ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ଅସୀମ ଜାଣନ୍ତି ଯେ ଶୋମ୍ପେନ ହୁଡି ବା ଶୋମ୍ପେନମାନଙ୍କ ଡଙ୍ଗା ଏକ ଅତି ସାଧାରଣ ଡଙ୍ଗି । ସେଥିରେ ଜଣେ ବା ଅତିବେଶୀରେ ଦୁଇଜଣ ଯାଇପାରିବେ । ସାମାନ୍ୟ କିଛି ଜିନିଷ ରଖିହେବ । ସାଧାରଣ ନାଳରେ ଯିବା ଆସିବା ହୁଏ ବା ଅତି ବେଶୀରେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯିବା ଆସିବା କରିହେବ । ସେ ହୁଡିରେ କେହି ଖୋଲା ସମୁଦ୍ରରେ ଯାତ୍ରା କରିବା ସମ୍ଭବ ବୋଲି ଅସୀମ ଭାବୁନହାନ୍ତି । ତେଣୁ ମାଡାମ୍ କ’ଣ ଖୋଜିବାକୁ ଆସିଛନ୍ତି କେଜାଣି ?
“ତୁମେ ଏହାକୁ ନିକୋବରୀ ହୁଡି ମଧ୍ୟ କହିପାର ।”
“ମୁଁ କିନ୍ତୁ ଏହାକୁ ଶୋମ୍ପେନମାନଙ୍କ ପାଖରେ ମଧ୍ୟ ଦେଖିଛିାଏହାକୁ ସେହି ହିସାବରେ ଭାବିବି ।”
ଅସୀମଙ୍କ ଦେଖିବାରେ ଲେଙ୍ଗୁଟି ଖଣ୍ଡେ ମାରିଥିବା ଶୋମ୍ପେନ ଏ ଡିଙ୍ଗିରେ ସାମାନ୍ୟ ଜିନିଷନେଇ ଗଲାଥିଆ ନଦୀରେ ଉପରକୁ ଯାଆନ୍ତି । ନିଘଞ୍ଚ ଜଙ୍ଗଲରେ ନଦୀରେ ଯାତ୍ରା କରିବା ସହଜ । କିଛିଟା ଶୋମ୍ପେନ ଘର ଗଲାଥିଆ ନଦୀ କୂଳରେ ଥିଲା । ଗୋଟାକୁ ତ ସେ ଶର୍ବରୀଙ୍କ ସହ ଦେଖିବାକୁ ଆସିଥିଲେ । ତାଙ୍କ ଜାଣିବାରେ ସେ ଡିଙ୍ଗିରେ ସେମିତି କିଛି ବିଶେଷତ୍ତ୍ୱ ନଥିଲା । କିନ୍ତୁ ମାଡାମ୍ ଏତେ ଦୂରରୁ ଆସିଛନ୍ତି ଏମିତିଆ ଅତି ସାଧାରଣ କାଠ ଉପକରଣ ଉପରେ ରିସର୍ଚ୍ଚ କରିବାକୁ । କାଠର ଏକ ଡଗ ଆଉଟ ମାନେ ଖୋଳିହୋଇଥିବା ଡଙ୍ଗା ।
“ଅସୀମ,ତୁମେ ସେ ଡଙ୍ଗାରେ କିଛି ବିଶେଷତ୍ତ୍ୱ ଲକ୍ଷ୍ୟ କରିଛ କି ?”-ମାଡାମ୍ ଅସୀମଙ୍କୁ ପଚାରିଲେ ।
ଅସୀମଙ୍କ ଆଖି ମାଡାମ୍ଙ୍କ ଉପରେ ବୁଲିଗଲା । ତାଙ୍କ ଆଖି ବା ମନ କ’ଣ ସତରେ ମଣିଷ ଭିତରେ ଥିବା ବିଶେଷତ୍ତ୍ୱ ଲକ୍ଷ୍ୟ କରିପାରୁଛି କି ? ବାଙ୍ଗାଲୁରୁରୁ ଆସିଥିବା ଅତି ସଂଭ୍ରାନ୍ତ ମହିଳାଙ୍କ ମୁହଁରେ କିଛି ମେକଅପ ନାହିଁ । ଅତି ସାଧାରଣ କଥାବାର୍ତ୍ତା କିନ୍ତୁ ତାଙ୍କ କଥାବାର୍ତ୍ତା ଶୈଳୀରୁ କେହି କହିପାରିବ ଯେ ତାଙ୍କର ଜ୍ଞାନରେ ବେଶ ଗଭୀରତା ଅଛି । ମାଡାମ୍ଙ୍କର ପ୍ରତିଟି ଶବ୍ଦଅତି ଶାଳୀନ ଆଉ ମାର୍ଜ୍ଜିତ ଥିଲା । “ମୋତେ ତ ଏକ ସାଧାରଣ ଡଗଆଉଟ ଡିଙ୍ଗି ଲାଗୁଛି । ପ୍ରିମିଟିଭ ବା ଆଦିମ ପଦ୍ଧତିରେ ସେମାନେ କାଠ ଖୋଳି ଡିଙ୍ଗି କରିଛନ୍ତି । କାଠ ପଟାରୁ ଡଙ୍ଗା କରିପାରି ନାହାନ୍ତି । ସେମାନଙ୍କ ପାଖରେ ସେମିତି କିଛି ସାଧନ ମଧ୍ୟ ନାହିଁ, ଜ୍ଞାନ ମଧ୍ୟ ଅନ୍ୟଠୁ ଆହରଣ କରିପାରିନାହାନ୍ତି । ଆଦିମ ପ୍ରଣାଳୀରେ ତିଆରି ହୋଇଥିବା ଏକ ଅତି ମାମୁଲି ଜଳଯାନ ।”-ଅସୀମକହିଲେ । “ତାହା ଠିକ । ଯେ କେହି ଦେଖିଲେ ସେଇଆ ଭାବିବ । କିନ୍ତୁ ସେତିକି ମାତ୍ର ଭାବିବାଟା ଟିକେ ଉପର ଠାଉରିଆ ହୋଇଯାଉନି କି ?” “ମାଡାମ୍, ଶୋମ୍ପେନ ବା ନିକୋବରୀମାନଙ୍କୁ ଦେଖିଲେ ଆଉ କାହିଁ ଅଧିକ ଭାବି ହେଉନି । ସେମାନେ ଏକ ଦ୍ୱୀପ ଭିତରେ ସୀମିତ ହୋଇଯାଇଛନ୍ତି । ସେମିତି କିଛି ପ୍ରଗତି ମଧ୍ୟ କରିନାହାନ୍ତି । ତେଣୁ ସେମାନଙ୍କ ଡିଙ୍ଗିରେ କିଛି ଅସାଧାରଣ ମହତ୍ତ୍ୱ ଥିବ ବୋଲି ଭାବି ହେଉନି ।” “କିନ୍ତୁ, ତୁମେ ସେ ଡିଙ୍ଗିର ବାଲାନ୍ସ ବା ସନ୍ତୁଳନ କଥା ଭାବିଛ?ଅତି ସାମାନ୍ୟ ଜଳଯାନ କିନ୍ତୁ ସେହି ଡିଙ୍ଗିଗୁଡାକ ଅତି ଆଶ୍ଚର୍ଯ୍ୟ ଭାବରେ ଭଲ ସନ୍ତୁଳନ ରଖନ୍ତି ।”- ସେ କହିଲେ ।
ଅସୀମ ସନ୍ତୁଳନ କଥା ମୋଟେ ଭାବିନାହାନ୍ତି । ଶୋମ୍ପେନମାନଙ୍କୁ କେବଳ ନଦୀରେ ଡିଙ୍ଗିକୁ ବାହି ଯିବାର ଦେଖିଛନ୍ତି । ନଦୀରେ ସେମିତି ସୁଅ ମଧ୍ୟ ନାହିଁ । ପଥର ଆଦି ନଥିବାରୁ ଭଉଁରି ମଧ୍ୟ ନାହିଁ । ତେଣୁ ନଦୀ ଭିତରେ ସନ୍ତୁଳନର ଆବଶ୍ୟକତା କଥା ମଧ୍ୟ ଭାବିନାହାନ୍ତି । ତାଙ୍କୁ ଲାଗେ ଶୋମ୍ପେନମାନେ ସଜେଇବାପାଇଁଏମିତି ସେମିତି କାଠଟିଏ ଯୋଡି ଦେଇଛନ୍ତି । ଘରେ ଶୋମ୍ପେନମାନେ କ’ଣ ରଖନ୍ତି କି? କାଠର କିଛି ସାମାନ୍ୟ ଜିନିଷ । ଅସୀମ ଭାବନ୍ତି ବୋଧହୁଏ ସେମାନଙ୍କ ପାଖରେ କିଛି ବେଶି ନାହିଁ, ତେଣୁ ଏଣୁ ତେଣୁ କରି ଡଙ୍ଗାଟିଏ କରିଛନ୍ତି । ତେଣୁ ସେ ଆଗକୁ ଭାବିପାରିନଥିଲେ । ସେଇଟା ସ୍ୱାଭାବିକ ।
“ସନ୍ତୁଳନ ରଖିବାପାଇଁ ଆଉ ଏକ କାଠଗରକୁ ମୁଖ୍ୟ ଡିଙ୍ଗି ସହ ଆଗ ଆଉ ପଛରେ ଦୁଇଟି କାଠଦ୍ୱାରା ଯୋଡା ଯାଇଛି । ଫଳରେ ଢେଉ ଆସିଲେ ବି ଡିଙ୍ଗିକୁ ଓଲଟାଇ ଦେଇପାରିବ ନାହିଁ । ଏ ଡଙ୍ଗା ଗୁଡାକ କଣେଇ ବୁଡିଯିବାର ମୋଟେ ଆଶଙ୍କା ନାହିଁ । ଏଇଟା ଏହି ସାଧାରଣ ଡିଙ୍ଗିର ବିଶେଷତ୍ତ୍ୱ ।”-
ମାଡାମ୍ ପୁଣି କହିଲେ । “କଣ କହୁଛନ୍ତି ମାଡାମ୍, ଏତେ ସନ୍ତୁଳନ ଏ ସାମାନ୍ୟ ଡିଙ୍ଗିର?” ଅସୀମଙ୍କ ଆଖିଆଗରେ ଲଗୁଥିଲା ଯେମିତି ଶୋମ୍ପେନଟିଏ ଗଲାଥିଆ ନଦୀରେ ଡିଙ୍ଗି ଚଲାଇ ଯାଉଛି । ତା’ ଡିଙ୍ଗି ପ୍ରାୟ ବେଶି ହଲୁନି । ସତରେ ମାଡାମ୍ ଅଲଗା କିଛି କହୁଛନ୍ତି । “ହଁ ଅସୀମ,ସନ୍ତୁଳନ ହେଉଛି ଏ ଡିଙ୍ଗିର ବିଶେଷତ୍ତ୍ୱ ।”-ମାଡାମ୍ ସେହି କଥା ଆଉଥରେ କହି ମୁଣ୍ଡ ହଲାଇଲେ । “କିନ୍ତୁ, ଏତିକି ସାମାନ୍ୟ ଡିଙ୍ଗି ଉପରେ ରିସର୍ଚ୍ଚ ପାଇଁ ଆପଣ ଏତେ ବାଟ ଆସିଛନ୍ତି? ଏମିତିଆ ଡିଙ୍ଗି ଜଣେ କେଉଁଠାରେ ମଧ୍ୟ ଜଣେ କରିଦେଇପାରିବ ।”
“ସେଇଟ ଏକମାତ୍ର କାରଣ ନୁହେଁ । ଗ୍ରେଟ ନିକୋବର ଏକ ବିଚ୍ଛିନ୍ନ ଦ୍ୱୀପ । ଏଠାକୁ ବଡ ମୁଖ୍ୟ ଭୂମି ଥାଇଲାଣ୍ଡ ବା ସୁମାତ୍ରାରୁ ଲୋକେ କେବେ ଆସିଥିବେ । ଦୁଇଶହ ବା ତିନିଶହ କିଲୋମିଟର ଯାତ୍ରା ଏ ଡିଙ୍ଗିରେ କରିଥିବେ । ପୁରାତନ ନୌବାହନ । ଏକ ପୁରାତନ ଯାତ୍ରାର ସନ୍ଧାନ ହେଉଛି ମୋ ରିସର୍ଚ୍ଚର ମୂଳ ଲକ୍ଷ୍ୟ ।”- ସେ କହିଲେ ।
“ଅସୀମ, ନୀଳ ସମୁଦ୍ର ଆଉ ଉତ୍ତାଳ ତରଙ୍ଗ । ମଣିଷ କେତେ ସମୟ ବଞ୍ôଚବ ?”
“ହୁଏତ ଦିନଟିଏ ବି ନୁହେଁ । ଯଦି ମଣିଷ ଏ ଡିଙ୍ଗିରେ ଯାତ୍ରା କରିବା କଥା ଭାବେ ।”
“ଆଉ ଅସୀମ ଯଦି ମଣିଷମନକୁ ନିଶ୍ଚିତ କରି ଦୂର ଯାତ୍ରା କରିବାକୁ ଚାହେଁ ?”
“ଏ ଉତ୍ତାଳ ତରଙ୍ଗମାଳକୁ ଡେଇଁ କିଛି ଦୂର ଅତିକ୍ରମ କରିପାରିବ । ତା’ପରେ ସମୁଦ୍ରରେ ବୁଡି ଆତ୍ମହତ୍ୟା । ଏ ଡିଙ୍ଗିର ସାମର୍ଥ୍ୟ ଏତିକି ।”
“ଏସବୁ ଦ୍ୱୀପ ବିଚ୍ଛିନ୍ନ । କିନ୍ତୁ ଏଠି ଲୋକମାନେ ଅଛନ୍ତି । ଆରମ୍ଭ କେଉଁ ମୁଖ୍ୟ ଭୂମିରୁ ହୋଇଥିବ ।”
“ତେବେ ଏଠି ପହଞ୍ôଚଲେ କେମିତି?”
“କିଛି ସାଧନ । ମଣିଷର ବୁଦ୍ଧି କିଛି ଉପାୟ ଖୋଜିନେଇଥିବ ।-ଅସୀମ କହିଲେ ।
ଆଉ ସେଇ ଖୋଜିବାଟା ଥିଲା ଏଠାକାର ହୁଡି ।”
“ହୁଡି, ଏଇ ଅତି ସାମାନ୍ୟ ଡଙ୍ଗା !”-ଅସୀମ ନିଜର ବିସ୍ମୟ ପ୍ରକାଶ କରୁଥିଲେ । “ସାମାନ୍ୟ କହିପାର, ଅବଶ୍ୟ ଆଜି ହିସାବରେ । ମଣିଷର ଯାତ୍ରା କେତେ କେତେ ହଜାର ବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଥିବ । ସେ ଯାତ୍ରାରେ ସେହି ସମୟ ପାଇଁ ହୁଏତ ଏ ହୁଡି ଏକ ବିଶାଳ ପୋତ ଥିବା ମଣିଷ ଶକ୍ତିକୁ ବହୁ ଗୁଣରେ ବର୍ଦ୍ଧିତ କରୁଥିବ । ସାଧାରଣ ମଣିଷ ହୋଇଯାଉଥିବ ସୁପରମ୍ୟାନ । ସମୁଦ୍ରକୂଳରୁ କିଛି ଲୋକ ଅନାଇ ରହୁଥିବେ । କିଛି ତରୁଣ ତରୁଣୀ ନୂଆ ଦୁନିଆକୁ ଭାସିଯାଉଥିବେ । ଅଜଣା ଦୁନିଆ । ସେମାନଙ୍କ ପାଖରେ ସେ ଦ୍ୱୀପ ବିଷୟରେ କିଛି ଜ୍ଞାନ ନଥିବା କିନ୍ତୁ ତରୁଣ ବୟସରେ ଅଜଣା ଦୁନିଆକୁ ଭାସିଯିବାକୁ ଇଚ୍ଛା ହୁଏ ଆଉ ସେମାନେ ସମୁଦ୍ରରେ ସମସ୍ତେ ବୁଡିଯାଇନଥିବେ । କିଛି ଏ ଦ୍ୱୀପର ଉପକୂଳରେ ପହଞ୍ôଚଯାଇଥିବେ । ଆଉ ଏକ ନୂଆ ସଭ୍ୟତା ନିଜ ହିସାବରେ ଆରମ୍ଭ କରିଦେଇଥିବେ ।”
“ସେପଟେ ସେମାନଙ୍କର ନିଜ ଲୋକମାନେ?”
“ଅପେକ୍ଷା କରି ରହିଥିବେ । କେତେବେଳେ ଏମାନେ ଫେରିବେ? କିନ୍ତୁ ଏମାନେ ସେମାନଙ୍କ ଅପେକ୍ଷା କରିବାର ସମୟ ଭିତରେ ଫେରିପାରିନଥିବେ । ଆଉ ସେପଟେ ଅପେକ୍ଷା କରିରହିଥିବା ଆତ୍ମୀୟମାନେ ସ୍ୱର୍ଗବାସୀ ହୋଇଥିବେ । ଏପଟେ ପ୍ରଥମେ ଆସିଥିବା ଲୋକମାନେ ସଂସାର ତ୍ୟାଗ କରିଥିବେ ନିଜ ସମୟରେ । ତା’ପରେ କେହି ଆଉ କାହାକଥା ମନେପକାଇ ନଥିବେ । ସେମାନଙ୍କ ପାଖରେ ପୁରାତନ ସ୍ମୃତି ହିସାବରେ ଏ ହୁଡି ରହିଯାଇଥିବ ।” “ହୁଡିର ସ୍ଥିରତା କ’ଣ ସତରେ ଏତେ ବେଶି? ଏକ ପିଢିକୁ ଆଉ ଏକ ପିଢି ପର୍ଯ୍ୟନ୍ତ ସ୍ଥିରତା ଦେଇଚାଲିଛି?”
