ଅବହେଳିତ ଗୋପ ସାଗର ସ୍ନାନ ମେଳଣ 

ପ୍ରଶାନ୍ତ ସ୍ୱାଇଁ : ଓଡ଼ିଶା- ଉଚ୍ଚାରଣ କଲେ ମନରେ ଭାସିଉଠେ ଶ୍ରୀଜଗନ୍ନାଥଙ୍କ ଅସୀମ ମହିମା, କୋଣାର୍କ ସୂର୍ଯ୍ୟମନ୍ଦିରର ପଥରେ ଖୋଦା ଶତାବ୍ଦୀ ପୁରୁଣା ଐତିହ୍ୟ, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଆଧ୍ୟାତ୍ମିକ ଶାନ୍ତି, ଚିଲିକାର ନୀଳ ଜଳରାଶି ଓ ଓଡ଼ିଆ ଲୋକସଂସ୍କୃତିର ଅବିଚ୍ଛିନ୍ନ ଧାରା । ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାକୁ “ଧରୋହର ରାଜ୍ୟ” ଓ “ସାଂସ୍କୃତିକ ଭୂମି” ଭାବେ ପ୍ରଚାର କରିବାରେ କେବେ ପଛୁଆ ହୁଅନ୍ତି ନାହିଁ ।କିନ୍ତୁ ଏହି ଗର୍ବୋକ୍ତିର ଆଡ଼ରେ ଗୋଟିଏ କଠୋର ପ୍ରଶ୍ନ ନିରବ ଭାବେ ଦଣ୍ଡାୟମାନ ଆମେ କଣ ସତରେ ଆମ ଜୀବନ୍ତ ଧରୋହରକୁ ସମାନ ମର୍ଯ୍ୟାଦା, ସୁରକ୍ଷା ଓ ସଂରକ୍ଷଣ ଦେଉଛୁ ?
 

  ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ, କୁଶଭଦ୍ରା ନଦୀ ଓ ସାଗରର ପବିତ୍ର ସଙ୍ଗମସ୍ଥଳୀରେ ଦୀର୍ଘକାଳ ଧରି ଆୟୋଜିତ ଗୋପ ସାଗର ସ୍ନାନ ମେଳଣ ଆଜି ଏହି ପ୍ରଶ୍ନର ସବୁଠାରୁ ଜୀବନ୍ତ ଓ ବେଦନାଦାୟକ ଉତ୍ତର । ଏହା କେବଳ ଗୋଟିଏ ଧାର୍ମିକ ମେଳା ନୁହେଁ; ଏହା ହେଉଛି ଓଡ଼ିଶାର ସାମୂହିକ ସ୍ମୃତି, ସାଂସ୍କୃତିକ ଧାରାବାହିକତା, ଲୋକଜୀବନ ଓ ସାମ୍ପ୍ରଦାୟିକ ସମନ୍ୱୟର ଏକ ଅମୂଲ୍ୟ ପ୍ରତୀକ । ଦୁଃଖର ବିଷୟ, ଆଜି ଏହି ଗୌରବମୟ ଐତିହ୍ୟ ରାଜ୍ୟ ଓ ପ୍ରଶାସନିକ ଅବହେଳାରେ ଧୀରେ ଧୀରେ ଅସ୍ତିତ୍ୱ ସଂକଟରେ ପଡ଼ୁଛି । ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥିର ପବିତ୍ର ସନ୍ଧ୍ୟାରେ ଯେଉଁଠାରେ କେବେ ଲକ୍ଷାଧିକ ଭକ୍ତ ସ୍ନାନ କରି ଆତ୍ମଶୁଦ୍ଧିର ଅନୁଭୂତି ଲାଭ କରୁଥିଲେ, ସେହି ପବିତ୍ର କୂଳ ଆଜି ଅବ୍ୟବସ୍ଥା, ପ୍ରଶାସନିକ ଉଦାସୀନତା ଓ ସଂକୁଚିତ ଦୃଷ୍ଟିଭଙ୍ଗୀର ପ୍ରତୀକ ହୋଇପଡ଼ିଛି ।

