ଅପରାଧୀଙ୍କ ଅଭୟାରଣ୍ୟରେ ଆତଙ୍କିତ ଭୋଟର


ଆପଣମାନେ ନିଶ୍ଚିନ୍ତ ଅଭୟାରଣ୍ୟ ଯାଇଥିବେ, ସେଠି ଦେଖିଥିବେ ହିଂସ୍ର ବାଘ ଓ ସିଂହ କିପରି ସୁରକ୍ଷିତ ଭାବେ ନିର୍ଭୟରେ ମୁକ୍ତ ଭାବରେ ବିଚରଣ କରିଥାନ୍ତି । ସେମାନଙ୍କ ପାଇଁ କୌଣସି ନୀତିନିୟମ, ଆକଟ ନଥାଏ । କିନ୍ତୁ ସେମାନଙ୍କ ଭିତରକୁ ଦୁର୍ଭାଗ୍ୟକୁ ଯଦି କେହି ଅନୁପ୍ରବେଶକରି ଚଳପ୍ରଚଳ କରନ୍ତି ତେବେ ଜୀବନ ତ ଯିବ କିନ୍ତୁ ନିଜ ସୁରକ୍ଷା ପାଇଁ ସେମାନଙ୍କୁ ଆକ୍ରମଣ ବା ହତ୍ୟାକଲେ ଆପଣଙ୍କ ନାମରେ ମାମଲା ରୁଜୁ ହେବ । ବାଘ ସିଂହ ହେଉଛନ୍ତି ଅଭୟାରଣ୍ୟର ରାଜା । ଏଠାରେ କଥା ସ୍ପଷ୍ଟ ଯେ ଅଭୟାରଣ୍ୟ ଘୋଷିତ ହୋଇଛି ଅର୍ଥାତ୍ ସେଠାରେ ହିଂସ୍ର ଜନ୍ତୁ ମାନଙ୍କ ଅବାଧ ଗତାଗତ ଓ ଚଳପ୍ରଚଳ ରହିଛି । ଠିକ ସେହିପରି କହିବାକୁଗଲେ ଆମ ଦେଶରେ ଅପରାଧୀ ଓ ହିଂସା ଉପଦ୍ରବକାରୀ ମାନଙ୍କ ମଧ୍ୟ ମୁକ୍ତ ଅଭୟାରଣ୍ୟ ରହିଛି । ସମାଜର ଭଲ ମଣିଷ ତଥା ଶାନ୍ତିରେ ଜୀବନ ନିର୍ବାହ କରିବାକୁ ଚାହୁଁଥିବା ମଣିଷଟି ପାଇଁ ଦେଖିଚାହିଁ ଚଳପ୍ରଚଳ କରିବାକୁ ପଡ଼େ । ନଚେତ ସମସ୍ୟାରେ ତ ପଡ଼ିବେ ଆଉ ନିଜ ଘର ପରିବାର, ପରିଜନ ଆତ୍ମୀୟଙ୍କୁ ବିପଦରେ ପକାଇ କେତେବେଳେ ମୂଲ୍ୟବାନ ଜୀବନଟି ବି ଅକାଳରେ ଚାଲିଯାଇପାରେ । ଆଶ୍ଚର୍ଯ୍ୟର କଥା ଭାରତ ହେଉଛି ବିଶ୍ୱର ଗଣତନ୍ତ୍ରର ସବୁଠାରୁ ବଡ଼ ରାଷ୍ଟ୍ର ବିଶ୍ୱ ଅର୍ଥୀନତି ଓ ଅଭିବୃଦ୍ଧିରେ ଆମ ଦେଶ କୁଆଡ଼େ ବିଶ୍ୱଗୁରୁର ସ୍ଥାନ ନେଇସାରିଲାଣି । 
ଅପରାଧୀକ ମାମଲା ଥିବା ଦାଗୀ ମନ୍ତ୍ରୀ, ବିଧାୟକମାନେ ନିର୍ବାଚନରେ ଆସୁଛନ୍ତି ତେବେ ସମ୍ଭବତଃ ଭାରତର ନ୍ୟାୟ ବ୍ୟବସ୍ଥା ଓ ନିର୍ବାଚନ କମିଶନଙ୍କ କଠୋର କଟକଣା କାରଣ ପାଇଁ ସେମାନଙ୍କୁ ନିର୍ବାଚନରେ ବାରଣ ତ କରାଯାଇପାରିବନି, କେବଳ ସେମାନଙ୍କ ନାମରେ ଅପରାଧୀକ ମାମଲା, କେସ, ଅଭିଯୋଗ କ'ଣ କ'ଣ ସବୁ ରହିଛି ତାହା ସାର୍ବଜନୀନ କରାଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଭାରତରେ ଏପରି ଲୋକପ୍ରତିନିଧି ରହିଛନ୍ତି ଯେଉଁ ମାନଙ୍କ ନାମରେ ଗଣ୍ଡା ଗଣ୍ଡା ହତ୍ୟା, ବଳାକ୍ରାର, ଶିଶୁହତ୍ୟା, ଦଙ୍ଗା