ଅଜଣା ଜଗତର ଡାକ


“ଅସୀମ, ଦେଖୁଛ? ପାଣି ଭିତରେ ପାରିଜାତ ଫୁଲରୁବଳି ଆଉ ଏକ ଫୁଲ ।”- କୋରାଲ ଦେଖି ଶୋଭନା ଏକ ଛୋଟ ଝିଅ ଭଳି ପାଟି କରିଉଠିଲେ । 
ସେମାନଙ୍କ ଆଗରେ ଥିଲା ଆକ୍ରୋପୋରା (ଇମକ୍ସକ୍ଟକ୍ଟ୍ରକ୍ଟକ୍ସବ) କୋରାଲ ପ୍ରଜାତିର ଫୁଲ । ଏହା ମୁଖ୍ୟତଃ ଷ୍ଟାଗହର୍ଣ୍ଣ ପ୍ରଜାତି କୋରାଲର ଏକ ଅଂଶ । କେନା କେନା ଭଳି ବାହାରି ଆସିଥିଲା କୋରଲରୁ ପବମାନ । ପ୍ରତିଟି ଏକ ଏକ ନୂଆ ସତେଜ କୋରାଲ ।ଅପୂର୍ବ ରଙ୍ଗ ଲାଗୁଥିଲା । ଅସୀମ କୋରାଲ ବିଷୟରେ ସାମାନ୍ୟ କିଛି ଜ୍ଞାନ ଆହରଣ କରିନେଇଥିଲେ । ଅସଂଖ୍ୟ ସାମୁଦି୍ରକ ପ୍ରାଣୀ ଆଉ ପ୍ରଜାତି ଉପରେ ଗଭୀର ଜ୍ଞାନ ଆହରଣ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । କିନ୍ତୁ ଅଳ୍ପ କିଛି ଜାଣିଥିଲେ । ଆକ୍ରୋପୋରା ପ୍ରଜାତିର ଅନେକ ଅନେକ ପ୍ରକାରର କୋରାଲ ଅଛି । ଏହି କଠିନ କୋରାଲରେ ପ୍ରାୟ କାଣି ଆଙ୍ଗୁଠି ମୋଟ କେନା ସବୁ ଥିଲା । ରଙ୍ଗ ଥିଲା ଖଇରିଆ ଧଳା ଆଉ ପ୍ରତିଟି କୋରାଲ ପଲିପକୁ ସୁନ୍ଦର ଭାବେ କିଏ ଯେମିତି ସାମାନ୍ୟ ଛାପିଛାପିକିଆ ରଙ୍ଗେଇ ଦେଇଥିଲା । ମେଞ୍ଚାଏ ବାଦାମୀ ଧଳା ରଙ୍ଗର ମଲ୍ଲୀ ଫୁଲକୁ କିଏ ଗୋଟାଇ ସବୁଠି ଖଞ୍ଜିଦେଇଛି ଯେମିତି । ମଲ୍ଲୀ ଫୁଲର ପ୍ରତିଟି ପାଖୁଡାକୁ ପୂର୍ଣ୍ଣ ବର୍ଣ୍ଣନା କରିବା ଯେମିତି ସମ୍ଭବ ନୁହେଁ, ସେମିତି ସେ କୋରାଲକୁ ପୂର୍ଣ୍ଣର୍ ଶବ୍ଦ ରୂପ ଦେଇପାରୁନଥିଲେ । ପଥୁରିଆ ଶର୍ଯ୍ୟାରୁ ବାହାରି ଆସିଛି ଫୁଲର ଚାଙ୍ଗୁଡିମାନ । ଚାରିପାଖେ ସଫା ପାଣି ଲହଡି ମାରୁଥିଲା । ବେଳେବେଳେ କିଛି ପାଣି କୋରାଲ ଉପରକୁ ଚଢିଯାଉଥିଲା ଆଉ ଏକ ଧଳା ଫେଣ ତିଆରି ହେଉଥିଲା, ପୁଣି ପାଣି କମିଯାଉଥିଲା ଆଉ ଫୁଲର କଳିମାନ ଉଙ୍କି ମାରୁଥିଲା, ବେଶ ସତେଜ କଳି । ପ୍ରଥମ ବର୍ଷାପରେ ଗଛରେ ଫୁଲର କଳିମାନ ବେଶି ଚମକୁଥାଏ । ସବୁ ଧୂଳିକୁ କିଏ ଅତି ଯତ୍ନରେ ଝାଡି ଦେଇଛି ।
“ସୁନ୍ଦରତାର ନାହିଁ ପଟ୍ଟାନ୍ତର, ଅତି ମନୋହର ଅସୀମ ।”- ଶୋଭନା ପୁଣି ପାଟିକରି କହିଉଠୁଥିଲେ । ନିଜକୁ ଅଟାକାଇ ପାରୁନଥିଲେ । ଏକ ଅବର୍ଣ୍ଣନୀୟ ପ୍ରାକୃତିକ ଦୃଶ୍ୟ କାହାକୁ ପ୍ରଗଳଭ କରିଦେଇପାରେ । ବୟସକୁ ସବୁବେଳେ ବାଳୁତ ଅବସ୍ଥାକୁ ଟାଣିଆଣେ ।  କୋରାଲ ଉଦ୍ୟାନ ସେମାନଙ୍କୁ ଅତି ସୁନ୍ଦର ଲାଗୁଥିଲା । କେବଳ ମଣି ମାଣିକ୍ୟ ଖଞ୍ଜି କିଏ ପାଣି ଭିତରେ ବୁଦା ଗଛମାନ ତିଆରି କରିଛି ଆଉ ଭଳି ଭଳି ଝାଡି ଗଛରେ ଭାବନା ବାହାରର ସୁନ୍ଦରରଙ୍ଗୀନ ଫୁଲମାନ ଲଗାଇଦେଇଛି । ସାମାନ୍ୟ ଘିଅ ରଙ୍ଗର କୋରାଲ ସବୁ ମେଲାଇଯାଇ ଫୁଲ ଭଳି ଖେଳେଇ ହୋଇଯାଇଛି । ଫୁଲର ଥାଳିଆସବୁ ଏଠି ସେଠି ରଖିଦିଆଯାଇଛି ଆଉ ତା’ ଭିତରେ ଶୋଭାପାଉଛି ମାଣିକ୍ୟର ଲଟାମାନ, ଆଙ୍ଗୁଠିଭଳି ଲାଗୁଥିବା କୋରାଲ ଜମାହୋଇ ରହିଛି । ରଙ୍ଗ ଉଜ୍ଜ୍ୱଳ ବାଦାମୀ ଆଉ ସେଥିରେ ପଡିଛି ଗୋଲଗୋଲ ଥୋପା । ସବୁ ଥୋପା ଲାଗୁଛି ଏକ ଏକ ଛୋଟ ଫୁଲ । କିଛି ବ୍ରାନଚିଙ୍ଗ କୋରାଲରୁ ଡାଳମାନ କେନାକେନା ହୋଇ ବାହାରି ଆସି ବୈଡୁର୍ଯ୍ୟର ବୃକ୍ଷମାନ କରିଛି । ପାଖକୁ ନୀଳ ଜଳ ଆଉ ସେଇଠି ଖେଳୁଛନ୍ତି ଛୋଟ ଛୋଟ ରଙ୍ଗ ବେରଙ୍ଗୀ ମାଛ । ମଝିରେ ମଝିରେ କେତେଟା ବଡ ରଙ୍ଗୀନ ମାଛ କୋରାଲ ରିଫ ଭିତରୁ କେଉଁଠୁ ବାହାରି ଆସି ଭିତରେ ପଶି ଯାଉଛନ୍ତି ।ଟିକିଏ ଦୂରରେ ଲାଗୁଥିଲା ଆଉ ଏକ ବଡ ଯାଗାରେ ଫୁଲ ଚାରିଆଡେ ଫୁଟିଯାଇଛି । ଗୋଲାପୀ ରଙ୍ଗର ବ୍ରାନଚିଙ୍ଗ କୋରାଲର ଅଗ ଟିକେ ଟିକେ ଧଳା ଦେଖାଯାଇ ଲାଗୁଛି ଯେମିତି ସବୁ ଡାଳରେ ଗୋଲାପର କଢିମାନ କିଏ ଖଞ୍ଜିଦେଇଛି । 
ମଝିରେ ମଝିରେ ପାଣି ଗଭୀର ଲାଗୁଥିଲା । ପାଣିରେ ବଡ ବଡ ଢେଉର ଧଳା ଫେଣ ଲାଗୁଥିଲା ଯେମିତି ବାଦଲ । କୋରାଲ ବଗିଚାକୁ କ୍ଷଣେ ଲୁଚାଇ ଦେଇ, ସମସ୍ତଙ୍କ ଅଗୋଚରରେ ନରମ କପଡାରେ ପୋଛି ଦେଇ ଅତି ସଫା କରିଦେଉଛି, ତେଣୁ କୋରାଲ ବେଶି ଉଜ୍ଜ୍ୱଳ ଦିଶୁଛି । ଢେଉ ପରେ ଢେଉ ମାଡ଼ିଆସୁଥିଲା । ଦୁଇ ଢେଉର ଅନ୍ତରରେ ଥିବା ସମୟରେ କୋରାଲ ଜଗତର ସୌନ୍ଦର୍ଯ୍ୟ କେବଳ ଉପଭୋଗ କରିହେଉଥିଲା । ପ୍ରଥମେ କିଛି କୋରାଲ ପାଣି ଉପରକୁ ଦିଶୁଥିଲା ତ କିଛି ପାଣି ଭିତରେ ରହିଯାଉଥିଲା । ଭଟ୍ଟା ହେଲା ଆଉ ଧୀରେ ପାଣି କମି ଆସିଲା । କୋରାଲ ଉଦ୍ୟାନରେ ଅଧିକରୁ ଅଧିକ ଫୁଲ ଉଙ୍କି ମାରିଲା । ଏପଟେ ଅଧିକାଂଶ କୋରାଲ ଆକ୍ରୋପୋରା ପ୍ରଜାତିର ଥିଲା । କିଛି ବୋଧେ ସିମ୍ଫିଲିଆ (ଝଚ୍ଚଜ୍ଞକ୍ଟ୍ରଷସକ୍ଷସବ) ପ୍ରଜାତିର ବା ସେହିପରି ପ୍ରଜାତିର । କୋରାଲର ଉପରଟା ସାମାନ୍ୟ ଉଠିଯାଇଥିଲା, ବଙ୍କାଟଙ୍କା ମୋଟ ଗାରମାନ ପଡିଥିଲା । ଅଧିକ ନିରୀକ୍ଷଣ କରିବାରୁ ଲାଗୁଥିଲା ଯେମିତି ଏକ ଏକ ପାହାଡ ଶୃଙ୍ଖଳା ମାଟି ଉପରୁ ଉଠିଆସିଛି ଆଉ ନିଜ ହିସାବରେ ବଙ୍କେଇ ବୁଲିଯାଇଛି । ହିମାଳୟର ବା ଆରାବଳୀ, ବା ନୀଳଗିରର ପାହାଡ ଶୃଙ୍ଖଳା ଭଳି ଲାଗୁଥିଲା । ଅବଶ୍ୟ ବହୁତ ବହୁତ ଛୋଟ, ହୁଏତ କେଇ ସେଣ୍ଟିମିଟରର । ଏକ ଭୂଖଣ୍ଡ ଉପର ପାହାଡର ଶ୍ରେଣୀମାନ ଉପରକୁ ସାମାନ୍ୟ ଧଳା ହୋଇଆସିଛି ।