ଅକ୍ଟୋବର ମାସ: ଲଘୁଚାପ ଓ ବାତ୍ୟା
ହିମାଂଶୁ ଶେଖର ଆଚାର୍ଯ୍ୟ : ଅକ୍ଟୋବର ମାସ ସରିନି କି ବାତ୍ୟାଭୟ ଯାଇନି । ଓଡିଶା ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ୨୪ ରୁ ୨୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଲଘୁଚାପ ଯୋଗୁ ୨୪ଘଣ୍ଟାରେ ଅବପାତ ରୂପନେବ ଏହାର ପ୍ରଭାବରେ ୩୦ ରୁ ୪୦ କିଲୋମଟିର ବେଗରେ ପବନ ହେବା ଆଶଙ୍କା କରାଯାଉଛି । ଯଦିଓ ସମ୍ଭାବ୍ୟ ବାତ୍ୟାର ଆକଳନ କରାଯାଇନାହିଁ ତଥାପି ବାହାର ସଂସ୍ଥାର ସୂଚନା ଅନୁଯାୟୀ ବାତ୍ୟାର ସମ୍ଭାବନାକୁ ଏଡା ଦିଆଯାଇନପାରେ । ସେ ଯାହା ହେଉନା କାହିଁକି ଲୋକମାନେ ଆତଙ୍କିତ । କାରଣ ଅକ୍ଟୋବର ହେଉଛି ବାତ୍ୟାର ମାସ । ଅକ୍ଟୋବର ମାସ ଆସିଲେ ଓଡିଶା ମୁହାଁ ହୁଏ ବାତ୍ୟା ଜଳରୁ ସ୍ଥଳକୁ ଆସି ତାଣ୍ଡବ ରଚେ । ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟା ଓଡିଶାକୁ ଧାଇଁ ଆସିବାର ନଜିର ରହିଛି । ଓଡିଶାକୁ ବଡବଡ ବାତ୍ୟା ହିଁ ଅକ୍ଟୋବର ମାସରେ ଆସିଛି । ଏବେ ଅକ୍ଟୋବର ମାସ ଚାଲିଛି । ସେ ୧୯୯୯ମସିହାର ମହାବାତ୍ୟା ହେଉ କି ୨୦୧୩ର ଫାଇଲିନ, ୨୦୧୪ର ହୁଡୁହୁଡୁ, ୨୦୧୮ର ତିତିଲି, ୨୦୨୪ର ଦାନା ଓଡିଶାକୁ ଛୁଇଁ ତାଣ୍ଡବ ରଚିଛି । ୧୯୯୯ରୁ ୨୦୨୪ଯାଏ ୫ଟି ବଡ ବାତ୍ୟା ପ୍ରଳୟ ରଚିଥିବା ବେଳେ ଅନେକ ଛୋଟ ବାତ୍ୟା ମଧ୍ୟ ପ୍ରଭାବ ପକାଇଛି । ତେବେ ୧୯୯୯ର ମହାବାତ୍ୟାକୁ ଓଡିଶାବାସୀ କେବେବି ଭୁଲିପାରିବେ ବାହିଁ ଏହି ପ୍ରଳୟଙ୍କାରୀ ମହାବାତ୍ୟା ଅକ୍ଟୋବରରେ ଓଡିଶାକୁ ଆସିଥିଲା ଓ ତାଣ୍ଡବ ରଚିଥିଲା ।
ସୂଚନାଯୋଗ୍ୟଯେ, ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ ମସିହାରେ । ଆଣ୍ଡାମାନ ସାଗରରେ ୨୫ ଅକ୍ଟୋବରରେ ସୃଷ୍ଟି ହୋଇ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ମହାବାତ୍ୟା ରୂପ ନେଇଥିଲା । ଜଗତସିଂହପୁର ଜିଲ୍ଲାରେ ଅକ୍ଟୋବର ୨୯ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିଥିଲା । ବାତ୍ୟା ସ୍ଥଳଭାଗରେ ମାଡ ସମୟରେ ଘଣ୍ଟା ପ୍ରତି ୨୬୦ କି.ମି ବେଗରେ ପବନ ବହିଥିଲା । ଫଳରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡିକ ଛାରଖାର ହୋଇଯାଇଥିଲା । ବାତ୍ୟା ମାଡ ହେବା ପରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କି.ମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିଥିଲା । ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୧୮ଲକ୍ଷରୁ ଅଧିକ ଘର ମାଟିରେ ମିଶିଥିଲା । ଅଦ୍ୟାବଧି ଏହାକୁ ଭାରତର ସବୁଠାରୁ ବଡ ବାତ୍ୟା ଭାବେ ବିବେଚନା କରାଯାଉଛି । ଏହି ବାତ୍ୟାକୁ ଏବେ ୨୪ ବର୍ଷରେ ପହଞ୍ôଚଛି । ସେହିପରି ୧୯୯୯ ମହାବାତ୍ୟାକୁ ଛାଡ଼ି ଦେଲେ ୨୦୧୩ ଅକ୍ଟୋବର ୧୨ରେ ଫାଇଲିନ୍ ଓ ୨୦୧୪ ଆକ୍ଟୋବର ୧୨ରେ ହୁଡୁହୁଡୁ ଓଡ଼ିଶାରେ ହା’ହା’କାର ସୃଷ୍ଟି କରିଥିଲା । ଏହିସବୁକୁ ରାଜ୍ୟବାସୀ ସାମ୍ନା କରିଛନ୍ତି ଓ ଏହି ଦିନ ଗୁଡ଼ିକ ଅଭୁଲା ସ୍ମୃତି ହୋଇ ରହିଛି ।