 
  ଗୋପ ସାଗର ସ୍ନାନ ମେଳଣ ପ୍ରାଚୀନ ବୈଷ୍ଣବ ପରମ୍ପରା ସହ ଗଭୀର ଭାବେ ସଂଯୁକ୍ତ । ଏହାର ଆରମ୍ଭକାଳ ସମ୍ବନ୍ଧୀୟ ସ୍ପଷ୍ଟ ଐତିହାସିକ ଦଲିଲ ନ ମିଳିଲେ ମଧ୍ୟ, ପିଢ଼ି ପିଢ଼ି ଧରି ଏହା ଲୋକଆସ୍ଥା, ସାମାଜିକ ସମରସତା ଓ ସଂସ୍କୃତିର ମୁଖ୍ୟ କେନ୍ଦ୍ର ଭାବେ ଅବଚ୍ଛିନ୍ନ ଭାବରେ ଚାଲିଆସିଛି । ପ୍ରାକ୍ତନ ଶିକ୍ଷକ ଓ ଗବେଷକ ସତ୍ୟପ୍ରିୟ ନାୟକଙ୍କ ରଚିତ “ଗୋପ ଦର୍ପଣ” ପୁସ୍ତକ ଅନୁସାରେ, ପ୍ରାୟ ୨୦୦ ବର୍ଷ ପୂର୍ବେ ଏହି ମେଳଣ ‘ମୁନି ମେଳଣ’ ନାମରେ ପରିଚିତ ଥିଲା । ସେ ସମୟରେ ଗୋପ ଥାନାର ମୁନି ବାବୁ(ଜଣେ ମୁସଲିମ ଅଧିକାରୀ)୧୬ ଜଣ ଜମିଦାରଙ୍କ ସହଯୋଗରେ ଏହି ମେଳଣକୁ ସଂଗଠିତ କରିଥିଲେ । ଏହି ତଥ୍ୟ ଓଡ଼ିଶାର ପୁରାତନ ସାମ୍ପ୍ରଦାୟିକ ସମନ୍ୱୟ ଓ ସାମାଜିକ ଏକତାର ଏକ ଦୁର୍ଲଭ ଐତିହାସିକ ଦୃଷ୍ଟାନ୍ତ । ହିନ୍ଦୁ–ମୁସଲିମ ଏକତା ଓ ସାମୂହିକ ସହଯୋଗର ଆଧାରରେ ଗଢ଼ିଉଠିଥିବା ଏହି ମେଳଣ ମାସାଧିକ ସମୟ ଧରି ଚାଲୁଥିଲା । କୁଶଭଦ୍ରା ନଦୀର ଏକ ପାର୍ଶ୍ୱରୁ କେଳେଇ ସାହୁ ତୋଟା ପର୍ଯ୍ୟନ୍ତ ଏହାର ବିସ୍ତୃତ ପ୍ରସାର ଥିଲା । ଏହା କେବଳ ଧାର୍ମିକ ଉତ୍ସବ ନୁହେଁ; ଏହା ଏକ ସୁସଂଗଠିତ ଲୋକ ଅର୍ଥନୀତିର କେନ୍ଦ୍ର ମଧ୍ୟ ଥିଲା ।


   ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଏହି ମେଳଣ ଓଡ଼ିଶାର ଲୋକନୃତ୍ୟ ଓ ଲୋକସଙ୍ଗୀତର ଏକ ବିରାଟ ମଞ୍ଚ,ଘଣ୍ଟ–ମର୍ଦ୍ଧଳ, ସଂକୀର୍ତ୍ତନ, କାଳିକା ଓ ଦୁର୍ଗା ନାଚ, ନାଗା ନାଚ, ବୁଢ଼ା–ବୁଢ଼ୀ, ଷଣ୍ଢ ଓ ଘୋଡ଼ା ନାଚ, ବାଣ ଓ ରୋଶଣୀରେ ସମଗ୍ର ଅଞ୍ଚଳ ଉତ୍ସବମୟ ହୋଇଯାଉଥିଲା । କିନ୍ତୁ ଆଜିର ପରିସ୍ଥିତି ଅତ୍ୟନ୍ତ ଦୁଃଖଦ । ପ୍ରଶାସନିକ ଅନାଗ୍ରହ, ରାଜ୍ୟସ୍ତରୀୟ ସାଂସ୍କୃତିକ ଯୋଜନାରେ ସ୍ଥାନ ନ ମିଳିବା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ମେଳଣ ଆଜି କେବଳ ନାମମାତ୍ରରେ ସୀମିତ । ଗୋପ ସାଗର ସ୍ନାନ ମେଳଣର ପୁନରୁଦ୍ଧାର କେବଳ ଏକ ଉତ୍ସବର ପୁନର୍ଜୀବନ ନୁହେଁ; ଏହା ଗୋପ–କୋଣାର୍କ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପୁନରୁତ୍ଥାନର ଚାବି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିକଟରେ ଆମର ଚାରିଟି ସ୍ପଷ୍ଟ ଦାବି— ୧.ଗୋପ ସାଗର ସ୍ନାନ ମେଳଣକୁ ରାଜ୍ୟସ୍ତରୀୟ ସାଂସ୍କୃତିକ ମେଳା ଘୋଷଣା, ୨.ସ୍ଥାୟୀ ଅନୁଷଙ୍ଗିକ, ସ୍ୱଚ୍ଛତା ଓ ସୁରକ୍ଷା ବ୍ୟବସ୍ଥା, ୩.ଗୋପ–କୋଣାର୍କକୁ ସ୍ୱତନ୍ତ୍ର ବିଧାନସଭା ମଣ୍ଡଳୀ ଭାବେ ବିଚାର, ୪.ଏକ ସ୍ୱତନ୍ତ୍ର ଲୋକଧରୋହର ସଂରକ୍ଷଣ ପ୍ରାଧିକରଣର ଗଠନ । ଗୋପ ସାଗର ସ୍ନାନ ମେଳଣକୁ ବଞ୍ଚାଇବା ମାନେ ଓଡ଼ିଶାର ଜୀବନ୍ତ ଆତ୍ମାକୁ ବଞ୍ଚାଇବା । ଯଦି ଆମେ ଆଜି ଏହାକୁ ଅବହେଳା କରୁ, ତେବେ ଆଗାମୀ ପିଢ଼ି ଆମକୁ କ୍ଷମା କରିବ ନାହିଁ । ଏବେ ନିଷ୍ପତ୍ତିର ସମୟ- ଇତିହାସକୁ ସମ୍ମାନ ଦେବା, ନା ଅବହେଳା କରି ସମ୍ପୂର୍ଣ୍ଣ ମାଟିରେ ମିଶାଇଦେବା ?


ରାଜ୍ୟ ସମ୍ପାଦକ
ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶା