ଅଘୋଷିତ ବିଦ୍ୟୁତ୍ କାଟ

ନିଶ୍ଚିନ୍ତକୋଇଲି : ଚଳିତ ବର୍ଷ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଦ୍ୟୁତ୍କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଏହି ନିର୍ଦ୍ଦେଶକୁ ବିଦ୍ୟୁତ୍ ଯୋଗାଣ ସଂସ୍ଥା ପକ୍ଷରୁ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି । ନିଶ୍ଚିନ୍ତକୋଇଲି ବିଦ୍ୟୁତ୍ ଉପଖଣ୍ଡ ଅଧିନ ଓରିକଣ୍ଟା ବିଦ୍ୟୁତ୍ ସେକ୍ସନ୍ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ନରେନ୍ଦ୍ରପୁର, ଦାଉଦପୁର, ଓରତି, ଜମରା ଓ ଝାଡେଶ୍ୱରପୁର ଅଞ୍ଚଳକୁ କୁଦାନଗରୀ ବିଦ୍ୟୁତ୍ ସେକ୍ସନ୍ ଅଧିନରୁ ହିତାଧିକାରୀଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଥାଏ । କିଛି ଦିନ ହେଲା ଏହି ଅଞ୍ଚଳମାନଙ୍କରେ ଘନ ଘନ ବିଦ୍ୟୁତ କାଟ୍ କରାଯାଉଥିବାରୁ ସାଧାରଣ ବିଦ୍ୟୁତ୍ ଗ୍ରାହକମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗଛରେ ଟିକିଏ ପତର ହଲିଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ କରାଯାଉଛି । ଏପରିକି ୫ରୁ ୬ ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉଥିବା ଦେଖିବାକୁ ମିଳୁଛି । ରାତ୍ର ସମୟରେ ବିଦ୍ୟୁତ କାଟ୍ ହେଉଥିବାରୁ ପିଲାମାନେ ପାଠ ପଢିବା ଓ ଶୋଇବାରେ ସମସ୍ୟା ଦେଖାଦେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହାର ଦୃଢ ଜାବାବ ବିଦ୍ୟୁତ ଉପଭୋକ୍ତାମାନେ ଦେବେ ବୋଲି ସାଧାରଣରେ ଦୃଢ ଚେତାବନୀ ଦିଆଯାଇଛି ।