“ସେଇଟା ତ ପ୍ରମାଣ କରିବାକୁ ଅଛି ଏବେକା ଦୁନିଆ ଆଗରେ ।”
“ମଣିଷ ଆଉ ଉପକରଣ ।”
“ଦୁହଁଙ୍କର ସ୍ଥିରତା ଆଉ ଦୁହଁଙ୍କର ମିଶ୍ରଣରେ ଏକ ସମ୍ଭବ ହୋଇଥିବା ଯାତ୍ରା । କେଉଁ ସମୟରେ ଯାତ୍ରା ହୋଇଥିବ? ସମୁଦ୍ରର ସ୍ଥିତି କଣଥିବ? ଯାତ୍ରା କେତେ ଲମ୍ବା ହୋଇଥିବ ଆଉ ସେଥିରେ ବସିବାର କାରଣ କ’ଣ ହୋଇଥିବ? ସାମୁଦ୍ରିକ ଯାତ୍ରାରେ କି ଅସୁବିଧା ହୋଇଥିବ? ଏ ସବୁ ବିଷୟରେ ଏକ ଗବେଷଣାର ଆବଶ୍ୟକତା ଅଛି ।” “ଆପଣ ତାହା ଖୋଜିବାକୁ ଯାଉଛଁନ୍ତି ।”
“ଏକ ଗବେଷିକାର କିଛି ଦିନର ଲକ୍ଷ୍ୟ ଅସୀମ ।”
ଅସୀମ ଭାବୁଥିଲେ କ’ଣ ଅଛି ଏ ଶୋମ୍ପନ ବା ନିକୋବରୀ ହୁଡିରେ? ଚାରୁଲଥା ମାଡାମ୍ ବିଦାୟ ନେଇଥିଲେ । ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେବାକୁ ଅସୀମ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଗବେଷଣା ସଫଳ ହେଉ ବୋଲି ସେ ଶୁଭେଚ୍ଛା ଜଣାଇଥିôଲେ । କିନ୍ତୁ ନିଜ ଭିତରେ ବହୁ ପ୍ରଶ୍ନରାଜି ଗଢି ଉଠିଥିଲା । ସେ ଏକ ଯାତ୍ରାରେ ଯିବେ ବୋଲି ପ୍ରତିଶ୍ରୁତି ଦେଲେ । ସେମାନେ ପାଣିରେ ଡିଙ୍ଗିକୁ ଦେଖିବେ । ନଦୀରେ କିଛି ସମୟ ଯାତ୍ରା କରିବେ । ମାଡାମ୍ ଡିଙ୍ଗିର ସ୍ଥିରତା ଉପରେ କିଛି ତଥ୍ୟ ସଂଗ୍ରହ କରିବେ ଆଉ ଶୋମ୍ପେନମାନଙ୍କର ଡିଙ୍ଗିର ଉପଯୋଗିତା ଉପରେ ମଧ୍ୟ କିଛି ତଥ୍ୟ ନେବେ । ଆଖ ପାଖର ଜଙ୍ଗଲ ବିଷୟରେ ତଥ୍ୟ ସଂଗ୍ରହ ହେବ । ଏକ ଶୋମ୍ପେନକୁ ଡିଙ୍ଗି ଚଲାଇ ଯାଉଥିବା ଦେଖିବା ସମ୍ଭବ ନଥିଲା । ସେମାନେ କେବେ ଡିଙ୍ଗି ଚଲାଇବେ ଆଉ ସେ ସମୟରେ ମାଡାମ୍ ସେହି ସ୍ଥାନରେ ଉପସ୍ଥିତ ରହିବା ଦରକାର, ଏସବୁ ସମ୍ଭବ ନଥିଲା । ତେଣୁ ଏମାନେ ନିଜେ ଡିଙ୍ଗିରେ ଯାତ୍ରା କରିବେ । ମାଡାମ୍ ଏକ ଡିଙ୍ଗିରେ ଯିବେ ଆଉ ଅସୀମ ଆଉ ଏକ ଡିଙ୍ଗିରେ । ଅସୀମ ଅବଶ୍ୟ ଗଛ ଲତା ଉପରେ ତଥ୍ୟ ସଂଗ୍ରହ କରିବେ । ଆଉ ଏକ ବୟସ୍କା ଗବେଷିକାକୁ ମଧ୍ୟ ସାହାଯ୍ୟ କରିବା ଉଚିତ । ଅସୀମଙ୍କ ଉପସ୍ଥିତରେ ବହୁ କାମ ସହଜରେ ହୋଇଯିବ ।
ଭୁବନେଶ୍ୱର