ଅଣଦେଖାରୁ ହନ୍ତସନ୍ତ ହେଉଛନ୍ତି ରେଳଯାତ୍ରୀ
ବ୍ୟାସନଗର : କର୍ତୃପକ୍ଷଙ୍କ ଅବହେଳାରୁ ରେଳଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଦାବି ପରେ ଦାବି ଦେଲେ ବି କର୍ଣ୍ଣପାତ କରୁ ନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କଳିଙ୍ଗନଗର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ, ଯାଜପୁର ସାଂସଦ, କୋରେଇ ବିଧାୟକ ଏବଂ ଜେନେରାଲ ମ୍ୟାନେଜର ପୂର୍ବତଟ ରେଳପଥଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଯାଜପୁର ରୋଡ଼ ରେଳଷ୍ଟେସନର ବିଭିନ୍ନ ସମସ୍ୟା ସହ ଯାତ୍ରୀ ଭୋଗୁଥିବା ଦୁର୍ଦ୍ଦଶା ସଂପର୍କରେ ଅବଗତ କରାଯାଇ ତାହା ଅବିଳମ୍ବେ ପୂରଣ କରିବାକୁ କୁହାଯାଇଛି । ସଂଘ ପକ୍ଷରୁ କୁହାଯାଇଛି କି ପୂର୍ବତଯ ରେଳବାଇର ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନ ଯାହାକି୧୮୯୬ମସିହାରୁ ଯାଜପୁର, କେନ୍ଦୁଝର, ଢେଙ୍କାନାଳର କିଛି ଅଂଚଳ ଓ ଭଦ୍ରଖ ଜିଲାର କେତେକ ସଂଲଗ୍ନ ଅଂଚଳକୁ ରେଳ ସେବା ଦେଇଆସିଥିଲା ତାହା ଏବେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା । ଷ୍ଟେସନର୨୦୨୦ମସିହାରୁ ନିର୍ମାଣ କରାଯାଇଥିବା ପୂର୍ବ ପଟ ଫୁଟ ଓଭର ବ୍ରିଜ ଶତକଡା ୯୦ଭାଗ ରେଳ ଯାତ୍ରୀଙ୍କ ଗମନା ଗମନର ମାଧ୍ୟମ । ଅତିବରିଷ୍ଠ, ବରିଷ୍ଠ, ଦିବ୍ୟାଙ୍ଗ ଓ ରୋଗୀ ମାନଙ୍କ ନିମନ୍ତେ ଲିଫ୍ଟ ବା ବୈଦୁତିକ ସେଡ଼ିର ବ୍ୟବସ୍ଥା କରାଯାଇନଥିବାରୁ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ନିରାକରଣ ଜରୁରୀ ହୋଇପଡ଼ିଛି । ଏଠାରେ ବହୁ ଟ୍ରେନର ରହଣୀ ନାହିାଁ ୦୮୪୫୫-୦୮୪୫୬-କେନ୍ଦୁଝର-ଖୋର୍ଦ୍ଧା ରୋଡ (ସକାଳ ଏବଂ ସନ୍ଧ୍ୟା)ପାସେଞ୍ଜର ଏଠାକୁ ସାମ୍ପ୍ରସାରଣ ନକରିବା, ସହର ମଧ୍ୟରେ ସିମେଂଟ ଗୁଡ଼ ସେଡ ପ୍ରଦୂଷିତ କରିବା, ଷ୍ଟେସନର ଦକ୍ଷିଣ ପାର୍ଶ୍ୱର କୌଣସି ଉନ୍ନତି କରଣ ନହେବା ଇତ୍ୟାଦି ନେତୃତ୍ୱର ଅଣଦେଖା ଓ ରେଳ କର୍ତୃପକ୍ଷଙ୍କ ଅବହେଳା ଯୋଗୁ ହେଉଛି । ଯଦି ଉଚିତ ପଦକ୍ଷେପ ନିଆନଯାଏ ତେବେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ପକ୍ଷରୁ ଦାବିପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି ।