ମ ବର୍ଷସାରା ଘୋଡ଼ି ହୋଇ ରହିଲା । ତେବେ ମା'ଙ୍କୁ ବର୍ଷକେ ଥରେ ଓଡ଼ିଆଣୀ ଭାବେ ବେଶ କରିବା ଲାଗି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଠାକୁରାଣୀ କାଣିଆ କଛା ମାରି ଶାଢ଼ି ପିନ୍ଧନ୍ତି । ଫଳରେ ତାଙ୍କ ପାଦଯୋଡ଼ି ଦେଖାଯାଇଥାଏ । ଭକ୍ତମାନେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହାକୁ ରାଧାପାଦ ଦର୍ଶନ କୁହାଯାଏ । ଏହିଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଟୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଦେବୀ ଶ୍ରୀରାଧାଙ୍କ ପାଦ ଦର୍ଶନ ନିମିତ୍ତ ଓଡ଼ିଶା ଓ ଓଡ଼ିଶା ବାହାରୁ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ ।

 
ବାଲିଗୁଡ଼ା, କନ୍ଧମାଳ
ମୋ : ୯୪୩୭୨୪୨୩୧୭