ପ୍ରାକୃତିକ ବିପର୍ଯ୍ୟୟର ଚିରସହଚର ହୋଇଛି ଓଡ଼ିଶା । ଏକ ତଥ୍ୟ ମୁତାବକ ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟ ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ବାତ୍ୟା ସଂଖ୍ୟା ୯ ଥିଲା । ୧୯୧୧ରୁ ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ ମଧ୍ୟରେ ୧୦ଟି ବାତ୍ୟ ସାମ୍ନା କରିଛି ଓଡିଶା । ଏ ପ୍ରସଙ୍ଗରେ ଜଣାପଡିଛି ଯେ, ୧୯୯୯ ମହାବାତ୍ୟା ପରେ ୧୦ ବର୍ଷ ଧରି ରାଜ୍ୟ ଆଦୌ ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ ବାତ୍ୟା ସହ ୭ଟି ବାତ୍ୟା ଓଡିଶା ଉପକୂଳ ଦେଇ ଯାଇଛି । ନିକଟରେ ‘ୟସ’କୁ ମିଶାଇଲେ ଏହି ସଂଖ୍ୟା ୪ ହେବ । ଆଉ ଏକ ରିପୋର୍ଟରୁ ଜଣାପଡିଛି ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ତନ୍ମଧ୍ୟରୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକଓ ଆନ୍ଧ୍ରର ମଛଲିପଟନ ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ବୋଲି କୁହାଯଉଛି । ଗବେଷଣାରୁ ଜଣାପଡିଛି ମୌସୁମୀ ପରବର୍ତ୍ତୀ ସମୟରେ ଅଧିକ ବାତ୍ୟା ଆସୁଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯଦିଓ ରାଜ୍ୟ ସରକାର ଅନେକାଂଶରେ ସକ୍ଷମ ହୋଇଛନ୍ତି ତଥାପି ଏହାର ପ୍ରଭାବ ଅଧିକ ଘାତକ ହେଉଛି ।
ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବିପଦକୁ ଡାକି ଆଣୁଛି । ଏନେଇ ସାମୁଦ୍ରିକ ବିଜ୍ଞାନୀମାନେ ଅଙ୍କକଷା ଆରମ୍ଭ କରିଛନ୍ତି । ଏହି ଜଳ ବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ ରହୁଛି । ଫଳରେ ପ୍ରତିବର୍ଷ ହାରାହାରି ଗୋଟିଏ ବଡ ବାତ୍ୟା ରାଜ୍ୟର ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆଘାତ ଦେଉଛି । ସୂଚନାଯୋଗ୍ୟ ଯେ, ଗତ ୩ବର୍ଷ ମଧ୍ୟରେ ପାଖା ପାଖି ଦେଢଲକ୍ଷ ଘର ମାଟିରେ ମିଶିଛି । ୭ଲକ୍ଷ ହେକ୍ଟର ଜମିର ଫସଲ ଉଜୁଡିଛି । ୪ହଜାରରୁ ଊଦ୍ଧ୍ୱର୍ ଗୋସମ୍ପଦ ନଷ୍ଟ ହୋଇଛନ୍ତି । ଏଥିରୁ ଜଣା ପଡୁଛି ଯେ, ଓଡିଶା ଏବେ ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ରାଜ୍ୟ ହୋଇପଡିଛି । ଯଦିଓ ୧୮୯୧ରୁ ୨୦୨୧ମସିହା ମଧ୍ୟରେ ବାତ୍ୟା ସଂଖ୍ୟା ଧୀରେଧୀରେ କମିବାରେ ଲାଗଛି ତଥାପି ଆସୁଥିବା ବାତ୍ୟାର ପ୍ରକୋପ ପୂର୍ବ ତୁଳନାରେ ଅଧିକ ରହୁଛି । ଚଳିତ ବର୍ଷ ଲଘୁଚାପ ବର୍ଷା ଓଡିଶା ପାଇଁ ବାତ୍ୟା ଓ ବନ୍ୟାଡର ସୃଷ୍ଟି କରିଛି । ସେପ୍ଟେମ୍ବର ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଆଉ ଏକ ଘୁଣ୍ଣିବଳୟ ସୃଷ୍ଟି ହୋଇଥିଲା ପରେ ବାତ୍ୟା ଗୁଲାବ ବିପଦ ଟଳିଯାଇଥିଲା । ଚଳିତ ବର୍ଷ ବଙ୍ଗୋପ ସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଏବେ ଲଘୁଚାପ ଆସିଲେ ଲୋକଙ୍କ ମନରେ ବାତ୍ୟା ଭୟ ଲୋକଙ୍କୁ ଘାରୁଛି । ସତେ ଯେମିତି ଲଘୁଚାପ ଦେଖାଉଛି ବାତ୍ୟା ଡର । ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ଦିନରେ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଛି । ସେହିପରି ୨୦୧୫ରେ ଭୟଙ୍କର ଭୂକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସୁିକିମ୍, ଭୁଟାନ୍, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ପାଞ୍ଚବର୍ଷ ପୁରିବାକୁ ଯାଉଛି । ସେହି ପ୍ରଳୟର କଥା ମନେପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ ।
କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୃତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସମୟରେ ଉତ୍ତର ପଶ୍ଚିମ ମହାସାଗରରୁ ସୃଷ୍ଟି ବାତ୍ୟା ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଶକ୍ତିଶାଳୀ ହୋଇ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ହୋଇ ବଡ ବାତ୍ୟା ସୃଷ୍ଟି କରିଥାଏ । ତେଣୁ ଏବେ ବି ଅକ୍ଟୋବର ଆସିଲେ ବାତ୍ୟାର ଭୟ ଆସେ ।
ଜଗତସିଂହପୁର
ମୋ-୯୩୩୭୨୨୧୯୨୪