ପରି ବିପଜ୍ଜନକ ଓ ସଙ୍ଗୀନ ମାମଲା ସବୁ ରହିଛି । ସିଧା କହିବାକୁଗଲେ ଏମାନେ ଯେ ଆମ ନିର୍ବାଚନ ଅଭୟାରଣ୍ୟର ଜଣେ ଜଣେ ହିଂସ୍ର ଜନ୍ତୁ ସମ୍ଭବତଃ ଏହା ହିଁ ଜଣାଇ ଦିଆଯାଇଥାଏ । ଭୋଟ ଦେବାତ ପରର କଥା, ଆପଣମାନେ ଏପରି ହିଂସ୍ର ଜନ୍ତୁ ମାନଙ୍କର ମେଳରେ ବୁଲୁଛନ୍ତି ଅର୍ଥ ଆପଣଙ୍କ ଜୀବନ ନିରାପଦ କି ବିପଦ ତାହା ଦାୟିତ୍ୱ ଆପଣ ମାନଙ୍କର!  ଆମ ନ୍ୟାୟପାଳିକାର ବ୍ୟବସ୍ଥା ଅନୁଯାୟୀ ଦାଗୀ ବା ଅପରାଧ ମାମଲା ଥିବା ମନ୍ତ୍ରୀ ବିଧାୟକମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାରଣ ନାହିଁ କାରଣ ସେମାନେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି । ତେଣୁ ଲୋକଙ୍କୁ ସମ୍ଭବତଃ ଜଣାଇ ଦିଆଗଲା ଯେ ଏପରି ଦାଗୀ, କୁଖ୍ୟାତ ଓ ଭୟଙ୍କର ଚେହେରାର ତଥାକଥିତ ଲୋକପ୍ରତିନିଧିମାନେ ନିର୍ବାଚନରେ ଛିଡ଼ା ହୋଇଛନ୍ତି ତେଣୁ ସାଧୁ ସାବଧାନ । ନିଜ ସୁରକ୍ଷା ନିଜ ଦାୟିତ୍ୱରେ । ନିକଟରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି – ରାଜ୍ୟରେ ୬୫ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ହତ୍ୟା, ନାରୀ ନିର୍ଯାତନା, ଅପହରଣ, ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି ।  । ନିକଟରେ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ପାଇଁ ପାଖାପାଖି ୯୦କୋଟି ୬୯ଲକ୍ଷ ମତଦାତା ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ବିଶ୍ୱର ଏସବୁ ଠାରୁ ବଡ଼ ଗଣତାନ୍ତ୍ରିକ ମହାପର୍ବରେ ସରକାରୀ ଭାବେ ନିର୍ବାଚନ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ହେଉଛି । ଗତ ୨୦୧୯ ନିର୍ବାଚନରେ ସରକାରୀ ଭାବେ ପାଖାପାଖି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯେଉଁଠି ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୧ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା । ତେବେ ଭାରତ ପରି ଏକ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଆୟୋଗ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୭୫ରୁ ୯୫ ଲକ୍ଷ ଓ ବିଧାନସଭା ପ୍ରାର୍ଥୀଙ୍କ ପିଛା ୨୮ରୁ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହା ହେଉଛି ପ୍ରାର୍ଥୀଙ୍କର ଆଇନଗତ ଖର୍ଚ୍ଚ କିନ୍ତୁ ବାସ୍ତବରେ ଖର୍ଚ୍ଚ କେତେ ହୁଏ ତାହା ସମସ୍ତଙ୍କୁ ବେଶ ଜଣା । ଅନେକ ହୁଏତ ଜାଣିନଥିବେ ୧୯୫୧-୫୨ରେ ଭାରତର ପ୍ରଥମ ଲୋକସଭା ନିର୍ବାଚନ ସମୟରେ ଖର୍ଚ୍ଚ ଥିଲା ମାତ୍ର ୨୫ ହଜାର ଟଙ୍କା । ୨୦୧୯ର ନିର୍ବାଚନରେ ପ୍ରତି ଲୋକସଭା କ୍ଷେତ୍ର ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମତଦାତାଙ୍କ ମୁଣ୍ଡ ପିଛା ବ୍ୟୟ ହେଉଛି ୭୦୦ ଟଙ୍କା । ଏଡ଼ିଆରର ତଥ୍ୟ ଅନୁଯାୟୀ ଦେଶର ୩୨ଟି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ୨୦୧୯ରେ ସରକାରୀ ଭାବେ ମୋଟ ୨୯୯୪ କୋଟି ଟଙ୍କା ବ୍ୟୟ କରିଥିଲେ । ଆମ ନ୍ୟାୟପାଳିକାର ବ୍ୟବସ୍ଥା ଅନୁଯାୟୀ ମାମଲା ଭିତରୁ କିଏ ବିନା ଦଣ୍ଡରେ ନିଦେ୍ର୍ଦାଷରେ ଖଲାସ ହେବେ ବା କିଏ ଦୋଷୀ ସାବ୍ୟସ୍ତ ହେବେ ତାହାତ ଆଗାମୀ ଦିନରେ ଜଣାପଡ଼ିବ କିନ୍ତୁ ଏଠାରେ ଗୋଟିଏ କଥା ବେଶ ସୁସ୍ପଷ୍ଟ ଯେ ଆମ ଦେଶରେ ବିଳମ୍ବିତ ନ୍ୟାୟ ପାଇଁ ଏପରି ବ୍ୟକ୍ତିମାନେ ନିର୍ବାଚନ ଲଢ଼ିବାର ସୁଯୋଗ ପାଉଛନ୍ତି । ଏହା ନିଶ୍ଚିନ୍ତ ଏକ ଆଶ୍ଚର୍ଯ୍ୟର କଥା କିନ୍ତୁ ଆମ୍ଭ ମାନଙ୍କର ବିଚାର ଶକ୍ତିରେ ଯେହେତୁ ମୋଟ ଚମ ବସିଯାଇଛି ତେଣୁ ଆମ୍ଭେମାନେ ଏହାକୁ ବୁଝିବାକୁ ସମର୍ଥ ହୋଇନଥାଉ । ଏ ସବୁ ବ୍ୟବସ୍ଥାର କେବେ ଅନ୍ତ ହେବ ଏହା ହିଁ ବଡ଼ ପ୍ରଶ୍ନ । ଏବଂ ଯଦି କିଏ କେବେ ଦୋଷୀ ସାବ୍ୟସ୍ତ ହୁଏ ସେତେବେଳକୁ ସିଏ ବେଶ୍ କେଇ ପାଳି ଆସନରେ ବସି ଲୋକଙ୍କୁ ଶାସନ କରିସାରିଥିବ । ଲୋକଙ୍କୁ ନିଷ୍ଠାବାନ, ଚରିତ୍ରବାନ ଏବଂ ମୂଲ୍ୟବୋଧଯୁକ୍ତ ହେବାର ପରାମର୍ଶ ଦେଇସାରିଥିବେ ସେ ନିର୍ବାଚିତ ପ୍ରତିନିଧି ଜଣକ – ଏଇଟା ହିଁ ଆମର ଦୁର୍ଭାଗ୍ୟ ।
ଡାକ୍ତର ବିଚିତ୍ରାନନ୍ଦ ଆଚାର୍ଯ୍ୟ,ବାଲିଗୁଡ଼ା, କନ୍ଧମାଳ
 ମୋ : ୯୪୩୭୨୪୨୩୧୭