ପାଖରେ ଥିଲା ସବୁଜ ମଖମଲ ଭଳି ଲାଗ୍ୁଥିବା ଆଉ କିଛି କୋରାଲ । ଅସୀମ ନାଁ ମନରୁ ଖୋଜି ପାଇଲେନି । ଅଧିକାଂଶ କୋରାଲର ନାଁ ଏମିତି ବି ସେ ଜାଣିନାହାନ୍ତି । ପାଖରେ ଥିଲା ଫାବିଆ ପ୍ରଜାତିର ଆଉ କିଛି କୋରାଲ । ଉପରୁ ଦେଖିଲେ ଲାଗୁଥିଲା ଏକ ଧଳା ବାଦାମୀ ରଙ୍ଗର ପଥର ଖଣ୍ଡକୁ କିଏ ଖୋଦାଇ କରି, ଟିକେ ଟିକେ କାଟି ଛୋଟଛୋଟ ଷଡଭୁଜାକାର ଆକାରମାନ ତିଆରି କରିଛି । ଗୋଟାଏ କଳା ରଙ୍ଗର ବଡ ଗେଣ୍ଡା ଜାତୀୟ ପ୍ରାଣୀ ପଥର ଦେହରେ ଚିପି ହୋଇ ରହିଥିଲା । ତା’ ଉପରେ ସମୁଦ୍ର ପାଣି ବାଜି ଫେରିଯାଉଥିଲା । ଦେଖିଲାରୁ ଜଣାଗଲା ଆଉ କେତେଟା ଗେଣ୍ଡା ପାଖାପାଖି ହୋଇ ପଥରରେ ଚିପି ହୋଇ ରହିଛନ୍ତି ।ଏମାନଙ୍କର ଗେଣ୍ଡା ଭଳି ଉପରେ କଠିନ ଖୋଳପା ନଥିଲା । ଗାଢ ବାଇଗେଣୀ ରଙ୍ଗର ଜୀବଟିର ଦେହରେ ଅସଂଖ୍ୟ କାତି ଥିଲା ଭଳି ଲାଗୁଥିଲା । ବୋଧହୁଏ କିଛି ପ୍ରଜାତିର ସିଅର୍ଚ୍ଚିନ,ବୋଧହୁଏ ଉକ୍ଟକ୍ଷକ୍ଟଭକ୍ଟମରଦ୍ଭଗ୍ଧକ୍ସକ୍ଟଗ୍ଧଙ୍କଗ୍ଦ ବଗ୍ଧକ୍ସବଗ୍ଧଙ୍କଗ୍ଦ  ସେମାନଙ୍କର ଛୋଟ ଛୋଟ ଅସଂଖ୍ୟ ଗୋଡ ପଥରକୁ ଚିପି ଧରିଥିଲା । ଏତେ ଜୋରରେ ପାଣି ବାଡେଇ ହେବା ସତ୍ତ୍ୱେ ପୋକଟି ସେମିତି ଚିପି ହୋଇରହିଥିଲା । କେତେ ରଙ୍ଗର ଶିଉଳୀମାନ କୂଳର ପଥର ଉପରେ ଦିଶୁଥିଲା । ପାଣି ସବୁ ମୁହୂର୍ତ୍ତରେ ଆସି ଏମାନଙ୍କୁ ଧୋଇ ଫେରିଯାଉଥିଲା । ପଥର ଦେହରେ ଶିଉଳି, ଲାଇକେନମାନେ କେତେ ପ୍ରକାରର ଆକୃତିମାନ କରିଥିଲେ । ଅସୀମ ଏକ କୋରାଲ ପାହାଡର ଏକ କଡକୁ ଅନାଇଲେ । ସେଥିରେ ଲାଗିଥିଲା ଟର୍ବିନାରିଆ (ଞଙ୍କକ୍ସଭସଦ୍ଭବକ୍ସସବ ) ପ୍ରଜାତିର କପ କୋପରାଲମାନ । ଲାଗୁଥିଲା ଯେମିତି ପଥରର ଫୁଲ, ବା ପଥରର ଫଙ୍ଗସ ଓ ଜଙ୍ଗଲରେ ଶୁଖିଲା କାଠ ଉପରେ ଫୁଲ ପରି ଫୁଟିଥାଏ ସେମିତିଆ ମଶରୁମ । ଏଇଠି ଫୁଲ ପରି ଫୁଟିଥିଲା । କେଉଁଠି ପାଖୁଡାର ଆକାର ବଡ ହୋଇଯାଇଛି ତ କେଉଁଠି ଛୋଟ । ଗୋଟିକ ଧାରରେ ଆଉ ଏକ ଫୁଲ ଏକାଠି ହୋଇ ଏକ ବଡ ଫୁଲର ରୂପ ଦେଉଛନ୍ତି । ସେମାନେ ଅଭିଭୂତ ହୋଇଯାଉଥିଲେ କୋରାଲ ଦୁନିଆର ରୂପବର୍ଣ୍ଣାଳୀରେ, ଭଳିକି ଭଳି ରଙ୍ଗ ଆଉ ରୂପ । ସମୁଦ୍ରକୂଳରେ ଲହଡି ମୋଟେ ନଅଟକି ନିଜ ହିସାବରେ ଭାଙ୍ଗି ପଡୁଥିଲା । ନୀଳ ସମୁଦ୍ରରେ ପାଣି ନାଚୁଥିଲା ।
“ନୀଳ ସମୁଦ୍ର ଭିତରେ ଥିବ ଅସଂଖ୍ୟ ଜୀବନ ।”-ଶୋଭନା କହିଲେ । “ଅନେକ ଅନେକ ପ୍ରକାରର ମାଛ ରୁହନ୍ତି ଶୋଭନା । ସେମାନେ ସମୁଦ୍ରର ଶୋଭା ବଢାନ୍ତି । ସମୁଦ୍ର ଉଦ୍ୟାନର ସେମାନେ ରଙ୍ଗୀନ ପ୍ରଜାପତି ଆଉ ଗୁଣୁଗୁଣୁ କରୁଥିବା ମହୁମାଛି । ଉଦ୍ୟାନରେ ବୁଲୁଥିବାଦର୍ଶକ ଆଉ ଆଲିଙ୍ଗନରେ ବନ୍ଧା ପ୍ରଣୟୀର ଯୋଡା । କିଏ ରେସର ଘୋଡା ତଆଉ ଏକ ଢୁଳାଉଥିବା କୁବଜା ବୁଢା । ଏକ ଜଣେ ଭଲ ଜିମନାଷ୍ଟ ତ ଆଉ କିଏ ଏକ କ୍ଲାଉନ ବା ଜୋକର । ସମୁଦ୍ରର ଜୀବ ତୁମକୁ ସବୁ ଉଦାହରଣ ଦେଇପାରନ୍ତି ।”-ଅସୀମ କହିଲେ । ତା’ପରେ ଅସୀମ କୋରାଲ ଉପରେ ଭାଙ୍ଗି ପଡୁଥିବା ଢେଉକୁ ଆନଇଲେ । ଧଳା ଫେଣ କ୍ଷଣେ କୋରାଲ ଉପରେ ରହି ଆପେ ମିଳେଇ ଯାଉଥିଲା ।
“କୋରାଲ ସମୁଦ୍ର ଏକ ପୂର୍ଣ୍ଣ ସାମାଜ୍ୟ ।”-ଅସୀମ ପୁଣି କହିଲେ ।
“ରଙ୍ଗର ସାମ୍ରାଜ୍ୟ କହିଲ ମୁଁ ରାଜିହେବି । ଆଉ ଦୁନିଆରେ କେଉଁ ରଙ୍ଗ ଏ ସାମ୍ରାଜ୍ୟର ବାହାରେ ଅଛି ବୋଲି କହିଲେ ମୁଁ ଭାବିପାରିବନି । କିନ୍ତୁ ତୁମେ ସାମାଜ୍ୟ କାହାକୁ କହିବ?”-ଶୋଭନା ପଚାରିଲେ । (କ୍ରମଶଃ)
                                                          ଭୁବନେଶ୍ୱର