ଅନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟମାନତା ଦିବସ
ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟମାନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ତୃତୀୟ ଲିଙ୍ଗି ସଂଯୋଜକ ଧନେଶ୍ୱର ତାଣ୍ଡି, ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । ତୃତୀୟ ଲିଙ୍ଗମାନଙ୍କୁ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ, ଦୃଶ୍ୟମାନତା ଓ ସଚେତନତା ନିମନ୍ତେ ସେମାନଙ୍କୁ କିଭଳି ସ୍ୱାବଲମ୍ବୀ କରାଯିବ, ସେମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ସମ୍ପର୍କରେ ଜଣାଇବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ମୁଖ୍ୟଅତିଥି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଅନେକ କିନ୍ନରମାନେ ଆସି ଯୋଗଦେଇଥିଲେ । ଏହି ଦିବସ ପ୍ରତ୍ୟେକ ବର୍ଷ ମାର୍ଚ୍ଚÿ ୩୧ ତାରିଖ ତୃତୀୟ ଲିଙ୍ଗ ମାନଙ୍କ ସଂଘର୍ଷ ଓ ସଫଳତା ଶ୍ରେୟ ଦେବାକୁ ପାଳନ ହୁଏ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସରକାରୀ ସ୍ତରରେ ସୁବିଧା ଓ ସେବା ବାବଦରେ ଆଲୋଚନା କରିଥିଲେ । ସମାଜରେ ସଂସ୍କାର ଅଣାଯାଇ କିନ୍ନର ସମ୍ପ୍ରଦାୟକୁ ସଶକ୍ତ କରାଯାଇ ସେମାନଙ୍କ ନାର୍ଯ୍ୟ ଅଧିକାର ଯୋଗାଇ ଦେବା ପାଇଁ ପ୍ରଶାସନ ତତ୍ପର ଥିବା କହିଥିଲେ । ସେମାନଙ୍କୁ ସମାଜରେ ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହି କିନ୍ନରମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ତୃତୀୟଲିଙ୍ଗୀମାନେ ନିଜର ସଫଳତାର କାହାଣୀରେ ସମସ୍ତଙ୍କୁ ଶୁଣେଇଥିଲେ ।